ଓଡ଼ିଶାକୁ ନେଇ ଅନଲାଇନ୍ ଗେମିଂ ସଂସ୍ଥା ଆଶାବାଦୀ
ଭୁବନେଶ୍ବର: କୌଶଳ ଭିତ୍ତିକ ଅନ୍ଲାଇନ୍ ଗେମ୍ ବିକଶିତ କରୁଥିବା ସଂସ୍ଥାଗୁଡ଼ିକ ଓଡ଼ିଶା ବଜାରକୁ ନେଇ ବେଶ ଆଶାବାଦୀ ରହିଛନ୍ତି। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ କୌଶଳ ଭିତ୍ତିକ ଗେମ୍ଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାରେ କିନ୍ତୁ ଏପର୍ଯ୍ୟନ୍ତ ସେଭଳି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ସେଥିପାଇଁ ଦେଶର ପ୍ରମୁଖ ଗେମିଂ ସଂସ୍ଥା ଯଥା ଡ୍ରିମ୍ ୧୧, ଗେମସ୍ ୨୪x୭, ପେଟିଏମ୍ ଗେମ୍ସ, ଏମ୍ପିଏଲ୍ ଆଦି ରାଜ୍ୟରେ ଆଇନଗତ ଭାବେ ପ୍ରବେଶ କରିବାର ଅନୁମତି ପାଉନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସମ୍ପର୍କରେ ‘ସମ୍ବାଦ’ ସହ ଆଲୋଚନା କରି ଗେମ୍ସ ୨୪x୭ ଉପସଭାପତି ଦିନ୍କର ବଶିଷ୍ଟ କହିଛନ୍ତି ଯେ ଓଡ଼ିଶାରେ ଏବେ କୌଶଳ ଭିତ୍ତିକ ଗେମ୍ ପାଇଁ ନିୟମରେ କୌଣସି ନିର୍ଦିଷ୍ଟ ବ୍ୟବସ୍ଥା ନାହିଁ। ଗ୍ୟାମ୍ବଲିଂ ଆକ୍ଟ ଅଧୀନରେ ମଧ୍ୟ ଏହାକୁ ରିହାତି ଦିଆଯାଇନାହିଁ। ଫଳରେ ଏକ ଆଇଟି ହବ୍ ଭାବେ ଜଣାଶୁଣା ହୋଇଥିଲେ ମଧ୍ୟ ଓଡ଼ିଶାକୁ ଗେମିଂ ସଂସ୍ଥାଗୁଡ଼ିକର ପୁଞ୍ଜିନିବେଶ ଆସିପାରୁନାହିଁ। ଅନ୍ଲାଇନ୍ ଗେମିଂ ଏକ ବହୁତ ବଡ଼ ବଜାର ଭାବେ ଉଭା ହୋଇଛି। ନେଟ୍ଫ୍ଲିକ୍ସ ଭଳି ସଂସ୍ଥା ଏହି କ୍ଷେତ୍ରରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗେମିଂ କ୍ଷେତ୍ରର ଅର୍ଥନୀତି ପ୍ରତି ରହିଥିବା ଭୂମିକା ବିଷୟରେ ଆଲୋକପାତ କରିଛନ୍ତି। ଅନଲାଇନ୍ ଗେମିଂକୁ ଅନୁମତି ଦେଲେ ସେମିକଣ୍ଡକ୍ଟର, ଗ୍ରାଫିକ୍ସ, ଇମେଜିଂ, ଫିନ୍ଟେକ୍ ଆଦି କ୍ଷେତ୍ର ମଧ୍ୟ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଇଜିଏଫ୍ ଇଣ୍ଡିଆର ସିଇଓ ସମୀର ବର୍ଦେ କହିଛନ୍ତି ଯେ ଅନଲାଇନ୍ କୌଶଳ ଗେମିଂ ପାଇଁ ଏକ ନିର୍ଦିଷ୍ଟ ନୀତି ରହିଲେ ତାହା ଦ୍ବାରା ଶିଳ୍ପ, ସରକାର ଏବଂ ବ୍ୟବହାରକାରୀ ସମସ୍ତେ ଉପକୃତ ହୋଇପାରିବେ। ଗେମିଂ ଶିଳ୍ପ କେବଳ ମନୋରଂଜନ ପ୍ରଦାନ କରେ ନାହିଁ ବରଂ ଏହା ଖେଳାଳୀଙ୍କ ସ୍ବାର୍ଥକୁ ମଧ୍ୟ ରକ୍ଷା କରୁଛି ବୋଲି ସେ କହିଛନ୍ତି।
ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ସରକାର ଅନଲାଇନ୍ ସ୍କିଲ୍ ଗେମିଂ ପାଇଁ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରୁଛନ୍ତି। ଆଉ କେତେକ ରାଜ୍ୟ ମଧ୍ୟ ଏଭଳି ନୀତି ଆଣିବା ବିଷୟରେ ବିଚାର କରୁଛନ୍ତି। ଯେଉଁ ସବୁ ରାଜ୍ୟରେ ଗ୍ୟାମ୍ବଲିଂ ବା ଜୁଆ ଭଳି କାର୍ଯ୍ୟକଳାପ ଉପରେ କଟକଣା ଲଗାଇବା ଲାଗି ଆଇନ ରହିଛି ସେହି ନୀତିରେ ସେମାନେ ସ୍କିଲ୍ ଗେମିଂକୁ ରିହାତି ପ୍ରଦାନ କରିଛନ୍ତି। ଓଡ଼ିଶା ଗ୍ୟାମ୍ବଲିଂ ଆକ୍ଟରେ କିନ୍ତୁ ସେଭଳି କୌଣସି ରିହାତିର ବ୍ୟବସ୍ଥା ନାହିଁ। ସର୍ବଭାରତୀୟ ସ୍ତରରେ ଅନଲାଇନ ଗେମିଂ ବଜାର ଚକ୍ରବୃଦ୍ଧି ଭାବେ ୪୦% ହାରରେ ଆଗକୁ ବଢ଼ୁଛି। ୨୦୨୨ ସୁଦ୍ଧା ଏହି ବଜାର ପରିମାଣ ୨୮୦ କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି। ଏହି ଶିଳ୍ପରେ ପ୍ରତ୍ୟକ୍ଷ ଭାବେ ୪୫ ହଜାର ଲୋକ ନିଯୁକ୍ତ ହୋଇଛନ୍ତି। ଗତ ସାତ ବର୍ଷରେ ଟାଇଗର୍ ଗ୍ଲୋବାଲ୍, ସେକୋଇଆ, ରେନି କ୍ୟାପିଟାଲ୍, କ୍ରିସ୍କ୍ୟାପିଟାଲ୍, ଟିପିଜି, କାଲାରି ଓ ମ୍ୟାଟ୍ରିକ୍ସ ଭଳି ଆନ୍ତର୍ଜାତିକ ନିବେଶକ ଭାରତୀୟ ଗେମିଂ ବଜାରରେ ୧୨୦ କୋଟି ଡଲାର ନିବେଶ କରିଛନ୍ତି।