ଡିସ୍‌କମ୍‌ରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବଢ଼ିବ

ଭୁବନେଶ୍ବର: ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୩୦୦୦ରୁ ଅଧିକ ନିଯୁକ୍ତି ଦେଇଥିବା ଟାଟା ପାୱାର ଆଗାମୀ ଦିନରେ ଅଧିକ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିବା ଉପରେ ଧ୍ୟାନ ଦେବ। ଓଡ଼ିଶାର ସମସ୍ତ ଚାରିଟି ବିଦ୍ୟୁତ ବଣ୍ଟନ କଂପାନି (ଡିସ୍‌କମ୍‌)କୁ ଅଧିଗ୍ରହଣ କରିଥିବା ଟାଟା ପାୱାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ହିମଳ ତିୱାରୀ ଏହା କହିଛନ୍ତି। ସେ କହିଲେ ବର୍ତ୍ତମାନ କଂପାନିର ମୋଟ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୫-୬ ପ୍ରତିଶତ ହେଉଛନ୍ତି ମହିଳା। ଯଦିଓ ଜାତୀୟ ହାର ତୁଳନାରେ ଏହା ଭଲ ସ୍ଥିତିରେ ରହିଛି। କିନ୍ତୁ ଟାଟା ପାୱାରରେ ମହିଳା କର୍ମଚାରୀଙ୍କ ଯେଉଁ ହାର ରହିଛି ତା’ଠାରୁ ଏହା କମ୍ ରହିଛି। ଆଗାମୀ ଦିନରେ କଂପାନି ଯେଉଁ ନୂତନ ନିଯୁକ୍ତି ପ୍ରଦାନ କରିବ ତାହାର ଏକ ତୃତୀୟାଂଶ ମହିଳା କର୍ମଚାରୀ ରହିବେ ବୋଲି ସେ କହିଛନ୍ତି। ନାରୀ ସଶକ୍ତୀକରଣକୁ ପ୍ରାଧ୍ୟାନ୍ୟ ଦେଉଥିବା ଏହି କଂପାନିର କିଛି ଗ୍ରାହକ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀମାନଙ୍କ ଦ୍ବାରା ପରିଚାଳିତ ହେଉଛି। ଏହା ବ୍ୟତୀତ ଅନୋଖା ଧାଗା, ସହେଲି ଭଳି କିଛି କାର୍ଯ୍ୟକ୍ରମ ମଧ୍ୟ ଏହା ଲାଗୁ କରିଛି।

ଶ୍ରୀ ତିୱାରୀ କହିଛନ୍ତି ଯେ ନିଜ ପାଇଁ କର୍ମଚାରୀଙ୍କ ଏକ କ୍ୟାଡର ଗଠନ କରିବା ଉପରେ ଗୁରୁତ୍ବ ପ୍ରଦାନ କରିବୁ। ଆଗାମୀ ଦିନରେ ଆମେ ଦୀର୍ଘସ୍ଥାୟୀ ପ୍ରତିଭା ବିକାଶ ଉପରେ ଗୁରୁତ୍ବ ଦେବୁ। ସେଥିପାଇଁ ଟ୍ରେନି ଇଞ୍ଜିନିୟର, ଡିପ୍ଲୋମାଧାରୀ ଏବଂ ଆଇଟିଆଇର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବୁ। ପୁରୁଣା କର୍ମଚାରୀ ଯେଉଁଭଳି ଅବସର ନେବେ ସେହି ଅନୁସାରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ଜାରି ରହିବ ବୋଲି ସେ କହିଛନ୍ତି। କଂପାନି ପକ୍ଷରୁ ଉଡାନ୍‌ ନାମକ ଏକ ସ୍କିମ୍ ଆରମ୍ଭ କରାଯାଇଛି ଯେଉଁଥିରେ ୧୩୦୦ ଲୋକଙ୍କୁ ଆଇଟିଆଇରେ ପ୍ରଶିକ୍ଷଣ ଦିଆଯାଉଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ କଂପାନି ‘ପରିବର୍ତ୍ତନରୁ ପ୍ରଗତି’ ଏବଂ ଜ୍ଞାନକୋଷ ଅଭିଯାନ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର