ପିଏସ୍‌ୟୁ ସଂଖ୍ୟା ୩୦୦ରୁ ୨୪କୁ ଖସିବ: ଅନେକ ସଂସ୍ଥା ବିକ୍ରି, ଘରୋଇକରଣ ହେବ

କ୍ଷତିରେ ଚାଲୁଥିବା ସଂସ୍ଥା ବନ୍ଦ କରାଯିବ, ତିନି ପ୍ରତିରକ୍ଷା ସଂସ୍ଥା ଘରୋଇକରଣ ହେବ

ନୂଆଦିଲ୍ଲୀ: କୌଣସି କ୍ଷେତ୍ରରେ ଏକାଧିକ ସରକାରୀ ସଂସ୍ଥା ରହିବ ନାହିଁ। କେବଳ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଛି ହାତଗଣତି ସଂସ୍ଥା ରହିବ। ଏବେ ଦେଶରେ ୩୦୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି। ସେଗୁଡ଼ିକ ସଂଖ୍ୟା ଦୁଇ ଡଜନ ପର୍ଯ୍ୟନ୍ତ ହ୍ରାସ କରିବା ଉପରେ ବିଚାର କରାଯାଉଛି। ଅଣ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଥିବା ସଂସ୍ଥାଗୁଡ଼ିକର ଘରୋଇକରଣ କରାଯିବ। କ୍ଷତିରେ ଚାଲୁଥିବା ସଂସ୍ଥାଗୁଡ଼ିକୁ ସବୁଦିନ ପାଇଁ ବନ୍ଦ କରାଯିବ।

କେଉଁ କ୍ଷେତ୍ରରେ କେତୋଟି ସଂସ୍ଥା ରହିବ, କେତୋଟି ସଂସ୍ଥା ବିକ୍ରି ହେବ ଏବଂ ବନ୍ଦ କରାଯିବ ତାହାର ତାଲିକା ପ୍ରସ୍ତୁତ କରିବା କାର୍ଯ୍ୟ ନିତି ଆୟୋଗକୁ ଦିଆଯାଇଛି। ନିତି ଆୟୋଗ ସୁପାରିସ କରିବା ପ‌ରେ କ୍ୟାବିନେଟ୍ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଘୋଷଣା କରି ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିଛନ୍ତି। ସେହି କ୍ଷେତ୍ରଗୁଡ଼ିକ ହେଉଛି ଆଣବିକ ଶକ୍ତି, ମହାକାଶ, ପ୍ରତିରକ୍ଷା, ପରିବହନ, ଟେଲିଯୋଗାଯୋଗ, ବିଦ୍ୟୁତ ଶକ୍ତି, ପେଟ୍ରୋଲିୟମ୍, କୋଇଲା ଓ ଅନ୍ୟାନ୍ୟ ଖଣିଜ, ବ୍ୟାଙ୍କ, ବୀମା ଓ ଆର୍ଥିକ ସେବା। ଏହି କ୍ଷେତ୍ରଗୁଡ଼ିକରେ ଅତି ବେଶିରେ ତିନି କିମ୍ବା ଚାରିଟି ସରକାରୀ ସଂସ୍ଥା ରହିବ। ଅନ୍ୟ ସବୁ କ୍ଷେତ୍ରରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ସରକାର ବାହାରିଯିବେ। ଫଳରେ ସରକାରୀ ସଂସ୍ଥା ସଂଖ୍ୟା ଦୁଇ ଡଜନ ପାଖାପାଖି ହ୍ରାସ ପାଇବ। ବ୍ୟାଙ୍କ ଓ ବୀମା କଂପାନିରୁ ମଧ୍ୟ ସରକାର ନିଜର ଅଂଶଧନ ହ୍ରାସ କରିବେ। ଘରୋଇକରଣ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଇଏମ୍‌ଏଲ୍‌, ଗାର୍ଡେନ ରିଚ୍ ସିପ୍ ବିଲଡର୍ସ ଓ ମିଶ୍ର ଧାତୁ ଭଳି ସଂସ୍ଥା ଚିହ୍ନଟ କରାଯାଇଥିବା ବିଷୟରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ସୂଚନା ଦେଇଛନ୍ତି। ବିଇଏମ୍‌ଏଲ୍‌ରେ ଥିବା ୨୬% ସରକାରୀ ଅଂଶଧନ ବିକ୍ରି କରାଯିବ ଓ କଂପାନିର ପରିଚାଳନା ନିୟନ୍ତ୍ରଣ ମଧ୍ୟ ନୂଆ ଗ୍ରାହକଙ୍କୁ ପ୍ରଦାନ କରାଯିବ। ଗାର୍ଡେନ୍ ରିଚ୍ ସିପ୍ ବିଲଡର୍ସରେ ସରକାରଙ୍କ ୭୪.୫% ଓ ମିଶ୍ର ଧାତୁ ନିଗମରେ ୭୪% ଅଂଶଧନ ରହିଛି।

ଏଥରର ବଜେଟ୍‌ରେ ଘରୋଇକରଣକୁ ନେଇ ସରକାର ନିଜର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଛନ୍ତି। ଏଦିଗରେ ଆଗକୁ ବଢ଼ିବାର ପ୍ରତିବଦ୍ଧତା ମଧ୍ୟ ଜଣାଇଛନ୍ତି। ବିଭିନ୍ନ କ୍ଷେତ୍ରର ଦକ୍ଷତାରେ ଉନ୍ନତି ଆଣିବା ଲାଗି ଘରୋଇ କ୍ଷେତ୍ରର ସଂସ୍ଥା ଓ ବିଶ୍ବସ୍ତରୀୟ ନିବେଶକଙ୍କୁ ସାମିଲ କରିବା ଯୋଜନା ରହିଛି। ଏହା ଦ୍ବାରା ଅର୍ଥନୀତିକୁ ବଡ଼ ଧରଣର ଶକ୍ତି ମିଳିବ। ମହାମାରୀ ପ୍ରଭାବରେ ନିମ୍ନମୁଖୀ ହୋଇଥିବା ଅର୍ଥନୀତି ପୁଣି ଥରେ ଦ୍ରୁ୍ତ ଗତିରେ ଆଗକୁ ବଢ଼ିବ।

ସାର୍ବଜନୀନ ସଂସ୍ଥା ସର୍ଭେ ୨୦୧୮-୧୯ ଅନୁଯାୟୀ ୨୦୧୯ ମାର୍ଚ୍ଚ ସୁଦ୍ଧା‌ ଦେଶରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ୩୪୮ ଥିଲା। ସେଥି ମଧ୍ୟରୁ ୨୪୯ଟି ସଂସ୍ଥା ସକ୍ରିୟ ରହିଛି। ବଳକା ୮୬ଟି ସଂସ୍ଥା ନିର୍ମାଣାଧୀନ ଥିବା ବେଳେ ୧୩ଟି ସଂସ୍ଥା ବନ୍ଦ ହେବା ପ୍ରକ୍ରିୟାରେ ରହିଛି। ତେବେ ଘରୋଇକରଣକୁ ନେଇ ସରକାର ଯେଉଁ ମହତ୍ତ୍ବାକାଂକ୍ଷୀ ଯୋଜନା ରଖିଛନ୍ତି ତାହା ହାସଲ କରିବା ସହଜ ହେବ ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି ଯାହା କେବଳ କନସଲ୍‌ଟିଂ ସେବା ପ୍ରଦାନ କରୁଛନ୍ତି। ସେଭଳି ସଂସ୍ଥାକୁ ବିକ୍ରି କରିବା ଏକ ବହୁତ ବଡ଼ ଆହ୍ବାନ। ତୈଳ ଭଳି କ୍ଷେତ୍ରରେ ଏକାଧିକ ସଂସ୍ଥାର ଘରୋଇକରଣ କରାଗଲେ ସହଜରେ ନିବେଶକ ମିଳିବେ ନାହିଁ। ତେଣୁ ସରକାର ନିଜ ସଂସ୍ଥାର ଉଚିତ ମୂଲ୍ୟ ପାଇବେ ନାହିଁ। ତେଣୁ ସ୍ଥିତି ଉପରେ ନଜର ରଖି ଘରୋଇକରଣକୁ ନେଇ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର