ନୂଆଦିଲ୍ଲୀ: ପ୍ରଯୁକ୍ତି ଜଗତରେ ଏକ ନୂଆ ଶବ୍ଦ ‘ୱେବ୍୩’କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହା ହେଉଛି ପରବର୍ତ୍ତୀ ପିଢ଼ିର ଇଣ୍ଟରନେଟ୍। ଏଥିରେ ରହିଥିବା ସମ୍ଭାବନାକୁ ନେଇ ବିଶ୍ବର ଦୁଇ ପ୍ରମୁଖ ସଂସ୍ଥାର ମୁଖ୍ୟଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। ଟ୍ବିଟର୍ର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ଜି ଓ ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଏହାକୁ ନେଇ ନିଜର ମତ ପ୍ରଦାନ କରିଛନ୍ତି। ଉଭୟ ଏହି ନୂଆ ଚିନ୍ତାଧାରାକୁ ବିରୋଧ କରିଛନ୍ତି।
୧୯୮୯ରେ ଟିମ୍ ବର୍ଣ୍ଣସ୍-ଲିଙ୍କ ଦ୍ବାରା ୱାର୍ଲଡ୍ ୱାଇଡ୍ ୱେବ୍ (ଡବ୍ଲୁଡବ୍ଲୁଡବ୍ଲୁ)ର ଶୁଭାରମ୍ଭ କରାଯାଇଥିଲା। ଏହା ଦ୍ବାରା ଲୋକମାନେ ଅନ୍ଲାଇନ୍ ଜଗତରେ ପ୍ରବେଶ କରିବାର ସୁଯୋଗ ପାଇଥିଲେ। ଏହାକୁ ଇଣ୍ଟରନେଟ୍ର ପ୍ରଥମ ପିଢ଼ି ବୋଲି କୁହାଯାଉଛି। ୧୯୯୯ ବେଳକୁ ଇଣ୍ଟରନେଟ୍ରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ତାହାକୁ ଇଣ୍ଟରନେଟ୍ର ଦ୍ବିତୀୟ ପିଢ଼ି ବୋଲି କୁହାଯାଇଛି। ଆନୁଷ୍ଠାନିକ ଭାବେ କିନ୍ତୁ ସେଭଳି କିଛି ଘୋଷଣା ହୋଇନାହିଁ। ଏବେ ଯେଉଁ ୱେବ୍୩କୁ ନେଇ ଚର୍ଚ୍ଚା ଚାଲିଛି ସେଥିରେ ବ୍ଲକ୍ଚେନ୍ ପ୍ରଯୁକ୍ତିର ଶକ୍ତି ଯୋଡ଼ି ହେବ ବୋଲି କୁହାଯାଉଛି। ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସି ପଛରେ ରହିଥିବା ପ୍ରଯୁକ୍ତିଟି ହେଉଛି ବ୍ଲକ୍ଚେନ୍।
ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟ୍ କେବଳ ଗୁଗୁଲ୍ ଓ ଫେସ୍ବୁକ୍ ଭଳି ବଡ଼ କଂପାନିଙ୍କ କବ୍ଜାରେ ରହିଛି। ସେମାନେ ଯେଉଁ ପ୍ଲାଟଫର୍ମ ବିକଶିତ କରୁଛନ୍ତି ତାହାକୁ ଲୋକମାନେ ବ୍ୟବହାର କରୁଛନ୍ତି। କିନ୍ତୁ ବ୍ଲକ୍ଚେନ୍ର ଶକ୍ତି ଜରିଆରେ ଇଣ୍ଟରନେଟ୍ର ବିକେନ୍ଦ୍ରୀକରଣ ହୋଇପାରିବ ବୋଲି କୁହାଯାଉଛି। ପ୍ରତିଟି ଲୋକ ଇଣ୍ଟରନେଟ୍ର ମାଲିକ ହୋଇପାରିବେ। ଏହା ଏଭଳି ଏକ ନେଟ୍ୱର୍କ ହେବ ଯାହାର ଯେକୌଣସି ପ୍ରକାର ସେବା ବ୍ୟବହାର କରିବା ଲାଗି କାହାର ଅନୁମତି ନେବାକୁ ପଡ଼ିବ ନାହିଁ। କେହି କାହାକୁ ଏହି ସେବାରୁ ବଞ୍ଚିତ କରିପାରିବେ ନାହିଁ କିମ୍ବା ବ୍ଲକ୍ କରିପାରିବେ ନାହିଁ। ଯଦିଓ ଏହା ଶୁଣିବାକୁ ଏବେ ଅବାସ୍ତବ ମନେ ହେଉଛି, କିନ୍ତୁ ୱେବ୩ରେ ରହିଥିବା ଶକ୍ତି ଉପରେ ପ୍ରଯୁକ୍ତି ଜଗତର ଜଣାଶୁଣା ଲୋକଙ୍କ କୌଣସି ସନ୍ଦେହ ନାହିଁ। କ୍ରିପ୍ଟୋକରେନ୍ସିର ଶକ୍ତିକୁ ଯେଭଳି ଲୋକମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗ୍ରହଣ କରିପାରିନଥିଲେ ୱେବ୍୩ ଏବେ ସେହି ଅବସ୍ଥାରେ ରହିଛି। ଏହା ଯେବେ ପୂର୍ଣ୍ଣ ବିକଶିତ ହେବ ତାହାକୁ ସମସ୍ତେ ବିଶ୍ବାସ କରିବାକୁ ବାଧ୍ୟ ହେବେ।
ୱେବ୍୩କୁ ନେଇ ଟେସ୍ଲାର ସିଇଓ ଏଲନ୍ ଟୁଇଟ୍ କରିଥିଲେ ଯେ କେହି ୱେବ୍୩ ଦେଖିଛନ୍ତି କି? ମୁଁ ତାହାକୁ ପାଉନାହିଁ। ଏହା ପୂର୍ବରୁ ସେ ଜଣାଇଥିଲେ ଯେ ୱେବ୍୩ ହେଉଛି କେବଳ ମାର୍କେଟିଂ। ଏଥିରେ ସତ୍ୟତା ନାହିଁ। ଏହା ବାସ୍ତବ ବୋଲି ମୁଁ ଭାବୁନାହିଁ। ସେହିପରି ଟ୍ବିଟର୍ର ପୂର୍ବତନ ସିଇଓ ଜ୍ୟାକ୍ ଜଣାଇଛନ୍ତି ଯେ ଲୋକମାନେ କେବେ ବି ଇଣ୍ଟରନେଟ୍ର ମାଲିକ ହୋଇପାରିବେନି। ଭେଞ୍ଚର କ୍ୟାପିଟାଲ୍ ସଂସ୍ଥାଗୁଡ଼ିକ ହେବେ ପ୍ରକୃତ ମାଲିକ। ସେମାନେ କେବେବି ନିଜ ଭାଗ ଛାଡ଼ିବେନି। ଶେଷରେ ଇଣ୍ଟରନେଟ୍ ପୁଣି କେନ୍ଦ୍ରୀଭୂତ ହୋଇରହିବ, କିନ୍ତୁ ଏକ ସମ୍ପୂର୍ଣ୍ଣ ଅଲଗା ସ୍ତରରେ ରହିବ ବୋଲି ସେ ଟୁଇଟ୍ କରିଛନ୍ତି। ଅନ୍ୟମାନେ ଏହି ବିତର୍କରେ ସାମିଲ ହେବେ ବୋଲି ଆଶା କରାଯାଉଛି।