ଜୁଲାଇରେ ମିଳିବ ବକେୟା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ବକେୟା ଥିବା ମହଙ୍ଗା ଭତ୍ତା ଜୁଲାଇ ସୁଦ୍ଧା ମିଳିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମହଙ୍ଗା ଭତ୍ତାର ତିନିଟି କିସ୍ତିକୁ ସ୍ଥଗିତ ରଖିଥିଲେ। ୨୦୨୦ ଜାନୁଆରି ୧, ଜୁଲାଇ ୧ ଏବଂ ୨୦୨୧ ଜାନୁଆରିରେ ମିଳିବାକୁ ଥିବା ମହଙ୍ଗା ଭତ୍ତାକୁ ସ୍ଥଗିତ ରଖାଯାଇଥିଲା। ବକେୟା କିସ୍ତି ଜୁଲାଇ ୧ରେ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟସଭାରେ ଉତ୍ତର ରଖି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମହଙ୍ଗା ଭତ୍ତା ସ୍ଥଗିତ ରଖିବା ଦ୍ବାରା ୩୭,୪୩୦.୦୮ କୋଟି ଟଙ୍କା ସଞ୍ଚୟ ହୋଇଥିଲା। ସେହି ଟଙ୍କା କୋଭିଡ୍‌-୧୯ ମହାମାରୀକୁ ପରିଚାଳନା କରିବାରେ ସହାୟକ ହୋଇଥିଲା। ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ତାହାକୁ ୪% ବଢ଼ାଇ ୨୧% କରିବା ଲାଗି ଗତବର୍ଷ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଥିଲା। ‌ସେହି ନିଷ୍ପତ୍ତି ୨୦୨୧ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବାର ଥିଲା। ମାତ୍ର ଗତବର୍ଷ ଏପ୍ରିଲ୍‌ରେ ଅର୍ଥ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା। ଫଳରେ କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୧ ଲକ୍ଷ ପେନ୍‌ସନ୍‌ଭୋଗୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର