ଗଚ୍ଛିତ ବକ୍ସାଇଟ୍‌ର ଇ-ନିଲାମ କରିବ ଓଏମ୍‌ସି, ଟନ୍ ପିଛା ୧୦୦୦ ଟଙ୍କାରେ ବିକିବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଜରିଆରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଇ-ନିଲାମ ମାଧ୍ୟମରେ ବିକ୍ରି ଲାଗି ଧାର୍ଯ୍ୟ କରାଯାଇଥିବା ସମସ୍ତ ବକ୍ସାଇଟ୍‌କୁ ଟନ୍ ପିଛା ୧୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରାଯିବ। ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦୀର୍ଘମିଆଦୀ ଲିଙ୍କେଜ୍‌ (ଏଲ୍‌ଇଟି) କ୍ରେତାମାନଙ୍କୁ ଓଏମ୍‌ସି ଏହି ସବୁ ବକ୍ସାଇଟ୍ ବିକ୍ରି କରିବ। ପରବର୍ତୀ ସମୟରେ କ୍ରେତାମାନଙ୍କୁ ପୃଥକ ମୂଲ୍ୟ ଦେବା ଲାଗି ଅଙ୍ଗୀକାର ପତ୍ର ଦେବାକୁ ପଡ଼ିବ। ଏହି ପ୍ରକ୍ରିୟା ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏକକାଳୀନ ପଦକ୍ଷେପ ଭାବେ ବିବେଚନା କରାଯିବ।

ରାଜ୍ୟରେ ପ୍ରତିଷ୍ଠିତ ଆଲୁମିନା ରୀଫାଇନାରିକୁ ଓଏମ୍‌ସି ଜରିଆରେ ବକ୍ସାଇଟ୍ ଯୋଗାଇ ଦେବା ଲାଗି ୨୦୧୮ ଫେବ୍ରୁଆରିରେ ରାଜ୍ୟ ସରକାର ଲଙ୍ଗ-ଟର୍ମ ଲିଙ୍କେଜ୍ ନୀତ‌ିରେ ସଂଶୋଧନ କରିଥିଲେ। ୨୦୧୯ରେ କେନ୍ଦ୍ର ସରକାର ଜାତୀୟ ଇ-ନିଲାମ ପାଇଁ ଧାତବ ମାନର ବକ୍ସାଇଟ୍‌ର ହାରାହାରି ବିକ୍ରି ମୂଲ୍ୟ ହିସାବ ସୂତ୍ରରେ ସଂଶୋଧନ କରିଥିଲେ। ସେହି ସଂଶୋଧନକୁ ବିରୋଧ କରି ଏଲ୍‌ଟିଇ କେତ୍ରାମାନେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାରାହାରି ବିକ୍ରି ମୂଲ୍ୟ ସଂଶୋଧନ ପରେ ୨୦୨୦ ଅଗଷ୍ଟ ୩୧ରେ ଓଏମ୍‌ସି ଯେଉଁ ଇ-ନିଲାମ କରିଥିଲେ ସେଥିରେ କୌଣସି ନିଲାମଧାରୀ ଅଂଶଗ୍ରହଣ କରିନଥିଲେ। ହାଇକୋର୍ଟଙ୍କ ଦ୍ବାରା ପାରିତ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ବିଚାରକୁ ନେଇ ଏବଂ ପୂର୍ବରୁ ଉତ୍ତୋଳନ ହୋଇ ଗଚ୍ଛିତ ରହିଥିବା ବକ୍ସାଇଟ୍‌ ଯେଭଳି ନଷ୍ଟ ନହୁଏ ତାହା ନିଶ୍ଚିତ କରିବା ଲାଗି ସେହି ବକ୍ସାଇଟ୍‌ଗୁଡ଼ିକୁ ନିଲାମ କରିବାକୁ ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର