ଭୁବନେଶ୍ବର: ଭାରତର ଅଗ୍ରଣୀ ଟେଲିଭିଜନ ନେଟ୍ୱର୍କ ଡିଜ୍ନି ଷ୍ଟାର୍ ପକ୍ଷରୁ ନୂଆ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ୍ ଷ୍ଟାର୍ କିରଣ ବିଷୟରେ ଆଜି ଘୋଷଣା କରାଯାଇଛି ଯାହାର ପ୍ରସାରଣ ଜୁନ୍ ୬ରୁ ଆରମ୍ଭ ହେବ। ଆଜି ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀଙ୍କ ଉପସ୍ଥିତିରେ ଡିଜ୍ନି ଷ୍ଟାର୍ର ମନୋରଞ୍ଜନ ମୁଖ୍ୟ କେଭିନ୍ ଭାଜ୍ ଓ ଆଞ୍ଚଳିକ ମୁଖ୍ୟ ଆଲୋକ ଜୈନଙ୍କ ଉପସ୍ଥିତିରେ ନୂଆ ଚ୍ୟାନେଲର ଲୋକାର୍ପଣ କରାଯାଇଛି। ଏହା ଉଭୟ ଏସ୍ଡି ଓ ଏଚ୍ଡି ପ୍ଲାଟଫର୍ମରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ। କେଭିନ୍ କହିଛନ୍ତି ଯେ ଷ୍ଟାର କିରଣ ହେଉଛି ରାଜ୍ୟର ପ୍ରଥମ ଏଚ୍ଡି ଆଞ୍ଚଳିକ ଚ୍ୟାନେଲ୍।
ଓଡ଼ିଶା ହେଉଛି ସପ୍ତମ ଆଞ୍ଚଳିକ ବଜାର ଯେଉଁଠାରେ ଡିଜ୍ନି ଷ୍ଟାର୍ ପ୍ରବେଶ କରିଛି। ଧାରାବାରିକ, ସିନେମା, ସ୍ବତନ୍ତ୍ର ସୋ’ ଆଦି ଜରିଆରେ ଓଡ଼ିଶାର ଦର୍ଶକଙ୍କୁ ଅନନ୍ୟ ମନୋରଞ୍ଜନ ଅନୁଭୂତି ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି। ଆଜି ଷ୍ଟାର୍ କିରଣର ଚାରିଟି ନୂଆ ଧାରାବାହିକ ତୁ କହିବୁ ନା ମୁଁ, ସୁହାଗ ସିନ୍ଦୁର, ଶାନ୍ତି ଓ କିଏ ପର କିଏ ନିଜର ବିଷୟରେ ଘୋଷଣା କରାଯାଇଛି। ସୋମବାରରୁ ଶନିବାର ପର୍ଯ୍ୟନ୍ତ ରାତି ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ଧାରାବାହିକଗୁଡ଼ିକ ପ୍ରସାରିତ ହେବ। ଏଥି ସହିତ ପ୍ରେମମ୍, ଦିଲ୍ରେ ଅଛି ତୋର ନାଁ, ଗୁପ୍ଚୁପ୍ ଓ ମହାବାହୁ ଭଳି ସିନେମାର ୱାର୍ଲଡ୍ ଟିଭି ପ୍ରିମିୟର ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏହି ଅବସରରେ ଧାରାବାରିକ ଓ ସିନେମାର କଳାକାର ଏବଂ ପ୍ରଯୋଜକମାନେ ମଧ୍ୟ ଉପସ୍ଥିତ ଥିଲେ।