ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଚୀନ୍ର କଂପାନି ଭିଭୋ, ଓପୋ, ଶାଓମି ଓ ୱାନ୍ପ୍ଲସ୍ର ଆଧିପତ୍ୟ ରହିଛି। ଭାରତରେ ବିକ୍ରି ହେଉଥିବା ୫୦% ଫୋନ୍ ଏହି କଂପାନିଗୁଡ଼ିକ ବିକ୍ରି କରୁଛନ୍ତି। ନିଜ ଫୋନ୍ରେ ସେମାନେ ବ୍ୟବହାର କରୁଥିବା ଉପକରଣ, ପାର୍ଟସ୍ ଓ ନିଜ ଆଡ଼ୁ ଇନ୍ଷ୍ଟଲ୍ କରୁଥିବା ଆପ୍ଗୁଡ଼ିକୁ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଚୀନ୍ କଂପାନିଗୁଡ଼ିକ ବିକ୍ରି କରୁଥିବା ଫୋନ୍ ଭାରତୀୟ ଗ୍ରାହକଙ୍କ ପାଇଁ ସୁରକ୍ଷିତ ନା ନାହିଁ ତାହା ସରକାର ଜାଣିବାକୁ ଚାହୁଛନ୍ତି। ଫୋନ୍ରେ ଯେଉଁ ପାର୍ଟସ୍ ଓ ଉପକରଣ ବ୍ୟବହାର କରାଯାଉଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଦେବା ଲାଗି ଚୀନ୍ର କଂପାନିଗୁଡ଼ିକୁ ସରକାର କହିଛନ୍ତି। ଏଥିପାଇଁ ସେମାନଙ୍କୁ ନୋଟିସ୍ ଜାରି କରାଯାଇଛି। ତଥ୍ୟ ପାଇବା ପରେ ସେମାନେ ତିଆରି କରୁଥିବା ଫୋନ୍ଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରିବା ବିଷୟରେ ସରକାର ବିଚାର କରୁଛନ୍ତି।
ଗତବର୍ଷ ଲଦାଖ୍ର ଗଲ୍ୱାନ୍ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ପ୍ରତିଶୋଧ ପରାୟଣ ହୋଇ ଭାରତ ସରକାର ଅର୍ଥନୈତିକ ପଦକ୍ଷେପ ସ୍ବରୂପ ଟିକ୍ଟକ୍ ସମେତ ଚୀନ୍ର ଅନେକ ଲୋକପ୍ରିୟ ଆପ୍କୁ ନିଷିଦ୍ଧ ଘୋଷଣା କରିଥିଲେ। ଏବେ ଚୀନ୍ର ସ୍ମାର୍ଟଫୋନ୍ କଂପାନିଗୁଡ଼ିକ ଉପରେ ସରକାର ନଜର ପକାଇଛନ୍ତି। ଚୀନ୍ର ଫୋନ୍ କଂପାନିଗୁଡ଼ିକ ଭାରତରେ କାରଖାନା ସ୍ଥାପନ କରି ଫୋନ୍ ତିଆରି କରୁଛନ୍ତି ଏବଂ ସେଗୁଡ଼ିକୁ ଭାରତୀୟ ଫୋନ୍ ଭାବେ ଉପସ୍ଥାପନ କରି ବିକ୍ରି କରୁଛନ୍ତି। ଓପୋ, ଭିଭୋ, ଆଇକ୍ୟୁ, ଶାଓମି ଭଳି କଂପାନି ଭାରତରେ ବିପୁଳ ପରିମାଣର ନିବେଶ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେମାନେ ନିଜ ପ୍ରତିଶ୍ରୁତିକୁ ଶତ ପ୍ରତିଶତ ପାଳନ କରିନାହାନ୍ତି। ସେଥିପାଇଁ ସେମାନଙ୍କୁ ନେଇ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଚୀନ୍ କଂପାନିଗୁଡ଼ିକ ଉପରେ ନଜର ରଖିବା ଲାଗି ଭାରତ ସରକାରଙ୍କ ଯେଉଁ ବଡ଼ ଧରଣର ଯୋଜନା ରହିଛି ତାହାର ଅଂଶ ସ୍ବରୂପ ଫୋନ୍ କଂପାନିଗୁଡ଼ିକୁ ନୋଟିସ୍ ପଠାଯାଇଛି। ହୁୱେଇ ଓ ଏଚ୍ଟିଇ ଭଳି ଚୀନ୍ କଂପାନିର ଟେଲିକମ୍ ଯନ୍ତ୍ରାଂଶ, ହାର୍ଡଓୟାର ଓ ଫୋନ୍ରେ ପୂର୍ବରୁ ଇନଷ୍ଟଲ୍ ହେଉଥିବା ସଫ୍ଟଓୟାରର ସମ୍ପୂର୍ଣ୍ଣ ବିବରଣୀ ହାସଲ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ସରକାରଙ୍କ ଠାରୁ ନୋଟିସ୍ ପାଇବା ପରେ ଚୀନ୍ର ଫୋନ୍ କଂପାନିଗୁଡ଼ିକ ଚିନ୍ତିତ ହୋଇପଡ଼ିଥିବା କୁହାଯାଉଛି। କାରଣ ଏଭଳି ନୋଟିସ୍ ପଛରେ ସରକାରଙ୍କ କ’ଣ ଉଦ୍ଦେଶ୍ୟ ରହିଛି ଏବଂ ଆଗକୁ କିଭଳି ପଦକ୍ଷେପ ଗ୍ରହଣ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/phone-1.jpg)