ଅନୁଗୁଳ: ଛେଣ୍ଡିପଦାରେ କୋଇଲା ଖୋଳିବାକୁ ଲିଜ୍ ପାଇଥିବା ଓଡ଼ିଶା ଖଣି ନିଗମ (ଓଏମସି) ଏଥିରୁ ଓହରିଛି। ଆବଣ୍ଟିତ କୋଲ୍ ବ୍ଲକ୍ ନେବାକୁ ଓଏମ୍ସି ମନା କରିଦେଇଥିବା ଜଣାପଡ଼ିଛି। ଜମି ଅଧିଗ୍ରହଣରେ ସମସ୍ୟା ପାଇଁ ଏଠାରେ କୋଇଲା ଉତ୍ତୋଳନ କରିବା ସହଜ ହେବନି ବୋଲି ନିଗମ ଚିନ୍ତା କରିଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ହୋଇଥିବା କୋଲ୍ ବ୍ଲକ୍ ଆବଣ୍ଟନରେ ଓଡ଼ିଶା ଖଣି ନିଗମକୁ ବୈତରଣୀ-ୱେଷ୍ଟ କୋଲ୍ ବ୍ଲକ୍ ମିଳିଥିଲା। କୋଇଲା ଉତ୍ତୋଳନ ନେଇ ୨୦୧୬ରେ କେନ୍ଦ୍ର ସରକାର ଓ ଓଏମସି ଭିତରେ ଚୁକ୍ତିନାମା ହୋଇଥିଲା। ଛେଣ୍ଡିପଦା ଓ ପୋଡ଼ାପଡ଼ା ଅଞ୍ଚଳକୁ ନେଇ ହୋଇଥିବା ଏହି କୋଲ୍ ବ୍ଲକ୍ରେ ୬୦୨ ମିଲିଅନ ଟନ୍ କୋଇଲା ଗଚ୍ଛିତ ରହିଥିଲାବେଳେ ପାଖାପାଖି ୩୦ ବର୍ଷ ଧରି ଏଠାରୁ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୧୧୯୬ ହେକ୍ଟର ଜମିରେ ରହିଛି ଏହି ବୈତରଣୀ ୱେଷ୍ଟ କୋଲ୍ବ୍ଲକ୍। ଏଥିରୁ ୬୪ ହେକ୍ଟର ଜଙ୍ଗଲ ଜମି। ଓଏମ୍ସିକୁ ଏହି କୋଲ୍ ବ୍ଲକ୍ ମିଳିବାପରେ ଏହା ଜଙ୍ଗଲ ଜମି ପାଇଁ ଅନୁମତି ମାଗିଥିଲା। ଏଠାରେ ସାମାଜିକ ଓ ଅର୍ଥନୈତିକ ସର୍ଭେ କରିବା ସହିତ ଜମି ଅଧିଗ୍ରହଣ ଉପରେ ଫୋକସ୍ କରିଥିଲା। ଏହାସହିତ କୋଲ୍ ବ୍ଲକ୍ ଅଞ୍ଚଳରେ ବିଭିନ୍ନ କାମ ମଧ୍ୟ କରିଥିଲା। ହେଲେ, ଏବେ ପଛକୁ ହଟିଛି ଓଏମ୍ସି। ଏହି କୋଲ୍ ବ୍ଲକ୍ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛି। ଏଥିନେଇ ବିଧିବଦ୍ଧ ଭାବେ ଜଣାଇ ଦିଆଯାଇଛି।
ଏହି କୋଲ୍ ବ୍ଲକ୍ ଅଞ୍ଚଳରେ ଗାଁ ଓ ବଜାର ରହିଥିବାରୁ ବିସ୍ଥାପନ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। କୋଇଲା ପାଇଁ ପାଖାପାଖି ୧୨ଶହ ପରିବାରକୁ ବିସ୍ଥାପନ କରିବାର ଆବଶ୍ୟକତା ରହିଥିଲା। ଏହା ସହିତ ପରୋକ୍ଷ ଭାବେ ଆଉ କିଛି ପରିବାର ପ୍ରଭାବିତ ହୋଇଥାନ୍ତେ। ତେଣୁ ଏଠାରେ ଜମି ଅଧିଗ୍ରହଣ ବିଲ୍କୁଲ ସହଜ ନ ଥିଲା। ଜମି ଅଧିଗ୍ରହଣ ସାଙ୍ଗକୁ ଅନ୍ୟାନ୍ୟ ଖର୍ଚ୍ଚ ତୁଳନାରେ ଏଠାରୁ କୋଇଲା ମିଳିବାର ସମ୍ଭାବନା ନ ଥିବାରୁ ଏହା ନିଗମ ପାଇଁ ଲାଭଜନକ ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ଏହି କୋଲ୍ ବ୍ଲକ୍ ନେବାକୁ ଓଏମ୍ସି ମନା କରିଦେଇଥିବା ଜଣାପଡ଼ିଛି। ଏହାସହିତ ଅନୁଗୁଳରେ ନିଗମ ପକ୍ଷରୁ ଖୋଲାଯାଇଥିବା କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଅପରପକ୍ଷରେ ଓଏମ୍ସି କୋଇଲା ଉତ୍ତୋଳନରୁ ଓହରିବା ପରେ ଏହି କୋଲ୍ ବ୍ଲକ୍ ପୁଣି ଅନିଶ୍ଚିତତା ଘେରକୁ ଚାଲି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/OMC.jpg)