ମିସ୍‌ଡ କଲ୍‌ରେ ମିଳିବ ନୂଆ ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ: ଗ୍ରାହକମାନେ ନିଜ ମୋବାଇଲ୍‌ରୁ ମିସ୍‌ଡ କଲ୍ କରି ନୂଆ ଏଲ୍‌ପିଜି ସଂଯୋଗ ପାଇପାରିବେ। ଇଣ୍ଡିଆନ ଅଏଲ୍‌ର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ ଆଜି ଏହି ସେବା ଆରମ୍ଭ କରିଛନ୍ତି। ଲୋକମାନେ ନୂଆ ଏଲ୍‌ପିଜି ସଂଯୋଗ ହାସଲ କରିବା ଲାଗି କଂପାନି ଜାରି କରିଥିବା ନମ୍ବର ୮୪୫୪୯୫୫୫୫୫ରେ ମିସ୍‌ଡ କଲ୍ କରିପାରିବେ। ଇଣ୍ଡିଆନ ଅଏଲ୍‌ ଦେଶର ଏକମାତ୍ର କଂପାନି ଯାହା ଏଭଳି ସୁବିଧା ପ୍ରଦାନ କରୁଥିବା ସେ କହିଛନ୍ତି। ପୂର୍ବରୁ ଗ୍ୟାସ୍‌ ଟାଙ୍କି ରିଫିଲ୍ କରିବା ଲାଗି ମିସ୍‌ଡ କଲ୍ ସୁବିଧା ପ୍ରଚଳନ କରାଯାଇଥିଲା। ଏବେ ନୂଆ ସଂଯୋଗ ପାଇଁ ସେହି ସୁବିଧାକୁ ବ୍ୟବହାର କରାଯାଇଛି। ଏହା ଦ୍ବାରା ବୟସ୍କ ଲୋକ ଓ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ଉପକୃତ ହେବେ। ଗ୍ରାହକମାନେ ଭାରତ ବିଲ୍ ପେମେଣ୍ଟ୍ ସିଷ୍ଟମ୍‌ କିମ୍ବା କଂପାନିର ଆପ୍ ଓ ୱେବସାଇଟ୍ ଜରିଆରେ ଏଲ୍‌ପିଜି ପାଇଁ ବୁକିଂ ଓ ପେମେଣ୍ଟ୍ କରିପାରିବେ।

୭୫୮୮୮୮୮୮୨୪ ନମ୍ବରରେ ହ୍ବାଟସ୍‌ଆପ୍ କରି କିମ୍ବା ୭୭୧୮୯୫୫୫୫୫୫ରେ ଏସ୍‌ଏମ୍ଏସ୍‌ କରି କିମ୍ବା ଆମାଜନ୍‌ର ଆଲେକ୍ସା ଓ ପେଟିଏମ୍ ଜରିଆରେ ରିଫିଲ୍‌ ପାଇଁ ବୁକିଙ୍ଗ ଓ ପେମେଣ୍ଟ୍‌ କରିହେଉଛି। ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଡବଲ୍‌ ସଂଯୋଗ ରଖିବା ସୁବିଧା ଆରମ୍ଭ କରାଯାଇଛି। ଘରେ ପହଞ୍ଚି ଏହି ସୁବିଧା ଦିଆଯାଉଛି। ଜରୁରୀକାଳୀନ ଆବଶ୍ୟକତା ଲାଗି ଗ୍ରାହକମାନେ ଚାହିଲେ ୧୪.୨ କେଜି ଭଳି ବଡ଼ ସିଲିଣ୍ଡର ବଦଳରେ ୫ କେଜି ସିଲିଣ୍ଡରକୁ ଦ୍ବିତୀୟ ସଂଯୋଗ ଭାବେ ଗ୍ରହଣ କରିପାରିବେ।

ସମ୍ବନ୍ଧିତ ଖବର