ମୋବାଇଲ୍ ଗ୍ରାହକ ସଂଖ୍ୟା ଲକ୍ଷେ ବଢ଼ିଲା

ଭୁବନେଶ୍ବର: ଗତ ଜୁଲାଇ ମାସରେ ରାଜ୍ୟରେ ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ୧ ଲକ୍ଷରୁ ଅଧିକ ବୃଦ୍ଧି ଘଟିଛି। ଏହି ମାସରେ ୧,୦୯,୧୧୫ ନୂଆ ଗ୍ରାହକ ସୃଷ୍ଟି ହୋଇଥିବାରୁ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩ କୋଟି ୨୯ ଲକ୍ଷ ୧୯ ହଜାର ୧୫୩ରେ ପହଞ୍ଚିଛି। ତିନି ପ୍ରମୁଖ ଟେଲିକମ୍ କଂପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ବିଏସ୍‌ଏନ୍‌ଏଲ୍‌ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ପୂର୍ବ ମାସଗୁଡ଼ିକ ଭଳି ଜୁଲାଇରେ ମଧ୍ୟ ଭୋଡାଫୋନ୍ ଆଇଡିଆ ଏହାର କିଛି ଗ୍ରାହକଙ୍କୁ ହରାଇଛି।

ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ ଜୁଲାଇରେ ରିଲାଏନ୍ସ ଜିଓ ସର୍ବାଧିକ ୯୨,୩୯୩ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ୩୨,୩୯୫ ଓ ବିଏସ୍‌ଏନ୍‌ଏଲ୍‌ ୬,୯୨୦ ଜଣ ନୂଆ ଗ୍ରାହକଙ୍କୁ ଯୋଡ଼ିଛି। ଫଳରେ ରାଜ୍ୟରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୧ କୋଟି ୩୬ ଲକ୍ଷ ୯୬ ହଜାର ୧୬୨ରେ ପହଞ୍ଚିଛି। ଏୟାରଟେଲ୍ ପାଖରେ ଦ୍ବିତୀୟ ସର୍ବାଧିକ ୧ କୋଟି ୧୨ ଲକ୍ଷ ୧୪ ହଜାର ୪୮ ଜଣ ଗ୍ରାହକ ଅଛନ୍ତି। ସରକାରୀ କଂପାନି ବିଏସ୍‌ଏନ୍‌ଏଲ୍‌ର ମୋଟ ଗ୍ରାହକ ସଂଖ୍ୟା ୬୩ ଲକ୍ଷ ୩ ହଜାର ୮୦୯ ରହିଛି। ଭୋଡାଫୋନ୍ ଆଇଡିଆ ୨୨,୫୯୧ ଜଣ ଗ୍ରାହକଙ୍କୁ ହରାଇବାରୁ ଏହାର ମୋଟ ଗ୍ରାହକ ସଂଖ୍ୟା ୧୭ ଲକ୍ଷ ୫ ହଜାର ୧୦୦କୁ ଖସିଆସିଛି।

ରାଜ୍ୟରେ ଟେଲି ସାନ୍ଧ୍ରତା ୭୫.୨୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୫ ଜଣଙ୍କ ପାଖରେ ମୋବାଇଲ୍‌ ସଂଯୋଗ ରହିଛି। ଟେଲି ସାନ୍ଧ୍ରତାରେ ସର୍ବଭାରତୀୟ ହାର ୮୫.୧୧ ପ୍ରତିଶତ ଠାରୁ ଓଡ଼ିଶା ବହୁ ପଛରେ ରହିଛି। କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, କେରଳ, ହିମାଚଳପ୍ରଦେଶ ଓ ଦିଲ୍ଲୀରେ ରାଜ୍ୟର ଜନସଂଖ୍ୟାଠାରୁ ମୋବାଇଲ୍ ସଂଯୋଗ ଅଧିକ ରହିଛି। ଡୁଆଲ୍ ସିମ୍‌ ପ୍ରଚଳନ ଯୋଗୁଁ ଏହା ସମ୍ଭବ ହୋଇଛି। ଓଡ଼ିଶାର ସ୍ଥିତି ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଆସାମଠାରୁ ଉନ୍ନତ ଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଖରାପ ରହିଛି।

ସମ୍ବନ୍ଧିତ ଖବର