ନୂଆଦିଲ୍ଲୀ : ଗତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଟ୍ରେନ୍ରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ୨୪ ପ୍ରତିଶତ ହ୍ରାସ ହୋଇଛି। କରୋନା ମହାମାରୀର ପ୍ରଭାବ ଯୋଗୁ ଟ୍ରେନ୍ ଯାତ୍ରୀଙ୍କ ସଂଖ୍ୟା କମିଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଏହି ସମୟରେ ରେଳବାଇ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଟିକଟରେ ଦିଆଯାଉଥିବା ରିହାତିକୁ ବନ୍ଦ କରାଯାଇଥିଲା। ଏପର୍ଯ୍ୟନ୍ତ ସେହି ସୁବିଧା ମିଳୁନାହିଁ।
୫୮ ବର୍ଷରୁ ଅଧିକ ବୟସର ମହିଳା ଏବଂ ୬୦ରୁ ଅଧିକ ବୟସର ପୁରୁଷ ଯାତ୍ରୀମାନଙ୍କୁ ଟିକଟରେ ୪୦-୫୦% ରିହାତି ଦିଆଯାଉଥିଲା। ୨୦୨୦ ମେ’ରେ ସେହି ରିହାତି ବନ୍ଦ କରିଦିଆଯାଇଥିଲା। ୨୦୧୮-୧୯ ରେ ଟ୍ରେନ୍ରେ ୭.୧ କୋଟି ବରିଷ୍ଠ ନାଗରିକ ଯାତ୍ରା କରିଥିଲେ। ୨୦୧୯-୨୦ରେ ସେମାନଙ୍କ ସଂଖ୍ୟା ୭.୨ କୋଟିକୁ ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୦-୨୧ରେ ସେମାନଙ୍କ ସଂଖ୍ୟା ୫.୫ କୋଟିକୁ ହ୍ରାସ ପାଇଛି। ସେହି ବର୍ଷ ବରିଷ୍ଠ ନାଗରିକ ଟ୍ରେନ୍ ଯାତ୍ରୀଙ୍କ ସଂଖ୍ୟାରେ ୧.୯ କୋଟି ହ୍ରାସ ହୋଇଛି। ଯାତ୍ରୀ ସଂଖ୍ୟା ହ୍ରାସ ପାଇବାରୁ ଏହି ବର୍ଗରେ ରେଳବାଇର ଆୟ ୧୩% କମିଛି।
୨୦୧୮-୧୯ରେ ବରିଷ୍ଠ ନାଗରିକଙ୍କ ଯାତ୍ରାରୁ ରେଳବାଇ ୨,୯୨୦ କୋଟି ଟଙ୍କା ପାଇଥିଲା। ୨୦୧୯-୨୦ରେ ତାହା ୩୦୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୦-୨୧ରେ କରୋନା ମହାମାରୀ ଯୋଗୁ ସେହି ଆୟ ୮୭୫ କୋଟି ଟଙ୍କାକୁ ହ୍ରାସ ପାଇବା ପରେ ୨୦୨୧-୨୨ରେ ୨,୫୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ରେ ପୁଣି ଥରେ ବରିଷ୍ଠ ନାଗରିକ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ସେପ୍ଟେମ୍ବର ସୁଦ୍ଧା ୩.୮ କୋଟି ବରିଷ୍ଠ ନାଗରିକ ଟ୍ରେନ୍ରେ ଯାତ୍ରା କରିଥିବା ବେଳେ ସେମାନଙ୍କଠାରୁ ରେଳବାଇ ୨,୩୩୫ କୋଟି ଟଙ୍କା ଆୟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/train-4.jpg)