ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ବ୍ୟବସାୟ ୧୦୦୦ କୋଟି ହେବ, ଗୋଲ୍ଡ କାଟେଗୋରି ସରକାରୀ ଉଦ୍ୟୋଗ କରାଯିବ

ଭୁବନେଶ୍ବର: ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନିର୍ଦେଶକ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଗମ ଏହାର ବ୍ୟାପକ କାର୍ଯ୍ୟ ପରିସର ଓ ବର୍ତ୍ତମାନର ସମ୍ବଳକୁ ସର୍ବାଧିକ ବିନିଯୋଗ କରି ୬୧୩ କୋଟି ଟଙ୍କାର ବ୍ୟବସାୟ କରିଛି। କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ ଓ ଆଧୁନିକୀକରଣ କରିବା ଲାଗି ବୈଠକରେ ଆଲୋଚନା କରାଯାଇଛି। କାର୍ଯ୍ୟ ପରିସର ବ୍ୟାପକତା ଯୋଗୁଁ ଆସନ୍ତା ବର୍ଷ ଶେଷ ସୁଦ୍ଧା ନିଗମ କାରବାରକୁ ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକୁ ସାକାର କରିବା ଓ ଏହାକୁ ଗୋଲ୍ଡ କାଟେଗୋରି ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ କର୍ତ୍ତୃପକ୍ଷଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ଆଜିର ବୈଠକରେ ନିଗମର ଏମ୍‌ଡି ପ୍ରଦୀପ୍ତ କୁମାର ସାହାଣୀ, ଏମ୍ଏସ୍‌ଏମ୍ଇ ବିଭାଗର ସ୍ବତନ୍ତ୍ର ସଚିବ ମନ୍ମଥ କୁମାର ବିଶ୍ବାଳ, ଅର୍ଥ ନିର୍ଦେଶକ ଡ. ପ୍ରଜ୍ଞାସ୍ମିତା ସାହୁ, ସ୍ବାଧୀନ ନିର୍ଦେଶକ ନିରୁପମା ହାତି, ଓସ୍‌ମିର ଅଧ୍ୟକ୍ଷ‌ ଗୌରୀ ଶଙ୍କର ଦାଶ, ଓସିଆର ସଭାପତି ସ୍ମରଜିତ ମହାନ୍ତି, ଓଇଆର ସଭାପତି ମିହିର କୁମାର କାନୁନ୍‌ଗୋ ଓ ସ୍ବାଧୀନ ନିର୍ଦେଶକ ଭେଙ୍କଟେଶ୍ବରଲୁ ସୁରୁ ଉପସ୍ଥିତ ଥିଲେ।

ବିଭିନ୍ନ ବିଭାଗରେ ଥିବା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ, ଇ-ବ୍ୟବସ୍ଥା ବିକଶିତ କରିବା ଏବଂ ଉନ୍ନତ ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ହାତକୁ ନେବା ପାଇଁ ସର୍ବସମ୍ମତିକ୍ରମେ ସ୍ଥିର ହୋଇଛି। ସ୍ବତନ୍ତ୍ର ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବା ଲାଗି ସ୍ପେସିଆଲ୍ ପର୍‌ପସ୍‌ ଭେଇକିଲ୍ (ଏସ୍‌ପିଭି) ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ କୁଶଳୀ ମାନବ ସମ୍ବଳ ବିନିଯୋଗ କରାଯିବ। ଏସ୍‌ପିଭି ଗଠନ ପାଇଁ ସର୍ତ୍ତ ଓ ନିୟମାବଳୀ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଅଧିକରୁ ଅଧିକ ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଆଲୋଚନାରେ ମତ ପ୍ରକାଶ ପାଇଛି। ନିଗମ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଖାଲି ପଡ଼ିଥିବା ମୂଳ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ନିଷ୍ପତ୍ତି ହୋଇଛି। କମ୍ପ୍ୟୁଟରୀକରଣ ଓ ଡିଜିଟାଇଜେସନ୍ ଭଳି ଆଧୁନିକ ଜ୍ଞାନକୌଶଳ ସମ୍ବଳିତ କାର୍ଯ୍ୟ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ ଓ ତତ୍‌ ସଲଗ୍ନ ଆବଶ୍ୟକ କଞ୍ଚାମାଲ୍ ଯୋଗାଇବା ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ନିଗମର ପରିସର ବ୍ୟାପକ କରାଯିବ। ନିଗମ ନିଜର ମୌଳିକ ଦାୟିତ୍ବ ସମ୍ପାଦନ କରିବାକୁ ମଧ୍ୟ ପ୍ରତିବଦ୍ଧ ରହିଛି।

ସମ୍ବନ୍ଧିତ ଖବର