ଜୁଲାଇ-ଅଗଷ୍ଟରେ ଦେଖାଦେବ ବିଦ୍ୟୁତ ସଙ୍କଟ

କୋଇଲା ଆମଦାନି କରିବ କୋଲ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ବର୍ଷା ଆରମ୍ଭ ହେବା ପରେ କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ପ୍ରଭାବିତ ହୋଇଥାଏ। ତେଣୁ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଥର୍ମାଲ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ସେହି ସ୍ଥିତିର ମୁକାବିଲା କରିବା ଲାଗି ନିଜ ପାଖରେ ଅଧିକ କୋଇଲା ଗଚ୍ଛିତ ରଖିଥାନ୍ତି। ଚଳିତ ବର୍ଷର ମୌସୁମୀ ଦୁଇ ଦିନ ପୂର୍ବରୁ କେରଳରେ ପହଞ୍ଚିଥିବା ବେଳେ ଥର୍ମାଲ ପାୱାର ପ୍ଲାଣ୍ଟ୍‌ରେ କିନ୍ତୁ ଆବଶ୍ୟକ ପରିମାଣର କୋଇଲା ଗଚ୍ଛିତ ନାହିଁ। ତେଣୁ ଆସନ୍ତା ଜୁଲାଇ-ଅଗଷ୍ଟରେ ଦେଶରେ ଆଉ ଏକ ବିଦ୍ୟୁତ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି ବୋଲି ଘରୋଇ ସଂସ୍ଥା ସିଆର୍‌ଇଏ ଆକଳନ କରିଛି।

ଏବେ ଦେଶର ସବୁ ପାୱାର ପ୍ଲାଣ୍ଟ୍‌ ପାଖରେ ୨୦.୭ ନିୟୁତ ଟନ୍ କୋଇଲା ଗଚ୍ଛିତ ରହିଛି। ଏହା ବାଦ ପିଟ୍‌ହେଡ୍‌ ପାୱାର ଷ୍ଟେସନ୍‌ଗୁଡ଼ିକରେ ୧୩.୫ ନିୟୁତ ଟନ୍ କୋଇଲା ଅଛି। ଯଦି ଆଗାମୀ ଦିନରେ ବିଦ୍ୟୁତ ଚାହିଦାରେ ବୃଦ୍ଧି ଘଟିବ ସେହି ସ୍ଥିତିକୁ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ମୁକାବିଲା କରିପାରିବେ ନାହିଁ। କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ) ଆକଳନ କରିଛି ଯେ ଅଗଷ୍ଟରେ ପିକ୍ ପିରିଅଡ୍‌ ବିଦ୍ୟୁତ ଚାହିଦା ୨୧୪ ମେଗାୱାଟ୍‌ରେ ପହଞ୍ଚିବ ଓ ହାରାହାରି ବିଦ୍ୟୁତ ଚାହିଦା ମେ’ ମାସଠାରୁ ଅଧିକ ରହିବ। ଏବେଠାରୁ ଯଦି ଖଣିରେ ଥିବା କୋଇଲାକୁ ପାୱାର ପ୍ଲାଣ୍ଟ୍‌ ପର୍ଯ୍ୟନ୍ତ ପରିବହନ କରାନଯିବ ତେବେ ଜୁଲାଇ-ଅଗଷ୍ଟରେ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି।

ଦେଶରେ ୧୫୦୦ ନିୟୁତ ଟନ୍‌ରୁ ଅଧିକ କୋଇଲା ଉତ୍ପାଦନ ହେବାର ସୁଯୋଗ ରହିଥିଲେ ମଧ୍ୟ ୨୦୨୧-୨୨ରେ ୭୭୭.୨୬ ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇଛି। ଯଦି କେବେ କୋଇଲା ସଙ୍କଟ ଦେଖାଦେବ ଉତ୍ପାଦନ ବଢ଼ାଇ ତାହାର ମୁକାବିଲା କରାଯାଇପାରିବ। କୋଇଲା ସଙ୍କଟ ଏବେ ସୃଷ୍ଟି ହୋଇନାହିଁ। ୨୦୨୦ ମେ’ ପରଠାରୁ ଏଭଳି ସ୍ଥିତି ଜାରି ରହିଛି। ଗତବର୍ଷ ଯେଉଁ ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା ତାହାର ମୁଖ୍ୟ କାରଣ ଥିଲା ମୌସୁମୀ ବର୍ଷା ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଆଗୁଆ ଅଧିକ କୋଇଲା ଗଚ୍ଛିତ ରଖିବା ପ୍ରତି ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ଧ୍ୟାନ ଦେଇନଥିଲେ। ଯେହେତୁ ବର୍ଷା ଯୋଗୁଁ ଖଣିରେ ପାଣି ଭର୍ତ୍ତି ହୋଇଯାଏ ତେଣୁ ଉତ୍ପାଦନ ସମ୍ଭବ ହୁଏ ନାହିଁ ଓ ଖଣିରୁ ପାୱାର ପ୍ଲାଣ୍ଟ୍‌ ପର୍ଯ୍ୟନ୍ତ କୋଇଲା ପରିବହନ ହୋଇପାରେ ନାହିଁ।

କୋଇଲା ଆମଦାନି କରିବ କୋଲ୍‌ ଇଣ୍ଡିଆ
ନୂଆଦିଲ୍ଲୀ: ପାୱାର ପ୍ଲାଣ୍ଟ୍‌ଗୁଡ଼ିକର ଆବଶ୍ୟକତା ପୂରଣ କରିବା ଲାଗି କୋଇଲା ଆମଦାନି କରିବାକୁ କୋଲ୍‌ ଇଣ୍ଡିଆକୁ ସରକାର କହିଛନ୍ତି। ଦୀର୍ଘବର୍ଷ ପରେ କୋଲ୍‌ ଇଣ୍ଡିଆ ଆମଦାନି କରିବାକୁ ଯାଉଛି। କୋଇଲା ଆମଦାନିକୁ ସହଜ କରିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ବ ଦେବା ଲାଗି ପାୱାର ପ୍ଲାଣ୍ଟ୍‌ ଓ ରାଜ୍ୟ ସରକାରମାନେ କେନ୍ଦ୍ରକୁ କହିଥିଲେ। କୋଲ୍ ଇଣ୍ଡିଆ ସେହି ଏଜେନ୍ସି ଦାୟିତ୍ବ ତୁଲାଇବ। ଅନ୍ୟ ପକ୍ଷରେ ପାୱାର ପ୍ଲାଣ୍ଟ୍‌ଗୁଡ଼ିକର ବାସ୍ତବ କୋଇଲା ଆବଶ୍ୟକତା କ’ଣ ତାହା ହିସାବ କରିବା ଲାଗି କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷ (ସିଇଏ)କୁ ମଧ୍ୟ ସରକାର କହିଛନ୍ତି। ଶକ୍ତି ନୀତି ଅଧୀନରେ କୋଇଲାର ପରିମାଣ କେତେ ରହିବା ଦରକାର ତାହା ଜଣାଇବାକୁ କୁହାଯାଇଛି। ୧୦ ପ୍ରତିଶତ ଆମଦାନି କୋଇଲା ଦେଶ ଭିତରେ ଉତ୍ପାଦନ ହେଉଥିବା ୧୫% କୋଇଲା ସହ ସମାନ ବୋଲି ଶକ୍ତି ମନ୍ତ୍ରଣାଳୟ ଜଣାଇଛି।

ସମ୍ବନ୍ଧିତ ଖବର