ଲାଭରେ ଚାଲିଛି ଓଡ଼ିଶା ରାଜ୍ୟ ପରିବହନ ନିଗମ
ନୂଆଦିଲ୍ଲୀ: ୨୦୧୬-୧୭ ଆର୍ଥି କବର୍ଷରେ ଦେଶର ସର୍ବମୋଟ ୫୬ଟି ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କ ମଧ୍ୟରୁ କେବଳ ୭ଟି ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି। ଲାଭ କରିଥିବା ଏହି ୭ଟି ରାଜ୍ୟ ସଡ଼କ ପରିବହନ ନିଗମ ମଧ୍ୟରେ ଓଡ଼ିଶା ରହିଛି। ୨୦୧୬-୧୭ରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ଲାଭ ହୋଇଛି ମୋଟ ୧.୭୯ କୋଟି ଟଙ୍କା। ଲାଭ ହାସଲ କରିଥିବା ରାଜ୍ୟ ସଡ଼କ ପରିବହନ ନିଗମମାନଙ୍କର ତାଲିକାରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ୨୦୧୬-୧୭ରେ ୫.୮୧ କୋଟି ଟଙ୍କାର କର ପୈଠ କରିବା ପରେ ୧.୭୯ କୋଟି ଟଙ୍କାର ଲାଭ ହାସଲ କରିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ‘ ରିଭ୍ୟୁ ଅଫ ଦ ପରଫର୍ମାନ୍ସ ଅଫ୍ ଟେଷ୍ଟ ରୋଡ ଟ୍ରାନ୍ସପୋର୍ଟ ଅଣ୍ଡର ଟେକିଂ’ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ ଅଛି। ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟ ସଡ଼କ ପରିବହନ ନିଗମ ୫ କୋଟି ଟଙ୍କାର ଲାଭ କରିଥିଲା। ୨୦୧୬-୧୭ରେ ଅନ୍ୟ ୬ଟି ରାଜ୍ୟର ସଡ଼କ ପରିବହନ ନିଗମ ଲାଭ କରିଥିଲା, ସେଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ପଞ୍ଜାବ, କାନପୁର ସିଟି ଓ ସିକିମ। ଅପରପକ୍ଷରେ ୪୯ଟି ରାଜ୍ୟ ସଡ଼କ ପରିବହନ ୨୦୧୬-୧୭ରେ ୧୩୯୫୭ କୋଟି ଟଙ୍କାର କ୍ଷତି ସହିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୫-୧୬ ତୁଳନାରେ କ୍ଷତିର ପରିମାଣରେ ୨୪ ପ୍ରତିଶତ ବୃଦ୍ଧି ହୋଇଥିବାର ରିପୋର୍ଟରେ ଉଲ୍ଲେଖ ଅଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ରିପୋର୍ଟରେ ଏହା ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି। ରାଜ୍ୟ ସଡ଼କ ପରିବହନ ନିଗମ ରାଜ୍ୟର ପାଣ୍ଠି ଉପରେ ଅଧିକ ନିର୍ଭର କରିଛି। ରାଜ୍ୟ ସଡ଼କ ପରିବହନ ନିଗମ ପାଇଁ ରାଜ୍ୟ ସରକାର ୧୬୬.୫୧ କୋଟି ଟଙ୍କାର ଅନୁଦାନ ଦେଇଥିବାବେଳେ କେନ୍ଦ୍ର ସରକାଙ୍କର ଅନୁଦାନ ରହିଛି ୧୫.୯୨ କୋଟି ଟଙ୍କା।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ ରାଜ୍ୟ ସଡ଼କ ପରିବହନ ଦ୍ବାରା କୌଣସି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନମାନଙ୍କ ଠାରୁ ଋଣ ମଧ୍ୟ ନିଆଯାଇନାହିଁ। ୨୦୧୬-୧୭ରେ ରାଜ୍ୟ ପରିବହନ ନିଗମ ଦ୍ବାରା ଯାତ୍ରୀମାନଙ୍କ ଠାରୁ ଭଡ଼ା ବାବଦରେ ୭୭୬୯.୨୫ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ୨୦୧୫-୧୬ ତୁଳନାରେ ଏହାର ପରିମାଣରେ ସାମାନ୍ୟ ବୃଦ୍ଧି ହୋଇଥିଲା। ୨୦୧୫-୧୬ରେ ଯାତ୍ରୀ ମାନଙ୍କଠାରୁ ୭୨୯୮.୩୨ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲା। ୨୦୧୬-୧୭ରେ ଯାତାୟାତ ରାଜସ୍ବ ବାବଦରେ ୪୩୫.୭୪ ଲକ୍ଷ ଟଙ୍କା ଆଦାୟ କରାଯାଇଥିବା ବେଳେ ୨୦୧୫-୧୭ରେ ଏହାର ପରିମାଣ ୩୭୬.୯୯ ଲକ୍ଷ ଟଙ୍କା ଥିଲା। ରାଜ୍ୟ ପରିବହନ ନିଗମ ଦ୍ବାରା ୨୦୧୬-୧୭ରେ ବିଜ୍ଞାପନ ବାବଦରେ ୨୧.୭ ଲକ୍ଷ ଟଙ୍କା ହାସଲ ହୋଇଥିଲା। ଅପରପକ୍ଷେ ୨୦୧୫-୧୬ରେ ବିଜ୍ଞାପନରେ ରାଜ୍ୟ ସଡ଼କ ପରିବହନ ନିଗମକୁ ୧୪.୧ ଲକ୍ଷ ଟଙ୍କା ମିଳିଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ଏତିକି ନୁହେଁ, ଜରିମାନାରୁ ରାଜ୍ୟ ସଡ଼କ ପରିବହନ ନିଗମକୁ ୨୦୧୬-୧୭ରେ ୨.୫ ଲକ୍ଷ ଟଙ୍କା ମିଳିଥିବାର ରିପୋର୍ଟରେ କୁହାଯାଇଛି।ରାଜ୍ୟ ପରିବହନ ନିଗମ ଅନ୍ତର୍ଗତ ୨୦୧୬-୧୭ରେ ୮୩.୩୦ ପ୍ରତିଶତ ବାହାନ ଗୁଡ଼ିକର ବ୍ୟବହାର କରାଯାଇଥିବାର ରିପୋର୍ଟରେ କୁହାଯାଇଛି। ୨୦୧୬-୧୭ରେ ରାଜ୍ୟ ପରିବହନ ନିଗମ ୨୮ ଦୁର୍ଘଟଣାର ଶିକାର ହୋଇଥିଲା। ରିପୋର୍ଟରେ ରାଜ୍ୟ ସଡ଼କ ପରିବହନ ନିଗମରେ ୨୦୧୬-୧୭ରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୧୬୫୧ ଥିବା କୁହାଯାଇଛି।