ନୂଆଦିଲ୍ଲୀ: ଶୀତ ଦିନ ଯୋଗୁଁ ସକାଳ ପ୍ରହର କୁହୁଡ଼ି ରହୁଥିବାରୁ ବିମାନ ଚଳାଚଳରେ ସମସ୍ୟା ଦେଖାଦେଇଛି। କୁହୁଡ଼ି ଯୋଗୁଁ ଅଳ୍ପ ଦେଖାଯାଉଥିବାରୁ ସବୁ ପାଇଲଟ୍ ସେଭଳି ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ବିମାନ ଅବତରଣ କରିପାରନ୍ତି ନାହିଁ। ସେଥିପାଇଁ ତାଲିମ ପାଇଥିବା ପାଇଲଟ୍ଙ୍କୁ ଦିଲ୍ଲୀ ଯିବାଆସିବା କରୁଥିବା ବିମାନରେ ନିଯୁକ୍ତି ଦେଇନଥିବା ଦୁଇ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଓ ସ୍ପାଇସ୍ଜେଟ୍କୁ ବେସମାରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ନୋଟିସ୍ ଜାରି କରିଛନ୍ତି। ଦିଲ୍ଲୀରୁ ଯାତାୟାତ କରୁଥିବା ବହୁ ସଂଖ୍ୟାରେ ବିମାନ ବାତିଲ ହେବା ପରେ ଜଣାପଡ଼ିଛି ଯେ ଅଳ୍ପ ଦୃଶ୍ୟମାନତା
ପରିସ୍ଥିତି ବିମାନ ଉଡ଼ାଣ ଓ ଅବତରଣ କରିବାରେ ପାରଙ୍ଗମ ଥିବା ପାଇଲଟ୍ମାନଙ୍କୁ ବଦଳାଇ ଦିଆଯାଇଥିଲା। ଯେଉଁ ବିମାନରେ ତାମିଲପ୍ରାପ୍ତ ପାଇଲଟ୍ ନଥିଲେ ସେଗୁଡ଼ିକର ଉଡ଼ାଣ ବାତିଲ କରାଯାଇଥିଲା। ୨୦୨୩ ଡିସେମ୍ବର ୨୪ରୁ ୨୮ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ କୁହୁଡ଼ି କାରଣରୁ ୫୦ଟି ବିମାନକୁ ଅନ୍ୟତ୍ର ଅବତରଣ କରିବାକୁ କୁହାଯାଇଥିଲା। କାହିଁକି ଏଭଳି ସ୍ଥିତି ଉପୁଜିଲା ତାହାର ଉତ୍ତର ୧୫ ଦିନ ଭିତରେ ଦେବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଗତ ଡିସେମ୍ବର ୨୬ରେ ଦିଲ୍ଲୀ ବିମାନବନ୍ଦରରେ ଏତେ କୁହୁଡ଼ି ଥିଲା ଯେ ଆଗକୁ ୫୦ ମିଟର ବି ଦିଶୁ ନଥିଲା।