ଅଶୋଧିତ ତେଲ ଦର ୯୦ ଡଲାର ଛୁଇଁଲା: ୨୦୧୪ ମସିହା ପରେ ସର୍ବୋଚ୍ଚ ସ୍ତରରେ

୮୩ ଦିନ ହେଲା ପେଟ୍ରୋଲ, ଡିଜେଲ ଦର ସ୍ଥିର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ଆସନ୍ତାମାସରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ପାଇଁ ରେକର୍ଡ ଗତ ୮୩ ଦିନ ହେଲା ଦେଶରେ ପେଟ୍ରୋଲ ଏବଂ ଡିତେଲ ମୂଲ୍ୟ ବୃଦ୍ଧି ପାଇନାହିଁ। କିନ୍ତୁ ୟୁକ୍ରେନକୁ ନେଇ ରୁଷ ଓ ଆମେରିକା ମୁହାଁମୁହିଁ ସ୍ଥିତିରେ ଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୦ ଡଲାରରେ ପହଞ୍ଚିଯାଇଛି। ୨୦୧୪ ମସିହା ପରେ ଦେଶରେ ଅଶୋଧିତ ତେଲ ଦର ଏବେ ସର୍ବୋଚ୍ଚ ସ୍ତରରେ ରହିଛି।

ଉଲ୍ଲେଖଯୋଗ୍ୟ, ରୁଷ ବିଶ୍ବର ଦ୍ବିତୀୟ ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ। ଆଶଙ୍କା ବ୍ୟକ୍ତ କରାଯାଉଛି ‌କି ୟୁରୋପକୁ ତେଲ ରପ୍ତାନି କ୍ଷେତ୍ରରେ ରୁଷ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଏଥିସହିତ ବିଶ୍ବରେ ଓମିକ୍ରନର ପ୍ରଭାବ କମ୍‌ ରହିଛି। ଏଥିଯୋଗୁ ଅଶୋଧିତ ତେଲ ଚାହିଦା ବୃଦ୍ଧି ପରିଲକ୍ଷିତ ହୋଇଛି। ଅନ୍ତର୍ଜାତୀୟ ବଜାରର ଅଶୋଧିତ ତେଲ ଦର ସହିତ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ସିଧା ଯୋଡ଼ା ଯାଇଛି। ‌ଏଥିପାଇଁ ପ୍ରତିଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ସଂଶୋଧନ ବ୍ୟବସ୍ଥା ରହିଛି। କିନ୍ତୁ ନିର୍ବାଚନ ପରିପ୍ରେକ୍ଷୀରେ ତେଲ କମ୍ପାନି ଗୁଡ଼ିକ ଗତ ୮୩ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆଣିନାହାନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ଏତେଦିନ ଧରି ପ୍ରଥମ ଥର ପାଇଁ ସ୍ଥିର ରହିଛି। ପୂର୍ବରୁ ୨୦୨୦ ମସିହାରେ ଲଗାତାର ୮୨ ଦିନ ଧରି ଏହି ଦୁଇ ଇନ୍ଧନ ଦରରେ ପରିବର୍ତ୍ତନ ହୋଇ ନଥିଲା। ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନ ପିପିଏସିର ରିପୋର୍ଟ ଅନୁଯାୟୀ ଭାରତ ଦ୍ବାରା କ୍ରୟ କରାଯାଉଥିବା ଅଶୋଧିତ ତେଲର ହାରାହାରି ମୂଲ୍ୟ ଜାନୁଆରି ୨୬ ତାରିଖରେ ବ୍ୟାରେଲ ପିଛା ୮୮.୨୩ ଡଲାର ରହିଥିଲା। ଗତବର୍ଷ ଅକ୍ଟୋବରରେ ଉକ୍ତ ଦର ବ୍ୟାରେଲ ପିଛା ୭୪.୮୫ ଡଲାର, ନଭେମ୍ବରରେ ୭୪.୪୭ ଡଲାର ଏବଂ ଡିସେମ୍ବରରେ ୭୫.୩୪ ଡଲାର ରହିଥିଲା। ୫ ରାଜ୍ୟର ଭୋଟ ଗଣତି ମାର୍ଚ୍ଚ ୧୦ରେ ହେବ। ତେଣୁ ସେ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇ ନପାରେ।

ସମ୍ବନ୍ଧିତ ଖବର