ଭୁବନେଶ୍ବର: ସୁନା ମୂଲ୍ୟରେ ବୃଦ୍ଧିର ଧାରା ବନ୍ଦ ହେବାର ନାଁ ଧରୁନାହିଁ। ସୋମବାର ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନାର ଦାମ୍ ୫୫୦ ଟଙ୍କା ବୃଦ୍ଧି ପାଇ ୬୭,୦୫୦ ଟଙ୍କା ହୋଇଛି। ସେହିପରି ୨୪ କ୍ୟାରେଟ ସୁନା ଦାମ୍ ପୁଣି ଥରେ ୭୩ ହଜାର ଟଙ୍କା ସ୍ତର ଅତିକ୍ରମ କରିଛି। ସୋମବାର ଏହାର ଦାମ୍ ୬୦୦ ଟଙ୍କା ବୃଦ୍ଧି ପାଇ ୭୩,୧୫୦ ଟଙ୍କା ହୋଇଯାଇଛି। ଚଳିତ ମାସ ୧୨ ତାରିଖରେ ଉଭୟ ୨୨ କ୍ୟ‌ାରେଟ ଓ ୨୪ କ୍ୟାରେଟ୍‌ ସୁନାର ଦାମ୍ ଯଥାକ୍ରମେ ୬୭,୦୦୦ ଟଙ୍କା ଓ ୭୩,୦୦୦ ଟଙ୍କା ସ୍ତର ଅତିକ୍ରମ କରିଥିଲା। ଏହାପରେ ସେଥିରେ ହ୍ରାସ ଘଟିଥିଲା। ସୋମବାରଠାରୁ ପୁଣି ଦାମ୍ ବଢ଼ିବା ଆରମ୍ଭ ହୋଇଛି। ଇସ୍ରାଏଲ୍ ଉପରେ ଇରାନ ଆକ୍ରମଣ କରିବା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ସୁନା ମୂଲ୍ୟକୁ ଆହୁରି ପ୍ରଭାବିତ କରିବା ଆଶଙ୍କା ରହିଛି। ସାଧାରଣତଃ କୌଣସି ପ୍ରକାର ସଙ୍କଟ ଦେଖାଦେଲେ ନିବେଶକମାନେ ସୁନାକୁ ସୁରକ୍ଷିତ ବିକଳ୍ପ ଭାବେ ବିଚାର କରି ସେଥିରେ ନିବେଶ କରିଥାନ୍ତି। ଏଥର ମଧ୍ୟ ‌ତାହା ଘଟିବ ବୋଲି ଆଶା କରାଯାଉଛି।