ନୂଆଦିଲ୍ଲୀ: ଭାରତ ଭଳି ଜନବହୁଳ ଦେଶରେ କାର୍ଯ୍ୟ କରୁଥିବା ବୟସର ଲୋକସଂଖ୍ୟା (୧୫ରୁ ୫୯ ବର୍ଷ) ବଢ଼ିବାରେ ଲାଗିଛି। ଏଥିପାଇଁ ଭାରତର ବର୍ଦ୍ଧିତ ଜନସଂଖ୍ୟାକୁ ଏକ ବୋଝ ଭାବେ ବିବେଚନା କରାନଯାଇ ଏହାକୁ ଜନସାଂଖ୍ୟିକ ଲାଭାଂଶ (ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍‌) ଭାବେ ବିଚାର କରାଯାଇଥାଏ। ଭାରତ ପାଇଁ ଏହା ଏକ ଆଶୀର୍ବାଦ ହୋଇଥିବାବେଳେ ଏବେ ଏହି ସ୍ଥିତି ଆହୁରି ମଜଭୁତ୍ ହେବାରେ ଲାଗିଛି। ନିକଟରେ ପ୍ରକାଶିତ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ୍‌ସ (ଏସ୍‌ଆର୍‌ଏସ୍‌) ୨୦୧୮ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି। ଉକ୍ତ ରିପୋର୍ଟ ପ୍ରତିବର୍ଷ ଭାରତର ସେନସସ୍‌ କମିସନର ଆଣ୍ଡ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଥାଏ। ଉକ୍ତ ରିପୋର୍ଟ ଅନୁଯାୟୀ, ଦେଶରେ ୧୫ ବର୍ଷରୁ ୫୯ ବର୍ଷ ବୟସର ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୬୬ ପ୍ରତିଶତ ବା ଦୁଇ ତୃତୀୟାଂଶରେ ପହଞ୍ଚିଯାଇଛି। କେବଳ ଜାତୀୟ ସ୍ତରରେ ନୁହେଁ, ଦେଶର ଅଧିକାଂଶ ପ୍ରମୁଖ ରାଜ୍ୟରେ ଏହି ବୟସର ଲୋକଙ୍କ ସଂଖ୍ୟା ବଢ଼ିଛି। ୨୦୧୩ ମସିହାରୁ ୨୦୧୮ ମସିହା ମଧ୍ୟରେ ପ୍ରତିବର୍ଷ ଏହି ଅନୁପାତ ବଢ଼ିବାରେ ଲାଗିଛି। ୨୦୧୩ ମସିହାରେ ଉକ୍ତ ଅନୁପାତ ଦେଶରେ ୬୩.୩ ପ୍ରତିଶତ ଥିବାବେଳେ ୨୦୧୮ରେ ୬୬ ପ୍ରତିଶତକୁ ବୃଦ୍ଧି ପାଇଛି।

Advertisment

ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନା ଏ କ୍ଷେତ୍ରରେ ଶୀର୍ଷରେ ରହିଛି। ତେଲେଙ୍ଗାନାର ମୋଟ ଜନସଂଖ୍ୟାରେ କାମ କରୁଥିବା ବୟସର ଲୋକଙ୍କ ସଂଖ୍ୟା ସର୍ବାଧିକ ୭୧.୧ ପ୍ରତିଶତ ରହିଛି। ତେଲେଙ୍ଗାନା ପଛକୁ ଦ୍ବିତୀୟ ସ୍ଥାନରେ ଆନ୍ଧ୍ର ପ୍ରଦେଶ (୭୦.୯%) ଏବଂ ତୃତୀୟ ସ୍ଥାନରେ ଦିଲ୍ଲୀ (୬୯.୯%) ରହିଛି। ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏ କ୍ଷେତ୍ରରେ ତ୍ରୟୋଦଶ ସ୍ଥାନରେ ରହିଛି। ୨୦୧୩ ମସିହାରେ ଓଡ଼ିଶାରେ ୬୩.୮ ପ୍ରତିଶତ ଲୋକ ୧୫ରୁ ୫୯ ବର୍ଷ ବୟସ ବର୍ଗରେ ରହିଥିବାବେଳେ ୨୦୧୮ରେ ଏହା ୬୬.୨ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଉକ୍ତ ଅନୁପାତରେ ୨.୪ ପ୍ରତିଶତର ଉନ୍ନତି ଦେଖାଦେଇଛି। ସର୍ବଭାରତୀୟ ସ୍ତରରେ ଏହା ୨.୭ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ଜାତୀୟ ହାର ତୁଳନାରେ ଓଡ଼ିଶା ଆଗରେ ରହିଛି। ଅନ୍ୟପକ୍ଷରେ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ବିହାରର ସ୍ଥିତି ଭଲନାହିଁ। ମଧ୍ୟପ୍ରଦେଶର ୬୩.୩ ପ୍ରତିଶତ, ଉତ୍ତରାଖଣ୍ଡର ୬୨.୪ ପ୍ରତିଶତ ଏବଂ ବିହାରର ୫୯.୭ ପ୍ରତିଶତ ଲୋକ କାମ କରୁଥିବା ବୟସ ବର୍ଗରେ ଆସୁଥିବା ଉକ୍ତ ରିପୋର୍ଟରୁ ଜଣାଯାଇଛି।