ଡିମାଟ୍‌ ଖାତା ସଂଖ୍ୟା ୧୦.୪ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ସେୟାର କାରବାର ପ୍ରତି ସଚେତନତା ବୃଦ୍ଧି ପାଇଥିବାରୁ ବହୁ ଲୋକ ଷ୍ଟକ ବଜାରରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାର ସ୍ପଷ୍ଟ ପ୍ରତିଫଳନ ଡିମାଟ୍‌ ଖାତାରେ ହେଉଥିବା ବୃଦ୍ଧିରେ ଦେଖିବାକୁ ମିଳିଛି। ଲୋକମାନେ ପ୍ରତି ମାସରେ ବହୁ ସଂଖ୍ୟକ ‌ଡିମାଟ୍ ଖାତା ଖୋଲୁଛନ୍ତି। ସେଥିପାଇଁ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଦେଶରେ ଡିମାଟ୍ ଖାତା ସଂଖା ୧୦ କୋଟି ୪୦ ଲକ୍ଷରୁ ଅଧିକ ହୋଇଯାଇଛି ଯାହା ୨୦୨୧ ଅକ୍ଟୋବର ତୁଳନାରେ ପ୍ରାୟ ୪୧ ପ୍ରତିଶତ ଅଧିକ। ସେୟାର କାରବାର କରିବା ଲାଗି ଡିମାଟ୍ ଖାତା ଖୋଲିବା ଜରୁରୀ। ‌

ସ୍ମାର୍ଟଫୋନ୍ ବ୍ୟବହାରରେ ବୃଦ୍ଧି, ଡିଜିଟାଲ୍‌ ମାଧ୍ୟମରେ ଖାତା ଖୋଲିବା ସୁବିଧା ଏବଂ ଇକ୍ବିଟିରୁ ଆକର୍ଷଣୀୟ ରିଟର୍ଣ୍ଣ ମିଳୁଥିବାରୁ ଲୋକମାନେ ଡିମାଟ୍ ଖାତା ଖୋଲିବାକୁ ଚାହୁଛନ୍ତି। ମୋତିଲାଲ ଓସ୍ବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌ ତଥ୍ୟ ଅନୁଯାୟୀ ପ୍ରତି ମାସରେ ଖୋଲଯାଉଥିବା ନୂଆ ଡିମାଟ୍‌ ଖାତା ସଂଖ୍ୟା ଚଳିତ ବର୍ଷ ଅଗଷ୍ଟ ପରଠାରୁ କ୍ରମାଗତ ଭାବେ ହ୍ରାସ ପାଉଛି। ୨୦୨୧ ଅକ୍ଟୋବରରେ ୩୬ ଲକ୍ଷ ନୂଆ ଡିମାଟ୍‌ ଖାତା ଖୋଲାଯାଇଥିଲା। ୨୦୨୨ ଅଗଷ୍ଟରେ ସେହି ସଂଖ୍ୟା ୨୬ ଲକ୍ଷକୁ, ସେପ୍ଟେମ୍ବରରେ ୨୦ ଲକ୍ଷକୁ ଏବଂ ଅକ୍ଟୋବରରେ ୧୮ ଲକ୍ଷକୁ ହ୍ରାସ ପାଇଥିଲା। ବିଶ୍ବ ବଜାରରେ ଅସ୍ଥିରତା ଲାଗି ରହିଥିବାରୁ ସେୟାର ବଜାର କାରବାର ଗତ କିଛି ମାସ ଧରି ଅସ୍ଥିର ରହିଛି। ସେଥିପାଇଁ ନୂଆ ଡିମାଟ୍ ଖାତା ସଂଖ୍ୟା ହ୍ରାସ ପାଉଛି ବୋଲି ଆନନ୍ଦ ରାଠି ସେୟାର୍ସ ଆଣ୍ଡ୍ ଷ୍ଟକ୍‌ ବ୍ରୋକର୍ସର ସିଇଓ ରୁପ୍ ଭୋତ୍ରା କହିଛନ୍ତି।

ସମ୍ବନ୍ଧିତ ଖବର