ନୂଆଦିଲ୍ଲୀ: ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଫଳ ହୋଇଥିବା ଅଭି‌ଯୋଗକୁ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି। ଦେଶର ଅର୍ଥନୀତି ଯେଉଁ ହାରରେ ବଢ଼ୁଛି ତାହା ଆବଶ୍ୟକ ନିଯୁକ୍ତି ସୃଷ୍ଟି କରିପାରିବ ନାହିଁ ବୋଲି ଦାବି କରି ସିଟି ବ୍ୟାଙ୍କ ଜାରି କରିଥିବା ରିପୋର୍ଟକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିବା ସହ ଘରୋଇ ସଂସ୍ଥାର ରିପୋର୍ଟ ଉପରେ ବିଶ୍ବାସ ନ କରିବାକୁ ଆହ୍ବାନ ଦେଇଛନ୍ତି। ନିଯୁକ୍ତିର ବାସ୍ତବ ଚିତ୍ର ଉପସ୍ଥାପନ କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ସରକାରୀ ତଥ୍ୟ ଉପସ୍ଥାପନ କରିଛି। ସିଟିବ୍ୟାଙ୍କ ତଥ୍ୟ ଉପରେ ଆପତ୍ତି ଉଠାଇବା ପରେ ମୋଦୀ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସରକାର-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

Advertisment

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ବେପରୁଆ ଭାବେ ବିମୁଦ୍ରୀକରଣ ଘୋଷଣା, ତରବରିଆ ଜିଏସ୍‌ଟି ଲାଗୁ କରିବା ଏବଂ ଚୀନ୍‌ରୁ ଆମଦାନି ବଢ଼ାଇବା ଭଳି ମୋଦୀ ସରକାରଙ୍କ ପଦକ୍ଷେପ ଯୋଗୁଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ରେ ନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଛି। ବିନା ନିଯୁକ୍ତିରେ ଅଭିବୃଦ୍ଧି ବେକାରି ସମସ୍ୟାକୁ ବଢ଼ାଇ ଦେଇଛି। ଗତ ପାଞ୍ଚ ବର୍ଷ ଧରି ନିରନ୍ତର ଭାବେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଉଛି ବୋଲି ସେ କହିଛନ୍ତି। ବଡ଼ କର୍ପୋରେଟ୍‌ ସଂସ୍ଥାଙ୍କୁ ସୁହାଇବା ଭଳି ନୀତି ପ୍ରସ୍ତୁତ କରାଯାଉଥିବାରୁ ଦେଶରେ ବେକାରୀ ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ସେ କହିଛନ୍ତି। ତେବେ, ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦାବି କରୁଛି ଯେ ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ଦେଶରେ ୮ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ପାଞ୍ଚ ବର୍ଷରେ ପ୍ରତିବର୍ଷ ୨ କୋଟିରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିବା ସରକାର ଦାବି କରିଛନ୍ତି।୨୦୨୦-୨୧ରେ କୋଭିଡ୍‌ ମହାମାରୀର ପ୍ରଭାବ ସତ୍ତ୍ବେ ଏଭଳି ସଫଳତା ମିଳିଛି। ଏହା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ପ୍ରତିଫଳିତ କରୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିନା ଚାକିରିର ବିକାଶ ଚାଲିଛି: କଂଗ୍ରେସ
୫ ବର୍ଷରେ ୮ କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଛି: କେନ୍ଦ୍ର
ଯଥେଷ୍ଟ ଚାକିରି ସୃଷ୍ଟି ହେବନି: ସିଟିବ୍ୟାଙ୍କ

ପିଏଲ୍ଏଫ୍‌ଏସ୍‌ ତଥ୍ୟ ଅନୁସାରେ ବାର୍ଷିକ ଶ୍ରମ ଜନସଂଖ୍ୟା ଅନୁପାତ ଏହି ପାଞ୍ଚ ବର୍ଷ ମଧ୍ୟରେ ୪୬.୮ ପ୍ରତିଶତରୁ ବୃଦ୍ଧି ପାଇ ୫୬ ପ୍ରତିଶତ ହୋଇଛି। ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ୪୯.୮ ପ୍ରତିଶତରୁ ବୃଦ୍ଧି ପାଇ ୫୭.୯ ପ୍ରତିଶତ ହୋଇଛି। ବେକାରୀ ହାର ୬ ପ୍ରତିଶତରୁ ୩.୨ ପ୍ରତିଶତକୁ ଖସିଆସିଛି। ନିୟମିତ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଲ୍ଏଫ୍‌ଏସ୍‌) ଓ ରିଜର୍ଭ ବ୍ୟାଙ୍କର ତଥ୍ୟକୁ ଆଧାର କରି ଏହି ରିପୋର୍ଟ ତିଆରି କରାଯାଇଛି। ତାହା ବିଶ୍ବସନୀୟ ‌ତଥ୍ୟ ବୋଲି ମନ୍ତ୍ରଣାଳୟ କହିବା ସହ ଘରୋଇ ସଂସ୍ଥା ବ୍ୟବହାର କରୁଥିବା ତଥ୍ୟରେ ଅନେକ ଅଭାବ ରହୁଛି। ସେଥିପାଇଁ ଘରୋଇ ସଂସ୍ଥା ଜାରି କରୁଥିବା ବେକାରୀ ହାରରେ ଅସଙ୍ଗତି ଦେଖାଦେଉଛି ବୋଲି ମନ୍ତ୍ରଣାଳୟ ଜଣାଇଛି। ଗତ ସପ୍ତାହରେ ସିଟିବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରେ କହିଥିଲା ଯେ ଭାରତରେ ବର୍ଷକୁ ୧୧ରୁ ୧୨ ନିଯୁତ ଚାକିରି ଦରକାର। ଅର୍ଥନୀତି ୭ ପ୍ରତିଶତ ହାରରେ ଆଗକୁ ବଢ଼ିଲେ ଅତିବେଶିରେ ୮ରୁ ୯ ନିୟୁତ ନିଯୁକ୍ତି ସୃଷ୍ଟି ହୋଇପାରିବ। ଏହି ହାରରେ ଅର୍ଥନୀତିର ବିକାଶ ହେ‌ଲେ ଲୋକଙ୍କ ପାଇଁ ଯଥେଷ୍ଟ ନିଯୁକ୍ତି ସୃଷ୍ଟି ହୋଇପାରିବନି ବୋଲି ରିପୋର୍ଟରେ ଦାବି କରାଯାଇଥିଲା।

ଅନ୍ୟ ପକ୍ଷ‌ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ଆର୍ଥିକ ବର୍ଷ ୨୦୨୩-୨୪ରେ ଦେଶରେ ୪.୬୭ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଫଳରେ ନିଯୁକ୍ତି କ୍ଷେତ୍ରରେ ଥିବା ମୋଟ ଲୋକଙ୍କ ସଂଖ୍ୟା ୬୪.୩୩ କୋଟିକୁ ବୃଦ୍ଧି ପାଇଛି। ୨୦୨୩-୨୪ରେ ଦେଶର ନିଯୁକ୍ତି ହାର ଅଭିବୃଦ୍ଧି ୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ତାହାର ପୂର୍ବବର୍ଷ ୩.୨ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।