ରିଚାର୍ଜ ଉପରେ ଶୁଳ୍କ ଲଗାଇଲା ଫୋନ୍‌ପେ: ୫୦ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ ଉପରେ ଫି’

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ୍‌ କ୍ଷେତ୍ରରେ ଦେଶର ଗଳିକନ୍ଦିରେ ପରିଚିତ ହୋଇଥିବା ଫୋନ୍‌ପେ ଏହାର ରିଚାର୍ଜ ସେବା ଉପରେ ଶୁଳ୍କ ଲଗାଇବା ଆରମ୍ଭ କରିଛି। ଫୋନ୍‌ପେ ଜରିଆରେ ୫୦ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ କଲେ କାରବାର ଫି’ ଭାବେ ୨ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଛି। ଫୋନ୍‌ପେ ହେଉଛି ଦେଶର ପ୍ରଥମ ଡିଜିଟାଲ୍‌ ପେମେଣ୍ଟ୍‌ ଆପ୍ ଯାହା ୟୁପିଆଇ କାରବାର ଉପରେ ଶୁଳ୍କ ଲାଗୁ କରିଛି। ପୂର୍ବରୁ ଏହି ସେବା ଶୁଳ୍କ ମୁକ୍ତ ରହିଥିଲା। ଏବେବି ଅନ୍ୟ କଂପାନିଗୁଡ଼ିକର ରିଚାର୍ଜ ସେବା ଶୁଳ୍କ ମୁକ୍ତ ରହିଛି। କିନ୍ତୁ ଫୋନ୍‌ପେ ପକ୍ଷରୁ କାରବାର ଫି’ ଭାବେ ୧ ଟଙ୍କା ଓ ୨ ଟଙ୍କା ଭଳି ଶୁଳ୍କ ଲଗାଇବା‌ ଆରମ୍ଭ କରାଯାଇଛି।

‌ଫୋନ୍‌ପେରେ ୫୦-୧୦୦ ମଧ୍ୟରେ ରିଚାର୍ଜ କଲେ ୧ ଟଙ୍କାର କାରବାର ଶୁଳ୍କ ଲାଗୁଛି। ଏକ ଶହ ଟଙ୍କାରୁ ଅଧିକ ମୂଲ୍ୟର ରିଚାର୍ଜ ଉପରେ ୨ ଟଙ୍କାର ଶୁଳ୍କ ସଂଗ୍ରହ କରାଯାଉଛି। ଏ ସମ୍ପର୍କରେ ଫୋନ୍‌ପେ ପକ୍ଷରୁ କୁହାଯାଇଛି ଯେ କିଛି ନିର୍ଦିଷ୍ଟ ପ୍ରକାର ଗ୍ରାହକଙ୍କ ଲାଗି ଆମେ କାରବାର ଶୁଳ୍କ ଲାଗୁ କରିଛୁ। ଏହା ଏକ ପରୀକ୍ଷଣ ବୋଲି କଂପାନି କହିଛି। କ୍ରେଡିଟ୍ କାର୍ଡ ଜରିଆରେ ହେଉଥିବା ପେମେଣ୍ଟ୍‌ ଉପରୁ ମଧ୍ୟ ଶୁଳ୍କ ଆଦାୟ କରିବା ବିଷୟରେ ଫୋନ୍‌ପେ ବିଚାର କରୁଛି। କାରବାର ଫି’ ସଂଗ୍ରହ କରୁଥିବା ଆମେ ଏକମାତ୍ର କଂପାନି ନୁହେଁ। କନ୍‌ଭିନିଏନ୍ସ ଫି’ ଓ ପ୍ରୋସେସିଂ ଫି’ ଭାବେ ଅନ୍ୟ ପେମେଣ୍ଟ୍‌ ସଂସ୍ଥାଗୁଡ଼ିକ ମଧ୍ୟ ଶୁଳ୍କ ସଂଗ୍ରହ କରୁଛନ୍ତି ବୋଲି କଂପାନି ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଫୋନ୍‌ପେ ହେଉଛି ଫ୍ଲିପ୍‌କାର୍ଟ ମାଲିକାନାରେ ଥିବା ପେମେଣ୍ଟ୍‌ ସଂସ୍ଥା। ଏହା ଜରିଆରେ ମାସକୁ ୧୬୫ କୋଟିରୁ ଅଧିକ ସଂଖ୍ୟକ ଡିଜିଟାଲ୍ େପମେଣ୍ଟ୍‌ ହେଉଛି। ୟୁପିଆଇ କାରବାରରେ ଏହା ଅଗ୍ରଣୀ ସ୍ଥାନରେ ରହିଛି। ୟୁପିଆଇ ବଜାରର ସିଂହ ଭାଗ ଫୋନ୍‌ପେ, ପେଟିଏମ୍ ଓ ଗୁଗୁଲ୍ ପେ’ ଅଧୀନ‌ରେ ରହିଛି।

ସମ୍ବନ୍ଧିତ ଖବର