ନୂଆଦିଲ୍ଲୀ: ଦୀପାବଳି ସମୟରେ କମ୍ପାନିଗୁଡ଼ିକ କର୍ମଚାରୀମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଓ ବୋନସ ଆଦି ଦେଇଥାନ୍ତି। ତେବେ କିଛି କମ୍ପାନି ଗତ କିଛିବର୍ଷ କର୍ମଚାରୀଙ୍କୁ ଦାମୀ କାର୍ ଆଦି ଉପହାର ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏହି କ୍ରମରେ ଚଳିତବର୍ଷ ହରିୟାଣା ପଂଚକୁଲାସ୍ଥିତ ଔଷଧ କମ୍ପାନି ମିଟ୍ସ ହେଲଥକେୟାର ଏହାର ୧୨ ଜଣ କର୍ମଚାରୀଙ୍କୁ କାର୍ ପ୍ରଦାନ କରିଛି ବୋଲି ଏଏନଆଇ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଏହାସହିତ କମ୍ପାନି ଆଉ ୩୮ ଜଣଙ୍କୁ ମଧ୍ୟ କାର୍ ପ୍ରଦାନ କରିବ। ଅର୍ଥାତ୍ କମ୍ପାନି ମୋଟ ୫୦ ଜଣଙ୍କୁ କାର୍ ପ୍ରଦାନ କରିବ। ଉତ୍ତମ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ କମ୍ପାନି କାର୍ ଦେଉଛି। କମ୍ପାନିର ନିର୍ଦ୍ଦେଶକ ତଥା ମାଲିକ ଏମ୍କେ ଭାଟିଆଙ୍କ କହିବାନୁଯାୟୀ, ଭଲ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ କମ୍ପାନି ସେଲିବ୍ରିଟି କିମ୍ବା ତାରକାଙ୍କ ଭଳି ଦେଖୁଛି।
ପରିଶ୍ରମୀ କର୍ମଚାରୀଙ୍କ ଯୋଗୁ କମ୍ପାନି ସଫଳତା ପାଉଛି। ଏହି କାରଣରୁ ସେମାନଙ୍କ ପରିଶ୍ରମ ଓ ଆନୁଗତ୍ୟକୁ ପୁରସ୍କୃତ କରିବା ଜରୁରୀ। କାର୍ ପାଇଥିବା ଶିଳ୍ପା ନାମକ ଜଣେ କର୍ମଚାରୀ ଏହି କାର୍ ପାଇ ଖୁସିଥିବା କହିଛନ୍ତି। ସେ ଗତ ୮ ବର୍ଷ ହେଲା ଆରମ୍ଭରୁ ଏହି କମ୍ପାନିରେ କାର୍ଯ୍ୟ କରୁଛନ୍ତି। ଅବଶ୍ୟ କର୍ମଚାରୀମାନଙ୍କୁ କମ୍ପାନି କାର୍ ଦେବା କିଛି ନୂଆ କଥା ନୁହେଁ। ଗତବର୍ଷ ଚେନ୍ନାଇର ଏକ ଆଇଟି କମ୍ପାନି ଏହାର ୧୦୦ କର୍ମଚାରୀଙ୍କୁ କାର୍ ଉପହାର ଦେଇଥିଲା। ଏଥିସହିତ ଗୁଜରାଟର ହୀରା ବ୍ୟବସାୟୀ ସାବଜୀଭାଇ ଢୋଲକିୟା ମଧ୍ୟ ଏହାର କର୍ମଚାରୀମାନଙ୍କୁ ଦାମୀ କାର୍ ଦେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି।