ବେକାର ଲୋକଙ୍କ ସଂଖ୍ୟା କମିଲା, କାମଧନ୍ଦା କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କଟକଣା କୋହଳ ହେବା ସହ ଲୋକମାନେ ଧୀରେ ଧୀରେ କର୍ମକ୍ଷେତ୍ରକୁ ଫେରୁଥିବାରୁ ଦେଶର ବେକାରି ହାରରେ ବଡ଼ ଧରଣର ସୁଧାର ଘଟିଛି। ଅଧିକ ଲୋକ କାମଧନ୍ଦା ସହ ‌ଯୋଡ଼ିହୋଇଛନ୍ତି। ସେଥିପାଇଁ କୌଣସି ନା କୌଣସି ନିଯୁକ୍ତି ସହ ଜଡ଼ିତ ଥିବା ଲୋକଙ୍କ ସଂଖ୍ୟା ବଢ଼ିଛି। ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ଜାରି ତଥୃ ଅନୁସାରେ ଜୁନ୍‌ ୧୪ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଦେଶର ନିଯୁକ୍ତି ହାର ୩୫.୭ ପ୍ରତିଶତକୁ ବୃଦ୍ଧି ପାଇଛି। ସପ୍ତାହକ ପୂର୍ବରୁ ତାହା ୩୨.୪ ପ୍ରତିଶତ ଥିଲା।

କରୋନା ସଙ୍କଟ ପୂର୍ବରୁ ଦେଶର ନିଯୁକ୍ତି ହାର ୩୯.୫ ପ୍ରତିଶତ ଥିଲା। ଅର୍ଥାତ ୧୪ ବର୍ଷରୁ ଅଧିକ ବୟସର ପ୍ରାୟ ୪୦ ପ୍ରତିଶତ ଲୋକ କର୍ମକ୍ଷେତ୍ରରେ ନିୟୋଜିତ ଥିଲେ। ନିଯୁକ୍ତି ହାର ସେହି ସ୍ତର ପର୍ଯ୍ୟନ୍ତ ଫେରିନାହିଁ। ଗତ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଆରମ୍ଭ ହେବା ପରେ ନିଯୁକ୍ତି ହାର ହଠାତ୍‌ ୧୦ ପ୍ରତିଶତ ୨୯.୯%ରେ ପହଞ୍ଚିଥିଲା। ଏପ୍ରିଲ୍ ୧୯ ସୁଦ୍ଧା ତାହା ଆହୁରି ତଳକୁ ଖସି ୨୬.୧ ପ୍ରତିଶତରେ ପହଞ୍ଚିଯାଇଥିଲା। ମାତ୍ର ମେ’ରେ କଟକଣା କୋହଳ ହେବା ପରେ ଘରେ ବସିଥିବା ଲୋକମାନେ ପୁଣି ଧୀରେ ଧୀରେ କାମଧନ୍ଦାରେ ଯୋଗଦେବାରୁ ନିଯୁକ୍ତି ହାରରେ ସୁଧାର ଘଟିଛି। ଲକ୍‌ଡାଉନ୍‌ ପୂର୍ବରୁ ବିଶ୍ବସ୍ତରରେ ନିଯୁକ୍ତି ହାର ୫୭.୪ ପ୍ରତିଶତ ଥିଲା। ଭାରତ ଏହାଠାରୁ ବହୁତ ପଛରେ ରହିଛି। ସିଏମ୍‌ଆଇଇ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ରେ ଯେଉଁମାନେ କାମଧନ୍ଦା ହରାଇଥିଲେ ସେମାନେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରୁଛନ୍ତି। କିନ୍ତୁ ଅଣସଂଗଠିତ କ୍ଷେତ୍ରରେ ଯେଉଁମାନେ କାମଧନ୍ଦା ହରାଇଥିଲେ ସେମାନଙ୍କ ସ୍ଥିତିରେ ବିଶେଷ ସୁଧାର ହୋଇନାହିଁ। ଆୟ ଉତ୍ସ ହରାଇଥିବା ସ୍ବାବଲମ୍ବୀ ଲୋକମାନଙ୍କ ସ୍ଥିତି ମଧ୍ୟ ସୁଧୁରିନାହିଁ। ଦେଶର ବେକାରି ହାର ଯାହା ଗତ ଏପ୍ରିଲ୍‌ ଓ ମେ’ରେ ୨୩.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ପହଞ୍ଚିଥିଲା। ଜୁନ୍ ୧୪ ସୁଦ୍ଧା ସେଥିରେ ଆନେକ ସୁଧାର ଘଟିଛି। ବେକାରି ହାର ଏବେ ମାତ୍ର ୧୧.୬ ପ୍ରତିଶତ ରହିଛି। ପ୍ରତି ସପ୍ତାହରେ ଏହି ହାର ହ୍ରାସ ପାଉଛି। ଲୋକମା‌ନେ ଧୀରେ ଧୀରେ କାମଧନ୍ଦାକୁ ଫେରୁଥିବାରୁ ବେକାରିଙ୍କ ସଂଖ୍ୟା କମ୍ ହେଉଥିବା ସିଏମ୍‌ଆଇଇ କହିଛି।

ସମ୍ବନ୍ଧିତ ଖବର