‘ପାଣ୍ଡୋରା ପେପର୍ସ’ରେ ଧନୀଙ୍କ କଳା ସାମ୍ରାଜ୍ୟର ପର୍ଦାଫାସ: ୩୦୦ ଭାରତୀୟଙ୍କ ଅଡ଼ୁଆ ବଢ଼ିବ

ବିଦେଶର ଅନିଲ ଅମ୍ବାନି, ଟୋନି ବ୍ଲେୟାର, ଇମ୍‌ରାନ୍ ଖାନ୍‌ଙ୍କ ଗୁପ୍ତ ସମ୍ପତ୍ତି

ନୂଆଦିଲ୍ଲୀ: ଗୁପ୍ତ ସମ୍ପତ୍ତି ରଖିଥିବା ଓ ବେଆଇନ ଉପାୟରେ ନିବେଶ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ବର ‌ଅନେକ ଚର୍ଚ୍ଚିତ ନେତା, ବ୍ୟବସାୟୀ ଓ ଧନୀ ବ୍ୟକ୍ତିମାନଙ୍କ ତାଲିକା ଆଜି ଜାରି କରାଯାଇଛି। ‘ପାଣ୍ଡୋରା ପେପର୍ସ’ ନାମରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ୩୦୦ରୁ ଅଧିକ ଭାରତୀୟଙ୍କ ନାମ ରହିଛି। ଏଡିଏଜିର ମୁଖ୍ୟ ଅନିଲ ଅମ୍ବାନି, ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ଙ୍କ ସ୍ବାମୀଙ୍କ ନାମ ଏହି ତାଲିକାରେ ରହିଛି। ଏହା ବ୍ୟତୀତ କିଛି ପୂର୍ବତନ ସାଂସଦ, ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଭଉଣୀଙ୍କ ଓ ତଦନ୍ତ ଏଜେନ୍ସିକୁ ସାମ୍ନା କରୁଥିବା କିଛି ବ୍ୟକ୍ତିଙ୍କ ନାମ ଏହି ରିପୋର୍ଟରେ ରହିଛି। ପାନାମା ପେପର୍ସ ଭଳି ପାଣ୍ଡୋରା ପେପର୍ସ ମଧ୍ୟ ସାରା ବିଶ୍ବରେ ହଟଚମଟ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। ଯେଉଁ ଭାରତୀୟଙ୍କ ନାମ ଏଥିରେ ରହିଛି ସେମାନଙ୍କ ଅଡ଼ୁଆ ବଢ଼ିବ।

ପାଣ୍ଡୋରା ପେପର୍ସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍‌ରାନ୍ ଖାନଙ୍କ ସମ୍ପର୍କୀୟ, ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଜୋର୍ଡାନ୍‌ର ରାଜା; ୟୁକ୍ରେନ, କେନିଆ, ଓ ଇକ୍ବେଡରର ରାଷ୍ଟ୍ରପତି ଓ ଚେକ୍‌ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ରଖିଥିବା ଗୁପ୍ତ ସମ୍ପତ୍ତି ସମ୍ପର୍କରେ ସୂଚନା ରହିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ନିକଟ ସମ୍ପର୍କୀୟ ଓ ପିଲାଦିନର ସାଙ୍ଗମାନଙ୍କ ନାମ ମଧ୍ୟ ଏହି ରିପୋର୍ଟରେ ରହିଛି। ୨୦୧୬ରେ ପାନାମା ପେପର୍ସ ଜାରି କରିଥିବା ସଂସ୍ଥା ‘ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ କନସୋର୍ଟିୟମ୍ ’(ଆଇସିଆଇଜେ) ପକ୍ଷରୁ ଆଜି ‘ପାଣ୍ଡୋରା ପେପର୍ସ’କୁ ଜାରି କରାଯାଇଛି। ଏଥିପାଇଁ ସାରା ଦୁନିଆର ୧୨ କୋଟି ଦସ୍ତାବିଜକୁ ଯାଞ୍ଚ କରାଯାଇଛି। ୧୧୭ଟି ଦେଶର ୬୦୦ ସାମ୍ବାଦିକ ଏହି ତଦନ୍ତରେ ସାମିଲ ଥିଲେ। ଆର୍ଥିକ କ୍ଷେତ୍ରର ଏହା ସବୁଠୁ ବଡ଼ ପର୍ଦାଫାସ ବୋଲି ଆଇସିଆଇଜେ ଦାବି କରିଛି।

ପାଣ୍ଡୋରା ପେପର୍ସରେ ଉଲ୍ଲେଖ ରହିଛି‌ ଯେ ବ୍ରିଟେନ୍‌ କୋର୍ଟରେ ଦେବାଳିଆ ଘୋଷିତ ଅନିଲ ଅମ୍ବାନିଙ୍କ ବିଦେଶରେ ୧୮ ସମ୍ପତ୍ତି ରହିଛି। ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ଙ୍କ ସ୍ବାମୀ ଏଭଳି ଜଣେ ବ୍ୟକ୍ତିଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ କରିଛନ୍ତି ଯାହାଙ୍କ ଉପରେ ଇନସାଇଡର୍‌ ଟ୍ରେଡିଂ ଅଭିଯୋଗରେ ସେବି ପ୍ରତିବନ୍ଧକ ଲଗାଇଥିଲା। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀ ଭାରତ ଛାଡ଼ିବାର ଏକ ମାସ ପୂର୍ବରୁ ତାଙ୍କ ଭଉଣୀ ମଧ୍ୟ ଏକ ଟ୍ରଷ୍ଟ ଗଠନ କରିଥିଲେ ବୋଲି ଜଣାପଡ଼ିଛି। ୨୦୧୬ରେ ପାନାମା ପେପର୍ସ ଜାରି ହେବା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ବିଦେଶୀ ସଂସ୍ଥାକୁ ପୁନର୍ଗଠିତ କରିଥିଲେ ବୋଲି ପାଣ୍ଡୋରା ପେପର୍ସରେ ଦାବି କରାଯାଇଛି। ପାନାମା ଲିକ୍‌ ପରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ବିଦେଶୀ ସଂସ୍ଥାକୁ ବନ୍ଦ କରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଉଲ୍ଳେଖ ରହିଛି ଯେ ଜୋର୍ଡାନ୍‌ର ରାଜା ଅବଦ୍ଦୁଲା ଦ୍ବିତୀୟ ଆମେରିକା ଓ ବ୍ରିଟେନ୍‌ରେ ୧୦୦ ନିୟୁତ ଡଲାରରୁ ଅଧିକ ଗୁପ୍ତ ସମ୍ପତ୍ତି ରଖିଛନ୍ତି। ମାଲିବୁରେ ତାଙ୍କର ସମୁଦ୍ର ଆଡ଼କୁ ମୁହଁ କରିଥିବା ଏକ ବିଶାଳ ଘର ରହିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍‌ରାନ୍ ଖାନ୍, ତାଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ ଓ ସେମାନଙ୍କ ପରିବାରବର୍ଗ ବିଭିନ୍ନ ଗୁପ୍ତ କଂପାନି ଓ ଟ୍ରଷ୍ଟ ଜରିଆରେ କୋଟି କୋଟି ଡଲାରର ବେଆଇନ ସମ୍ପତ୍ତି ରଖିଛନ୍ତି। ଏଥିରେ ପାକିସ୍ତାନର ଅର୍ଥମନ୍ତ୍ରୀ ସୌକତ ତରିନ୍‌ଙ୍କ ନାମ ରହିଛି। ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଓ ତାଙ୍କ ପତ୍ନୀ ଏକ ସମ୍ପତ୍ତି କିଣିବା ବେଳେ ୩୧୨,୦୦୦ ପାଉଣ୍ଡ୍‌ର ଷ୍ଟାମ୍ପ୍ ଡ୍ୟୁଟି ସଞ୍ଚୟ କରିଥିଲେ। ବ୍ୟବସ୍ଥାରେ ଥିବା ଛିଦ୍ରର ସେମାନେ ଫାଇଦା ଉଠାଇଥିଲେ ବୋଲି ପାଣ୍ଡୋରା ପେପର୍ସରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର