ପୁରୁଣା ତ୍ରୁଟି ଥିଲା ପିଛିଲା ଟିକସ, ସୁଧାରିଛୁ: ମୋଦୀ

ଭାରତ ଏବେ ସବୁ ପ୍ରକାର ନିବେଶକୁ ସ୍ବାଗତ କରୁଛି, ସରକାର ସବୁଠୁ କଷ୍ଟକର ସଂସ୍କାର କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: ପିଛିଲା ଟିକସ ନୀତି ଏକ ପୁରୁଣା ତ୍ରୁଟି ଥିଲା। ତାହାକୁ ଆମେ ସୁଧାରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଭିିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ‌ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସରକାର ଅତୀତର ତ୍ରୁଟିକୁ ସୁଧାରି ପୁରୁଣାକାଳିଆ ଟିକସ ବ୍ୟବସ୍ଥାକୁ ସମାପ୍ତ କରିଛନ୍ତି। ଉଦ୍ୟୋଗ ଜଗତ ନିକଟରୁ ମିଳିଥିବା ପ୍ରଶଂସାକୁ ଦେଖିଲେ ଏହି ପଦକ୍ଷେପ ସରକାର ଓ ଉଦ୍ୟୋଗ ଜଗତ ମଧ୍ୟରେ ବିଶ୍ୱାସକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଏପରି ଏକ ସରକାର ଅଛି ଯାହା ରାଷ୍ଟ୍ର ହିତରେ ସବୁଠୁ ବଡ଼ ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ। ଜିଏସଟି ଏତେ ବର୍ଷ ଧରି ଅଟକି ରହିବାର କାରଣ ହେଉଛି ପୂର୍ବ ସରକାର ରାଜନୈତିକ ରିସ୍କ ନେବାର ସାହସ ଜୁଟାଇ ପାରୁନଥିଲା। ଆମେ କେବଳ ଜିଏସ୍‌ଟି ଲାଗୁ କରିନାହୁଁ ବରଂ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ କରୁଛୁ। ଆମର ଉଦ୍ୟୋଗ ଜଗତ ପ୍ରତି ଦେଶର ବିଶ୍ୱାସ ରହିଛି। ଏହାର ପରିଣାମ ଫଳରେ ବ୍ୟବସାୟିକ ସୁଗମତା ଓ ସହଜ ଜୀବନ ଧାରଣ ସୁଧାର ଆସିଛି। କମ୍ପାନି ଆଇନରେ କରାଯାଇଥିବା ପରିବର୍ତ୍ତନ ଏହାକୁ ପ୍ରମାଣିତ କରୁଛି।

ପିଛିଲା ଟିକସ ଉଚ୍ଛେଦ ପରେ ସରକାର-ଉଦ୍ୟୋଗ ବିଶ୍ବାସ ବଢ଼ିଛି
ଭାରତରେ ତିଆରି ସାମଗ୍ରୀ ପ୍ରତି ଲୋକଙ୍କ ବିଶ୍ବାସ ବଢ଼ିଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କଠିନ ସଂସ୍କାର ଆଣିବା ଲାଗି ସକ୍ଷମ କାରଣ ଏ ସରକାରଙ୍କ ପାଇଁ ସଂସ୍କାର ବାଧ୍ୟବାଧକତା ନୁହେଁ ପ୍ରତିବଦ୍ଧତାର ବିଷୟ। ସେ ସଂସଦରେ ଫ୍ୟାକ୍ଟରିଂ ନିୟାମକ ସଂଶୋଧନ ବିଲ, ଜମା ବୀମା ଓ ଋଣ ଗ୍ୟାରେଂଟି ନିଗମ ସଂଶୋଧନ ବିଲ୍‌ର ସେ ଉଦାହରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ନୂଆ ଭାରତ ଯାହା ନୂଆ ଦୁନିଆ ସହ କାନ୍ଧ ମିଶାଇ ଆଗକୁ ବଢ଼ିବା ଲାଗି ପ୍ରସ୍ତୁତ ହୋଇଯାଇଛି। ପୂର୍ବରୁ ବିଦେଶୀ ନିବେଶକୁ ନେଇ ସହଜ ମନେ କରୁନଥିବା ଭାରତ ଏବେ ସବୁ ପ୍ରକାର ନିବେଶକୁ ସ୍ବାଗତ କରୁଛି। ଅତୀତର ନାଲିଫିତା ପ୍ରଶାସନ ବ୍ୟବସ୍ଥା ଆଉ ନାହିଁ। ଭାରତ ଏବେ ବ୍ୟବସାୟିକ ସୁଗମତା ସୂଚକାଙ୍କରେ ଅନେକ ସୋପାନ ଉନ୍ନତି କରି ସାରିଛି। ସେହିପରି ଭାବେ ଅନେକ ଶ୍ରମ ଆଇନର ଜାଲକୁ ଏବେ ୪ଟି ଶ୍ରମ ସଂହିତା ରୂପରେ ଯୁକ୍ତିସଂଗତ କରି ଦିଆଯାଇଛି। ପୂର୍ବରୁ କୃଷିକୁ କେବଳ ଜୀବିକାର ସାଧନ ବୋଲି ବିବେଚନା କରାଯାଉଥିଲା। ଏବେ ସଂସ୍କାର ମାଧ୍ୟମରେ ଏହି କ୍ଷେତ୍ରକୁ ବଜାର ସହିତ ଯୋଡ଼ାଯାଉଛି। ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶକୁ ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆସିଛି। ଏଫ୍‌ପିଆଇ ଓ ବିଦେଶୀ ମୁଦ୍ରା ଭଣ୍ଡାରରେ ମଧ୍ୟ ରେକର୍ଡ ହୋଇଛି ବୋଳି ସେ କହିଛନ୍ତି।

ଏକ ସମୟ ଥିଲା ‌ଯେତେବେଳେ ଲୋକମାନେ ବିଦେଶୀ ସାମଗ୍ରୀ ଭଲ ବୋଲି ଭାବୁଥିଲେ। ଏବେ ଭାରତୀୟମାନେ ଭାରତରେ ତିଆରି ହେଉଥିବା ଉତ୍ପାଦ ଉପରେ ବିଶ୍ବାସ କରୁଛନ୍ତି। ଦେଶବାସୀ ନିଜ ମନ ସ୍ଥିର କରିସାରିଛନ୍ତି। ଶିଳ୍ପ ଜଗତକୁ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡ଼ିବ। ଏହା ଦ୍ବାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯୁବକଯୁବତୀମାନେ ବିପଦର ମୁକାବିଲା କରିବାକୁ ଭୟ କରୁନାହାନ୍ତି। ‌ଷ୍ଟାର୍ଟଅପ୍‌ଗୁଡ଼ିକ ଆତ୍ମବିଶ୍ବାସ ଭରା ରହିଛନ୍ତି। ଅନେକ ସଂସ୍ଥା ୟୁନିକର୍ଣ୍ଣରେ ପରିଣତ ହୋଇ ଦେଶର ଛବି ଭାବେ ଉଭା ହୋଇଛନ୍ତି। ୭-୮ ବର୍ଷ ପୂର୍ବେ ଭାରତରେ ହାତଗଣତି ୩-୪ଟି ୟୁନିକର୍ଣ୍ଣ ଥିଲେ। ଏବେ ସେମାନଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଗତ କିଛି ମାସ ଭିତରେ ୨୧ଟି ଷ୍ଟାର୍ଟଅପ୍ ସଂସ୍ଥା ୟୁନିକର୍ଣ୍ଣ ମାନ୍ୟତା ହାସଲ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ ବିଷୟରେ ସେମାନେ ମତାମତ ଓ ପରାମର୍ଶ ଦେଇଥିଲେ।

 

ସମ୍ବନ୍ଧିତ ଖବର