ବଢ଼ୁଛି ପରଫ୍ୟୁମ୍‌ ବଜାର: ୨୦୦ ଟଙ୍କାରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ୍, ମହିଳା ଓ ପୁରୁଷଙ୍କ ପାଇଁ ଅଲଗା

ଭୁବନେଶ୍ବର: ଶରୀରର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଅନେକ ସମୟରେ ଅଧିକାଂଶ ବ୍ୟକ୍ତି ଡିଓଡୋରାଣ୍ଟ, ଅତର, ପରଫ୍ୟୁମ୍‌ ଏବଂ କଲୋନ ଭଳି ଏକାଧିକ ସୁଗନ୍ଧିତ ଉତ୍ପାଦ ବ୍ୟବହାର କରୁଛନ୍ତି। ଉଦାରୀକରଣ ଏବଂ ବଜାର ଅର୍ଥନୀତିର ପ୍ରସାର ପରେ ଏହି ଉତ୍ପାଦଗୁଡ଼ିକର ବହୁଳ ବ୍ୟବହାର ହେଉଛି। ଏକ ଆକଳନ ଅନୁଯାୟୀ ଡିଓଡୋରାଣ୍ଟର ବଜାର ସର୍ବାଧିକ ୬୦ ପ୍ରତିଶତ ପାଖାପାଖି ଥିବାବେଳେ ଏହା ପଛକୁ ପରଫ୍ୟୁମ୍‌ ବଜାର (୩୨ ପ୍ରତିଶତ) ରହିଛି। ୨୦୧୯ରେ ଏସବୁ ଉତ୍ପାଦର ବଜାରଆକାର ୬୬୫୮ କୋଟି ଟଙ୍କା ଥିବାବେଳେ ୨୦୨୪ ମସିହା ବେଳକୁ ୧୩୯୪୪ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ତେବେ ପରଫ୍ୟୁମର ଲୋକପ୍ରିୟତା ବଢ଼ୁଥିବାରୁ କମ୍ପାନି ଗୁଡ଼ିକ ଏସବୁକୁ ଲୋକଙ୍କୁ ସୁହାଇବା ଭଳି ମୂଲ୍ୟରେ ଏବଂ ବିଭିନ୍ନ ମିଲିଗ୍ରାମରେ ବଜାରକୁ ଆଣୁଛନ୍ତି। ଛୋଟ ପ୍ୟାକେଟ୍‌ରେ ସ୍ପିଞ୍ଜ୍‌ ବ୍ରାଣ୍ଡ୍‌ର ପରଫ୍ୟୁମ୍‌ ମଧ୍ୟ ଉପଲବ୍ଧ କଲାଣି।

ପୂର୍ବରୁ ଲୋକମାନେ ସାଧାରଣତଃ ବଡ଼ ବଡ଼ ସହରକୁ ଗଲେ ‌ପରଫ୍ୟୁମ୍ କିଣୁଥିଲେ। କିମ୍ବା ବାହାରେ ଚାକିରି କରିଥିବା କେହି ବ୍ୟକ୍ତି ଘରକୁ ଆସିଲେ ଏହାକୁ କିଣି ଆଣିଥାନ୍ତି। ବିବାହ, ବ୍ରତ, ସଭା ସମିତି ଭଳି ପାରିବାରିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବ୍ୟକ୍ତିମାନେ ପରଫ୍ୟୁମ ବ୍ୟବହାର କରିଥାନ୍ତି। ତେବେ ଏବେ ଓଡ଼ିଶାର ପ୍ରାୟ ସବୁ ସହର ଏବଂ ଗ୍ରାମାଞ୍ଚଳର ଦୋକାନ ଗୁଡ଼ିକରେ ନାମୀଦାମୀ ବ୍ରାଣ୍ଡ୍‌ର ପରଫ୍ୟୁମ୍‌ ମିଳୁଛି। ପୂର୍ବରୁ ଯାହାକୁ ବିଦେଶରୁ ଆମଦାନି କରିବାକୁ ପଡ଼ୁଥିଲା କିମ୍ବା ବମ୍ବେ, ଦିଲ୍ଲୀ, କଲିକତା ଭଳି ମହାନଗରୀରୁ ଆଣିବାକୁ ହେଉଥିଲା ମଲ୍ ସଂସ୍କୃତି ଏବଂ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ତାହା ଏବେ ଓଡ଼ିଶାରେ ମିଳିଯାଉଛି। ଏପରିକି ପରଫ୍ୟୁମ୍‌ ଓ ଡିଓଡୋରାଣ୍ଟର ସ୍ବତନ୍ତ୍ର ସୋ’ରୁମ୍ ମଧ୍ୟ ରାଜଧାନୀର କେତେକ ସ୍ଥାନରେ ଖୋଲିଲାଣି।

ମହିଳା ଓ ପୁରୁଷଙ୍କ ପାଇଁ ଅଲଗା
ପର୍‌ଫ୍ୟୁମର ବ୍ୟବହାର ପାଇଁ ଯଦିଓ କୌଣସି ଧରାବନ୍ଧା ନିୟମ ନାହିଁ ତଥାପି ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି କମ୍ପାନି ଗୁଡ଼ିକ ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ବ୍ରାଣ୍ଡ୍‌ର ଉତ୍ପାଦ ଉପଲବ୍ଧ କରାଇଛନ୍ତି। ଗ୍ରାହକମାନେ ସେମାନଙ୍କ ରୁଚି ଅନୁସାରେ ପର୍‌ଫ୍ୟୁମ୍ ଚୟନ କରୁଥିଲେ ମଧ୍ୟ ହାଲ୍‌କା ବାସ୍ନା ଥିବା ପରଫ୍ୟୁମକୁ ଆଧୁନିକ ମହିଳାମାନେ ଅଧିକ ପସନ୍ଦ କରୁଥିବାବେଳେ ପୁରୁଷମାନେ ଅଧିକ ସୁଗନ୍ଧଯୁକ୍ତ ପରଫ୍ୟୁମକୁ ପସନ୍ଦ କରୁଛନ୍ତି। ସେହିଭଳି ଋତୁ ଅନୁସାରେ ମଧ୍ୟ ଗ୍ରାହକଙ୍କ ପସନ୍ଦ ଭିନ୍ନ ଭିନ୍ନ ରହୁଛି। ଖରାଦିନ ପାଇଁ ଅଲଗା ଏବଂ ଶୀତ ଦିନ ପାଇଁ ଅଲଗା ପରଫ୍ୟୁମ୍ ଗ୍ରାହକମାନେ କିଣୁଛନ୍ତି। ଏହାସତ୍ତ୍ବେ ପୁରୁଷଙ୍କ ପାଇଁ ଭର୍ସାଚି ଇରୋସ୍‌, ପାକୋ ରାବାନି, ବୁଲଗେରି, ହ୍ୟୁଗୋ ବସ୍‌, ଅରମାନି ଆକ୍ବା ଭଳି ବ୍ରାଣ୍ଡ୍ ରହିଛି। ସେହିଭଳି ମହିଳାଙ୍କ ପାଇଁ କାରାଲିନା ଗୁଡ୍ ଗାର୍ଲ, ପାସୋ ରାବାନି ଲେଡି ମିଲିଅନ, ବସ୍ ଫ୍ଲେମ୍, ବର୍‌ବେରି ବ୍ଲକ୍ ଭଳି ବ୍ରାଣ୍ଡ୍ ବଜାରରେ ସ୍ବତନ୍ତ୍ର ଭାବେ ମିଳୁଛି।

୨୦୦ ଟଙ୍କାରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ୍
ରିୟା ଠାରୁ ଆରମ୍ଭ କରି ଡେନଭର, ୱାଇଲ୍ଡ ଷ୍ଟୋନ, ଆଡିଡାସ, ସିଗାର, ‌ହାବକ, ଜାଗୁଆର, ଡେଭିଡଅଫ, କାଲଭିନ କ୍ଲିନ, ଭର୍ସାଚି, ‌ଲାକୋଷ୍ଟେ, ବ୍ଲୁ ଲେଡି, ନାଇକ, ଜୋଭାନ ମସ୍କ, ମ୍ୟାଗ୍ନିଫିସେଣ୍ଟ, ଆକ୍ସ,ଜର୍ଜ ଅର୍‌ମାନି, ଆରମକ, ଆଜାରୋ, ଭିକ୍ଟୋରିଆ ସିକ୍ରେଟ, ରୟାଲ ମିରେଜ, ସ୍ପଟ ବ୍ଲୁ, ୟୁନାଇଟେଡ କଲର୍ସ ଅଫ ବେନିଟନ, ପୋଲିସ, ଗେସ୍, ରାଲଫ୍ ଲାଉରେନ୍, ଡିଜେଲ, ମଣ୍ଟ୍‌ ବ୍ଲାଙ୍କ ଆଦି ଏକାଧିକ ବ୍ରାଣ୍ଡ୍‌ର ପରଫ୍ୟୁମ୍ ଏବେ ଭୁବନେଶ୍ବର ବଜାରରେ ଉପଲବ୍ଧ ହେଉଛି। ଏଗୁଡ଼ିକର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ କରି ୮୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ନିଷ୍ଠୁରତା ନିରୋଧୀ ପରଫ୍ୟୁମ୍‌
ପରଫ୍ୟୁମ୍ ପ୍ରସ୍ତୁତ ସମୟରେ ମୃଗ ଭଳି ପ୍ରାଣୀଙ୍କ ଶରୀରରୁ ବାହାରୁଥିବା କସ୍ତୁରିକୁ କଞ୍ଚାମାଲଭାବେ ବ୍ୟବହାର କରାଯାଇଥାଏ। ଏପରିକି କେତେକ ପ୍ରାଣୀଙ୍କ ଶରୀରରେ ଏହି ଉତ୍ପାଦର ପରୀକ୍ଷାନିରୀକ୍ଷା ମଧ୍ୟ କରାଯାଇଥାଏ। ଏହା ପ୍ରାଣୀଙ୍କ ପ୍ରତି ନିଷ୍ଠୁରତା ବୋଲି ଅନେକ ବିବେଚନା କରନ୍ତି। ‌ଏହାକୁ ଦୃଷ୍ଟିରେ ରଖି କେତେକ କମ୍ପାନି ନୂଆ ପ୍ରକାର ପରଫ୍ୟୁମର ବିକାଶ କରିଛନ୍ତି। ଭୁବନେଶ୍ବର ବଜାରରେ ମଧ୍ୟ ତାହାର ସୋରୁମ୍ ଖୋଲିଲାଣି। ଜୈବିକ ଉତ୍ପାଦ, ଫୁଲ ଏବଂ ସିନ୍ଥେଟିକ୍ ମସ୍କରୁ ଏହି ନୂଆ ଉତ୍ପାଦ ପ୍ରସ୍ତୁତ ହେଉଛି। ଏହି ନୂଆ ପରଫ୍ୟୁମର ଦାମ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୩୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଆୟ ଓ ବ୍ୟକ୍ତିତ୍ବ ବୃଦ୍ଧି
ଲୋକଙ୍କ ବ୍ୟକ୍ତିଗତ ଆୟବୃଦ୍ଧି ପର୍‌ଫ୍ୟୁମ ବ୍ୟବହାର ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏଥିସହିତ ସମାଜରେ ଅନ୍ୟ ଲୋକଙ୍କ ସହ ମିଶିବା ସମୟରେ ନିଜର ଏକ ଭିନ୍ନ ବ୍ୟକ୍ତିତ୍ବ ସୃଷ୍ଟି କରିବା ଲକ୍ଷ୍ୟରେ ଲୋକମାନେ, ବିଶେଷକରି ଯୁବବର୍ଗ, ପର୍‌ଫ୍ୟୁମ୍‌ ପୋଷାକରେ ପକାଇଥାନ୍ତି। ଏଥିସହିତ ଲୋକମାନେ ସ୍ମାର୍ଟଫୋନ୍ ବ୍ୟବହାର କରିବା ସହିତ ସେମାନଙ୍କ ହାତ ପାଆନ୍ତରେ ଇଣ୍ଟରନେଟ୍ ଉପଲବ୍ଧ ହେଉଥିବାରୁ ଘରେ ବସି ଅନଲାଇନରେ ମଧ୍ୟ ଏସବୁ ସାମଗ୍ରୀ କିଣାଯାଇ ପାରୁଛି। ତେଣୁ ବଜାରରେ ପର୍‌ଫ୍ୟୁମ୍‌ର ବିକ୍ରି ବଢ଼ୁଛି। ଭୁବନେଶ୍ବରରେ ପରଫ୍ୟୁମ୍‌ ସବୁ ସ୍ଥାନରେ ମିଳୁଛି। ବିଭିନ୍ନ ଦୋକାନ ସମେତ ହାଟ, ମାର୍କେଟ ବିଲ୍‌ଡିଂ ଆଦି ସ୍ଥାନରେ ଏଥିପାଇଁ ଏକାଧିକ ଦୋକାନ ରହିଛି। ମଲ୍ ଗୁଡ଼ିକରେ ଏଗୁଡ଼ିକର ବିକ୍ରି ପାଇଁ ସ୍ବତନ୍ତ୍ର ଷ୍ଟଲ ଏବଂ ସୋ’ରୁମ୍ ଖୋଲିଛି। ଯେପରିକି ଏସପ୍ଲାନେଡ୍‌ ୱାନ୍‌ ମଲ୍‌ ପରିସରରେ ନେଫାରିୟସ ପର୍‌ଫ୍ୟୁମ, ନାଇକା, ପରଫ୍ୟୁମ ଗ୍ୟାଲେରି ଏବଂ ଲାଇଫ୍‌ଷ୍ଟାଇଲ ଭଳି ସୋ’ରୁମ୍ ରହିଛି ଯେଉଁଠି ଏକାଧିକ ବ୍ରାଣ୍ଡ୍‌ ଓ ମୂଲ୍ୟର ପର୍‌ଫ୍ୟୁମ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର