ଓମ୍ବାଡ୍‌ସି ପାଣ୍ଠି ପ୍ରକଳ୍ପର ନିୟମିତ ଅନୁଧ୍ୟାନ କରାଯିବ, ତୃତୀୟ ପକ୍ଷ ବୈଷୟିକ ଟିମ୍ ଯାଞ୍ଚ କରିବ

ଭୁବନେଶ୍ବର: ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ପାଣ୍ଠି ଅନ୍ତର୍ଗତ ସ୍ବାସ୍ଥ୍ୟ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା, କୌଶଳ ବିକାଶ, ବୈଷୟିକ ଶିକ୍ଷା‌ ଓ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଆଦି କାର୍ଯ୍ୟକାରୀ କରାଯାଇଛି। ସେହି ପ୍ରକଳ୍ପଗୁଡ଼ିକର ତ୍ବରିତ କ୍ରିୟାନ୍ବୟନ ଓ ଗୁଣାତ୍ମକ ମାନର ନିୟମିତ ଯାଞ୍ଚ କରାଯିବ। ଓମ୍ବାଡ୍‌ସି ପ୍ରକଳ୍ପକୁ ନେଇ ଆଜି ଲୋକାସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସବୁ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ଓ ଗୁଣାତ୍ମକ ମାନର ଯାଞ୍ଚ ଏକ ତୃତୀୟ ପକ୍ଷ ବୈଷୟିକ ଟିମ୍ ଜରିଆରେ କରାଇବାକୁ ଶ୍ରୀ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ସେବା ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକ ସଠିକ୍ ଭାବେ ଜନସାଧାରଣଙ୍କୁ ସେବା ଯୋଗାଉଛି ନା ନାହିଁ ତାହାର ମଧ୍ୟ ନିୟମିତ ଅନୁଧ୍ୟାନ କରାଯିବ।

ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ଓମ୍ବାଡ୍‌ସି ପାଣ୍ଠି ବିନିଯୋଗରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୫ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ପ୍ରାୟ ୧୨୯୮.୮୫ କୋଟି ଟଙ୍କା ବିନିଯୋଗରେ ଏହି ସବୁ ପ୍ରକଳ୍ପ କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି। ଯାଜପୁରରେ ୬୬.୪୪ କୋଟି ଟଙ୍କା ବିନିଯୋଗରେ ମା’ ଓ ଶିଶୁ ଚିକିତ୍ସା ହସ୍ପିଟାଲ୍ ନିର୍ମାଣ ଓ ୩.୨୧ କୋଟି ଟଙ୍କା ବିନିଯୋଗରେ ମୟୁରଭଞ୍ଜ ଜିଲ୍ଲାରେ ଚିକିତ୍ସା ଉପକରଣ ଯୋଗାଣ ପ୍ରକଳ୍ପ ଆରମ୍ଭ କରାଯାଇଛି। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ୪୫୨ କୋଟି ଟଙ୍କା ଅଟକଳରେ ୮୦୦୫ଟି ପ୍ରକଳ୍ପ, ମାଧ୍ୟମିକ ଶିକ୍ଷାରେ ୩୦୨.୬୬ କୋଟି ଟଙ୍କାର ୩୬୦୯ଟି ପ୍ରକଳ୍ପ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୮୧.୫୩ କୋଟି ଟଙ୍କାରେ ୪୩୬ଟି ପ୍ରକଳ୍ପ ଓ କସ୍ତୁରବା ଗାନ୍ଧୀ ବାଳିକା ବିକାଶ ବିଦ୍ୟାଳୟ ନିମନ୍ତେ ୩.୯୨ କୋଟି ଟଙ୍କାର ୨୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।

ଜନଜାତି ଯୁବବର୍ଗଙ୍କ କୌଶଳ ବିକାଶ ନିମନ୍ତେ ୧୮.୧୯ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ବେଳେ ରାଉରକେଲାର ସରକାର ଆଇଟିଆଇ, ଉତ୍କଳମଣି ଗୋପବନ୍ଧୁ ଇଞ୍ଜିନିୟରିଂ ପ୍ରତିଷ୍ଠାନ, କେନ୍ଦୁଝରର ଓଡ଼ିଶା ସ୍କୁଲ୍‌ ଅଫ୍ ମାଇନିଂ ଇଞ୍ଜିନିୟରିଂ ଏବଂ ବଡ଼ବିଲର ସରକାରୀ ଆଇଟିଆଇର ଆଧୁନିକୀକରଣ ପାଇଁ ୪୭.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଇତି ମଧ୍ୟରେ ୨୪୩ ଜନଜାତି ଯୁବକ ସଫଳତାର ସହ ବିଭିନ୍ନ ଟ୍ରେଡ୍‌ରେ ତାଲିମ ପାଠ୍ୟକ୍ରମ ଶେଷ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୩୨ ଜଣ ବିଭିନ୍ନ କଂପାନିରେ ନିଯୁକ୍ତି ପାଇଥିବା ବେଳେ ଅନ୍ୟ ୨୬୯ ଜଣ ତାଲିମ ନେଉଛନ୍ତି। ମୟୁରଭଞ୍ଜ ଓ ଯାଜପୁରରେ ଗୋଟିଏ ଲେଖାଏଁ ଛାତ୍ର ଓ ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି।

ସମ୍ବନ୍ଧିତ ଖବର