ନୂଆଦିଲ୍ଲୀ: ସୁନା ଦାମ୍‌ ୨୦୨୨ରେ ପ୍ରାୟ ୬୫୦୦ ଟଙ୍କା ବୃଦ୍ଧି ପାଇଛି। ୨୦୨୨ ଆରମ୍ଭରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୨୭୯ ଟଙ୍କା ରହିଥିଲା। କିନ୍ତୁ ବର୍ଷ ଶେଷଦିନରେ ଏହା ୫୪,୮୬୭ ଟଙ୍କା ସ୍ତରରେ ପହଞ୍ଚିଛି। ସୁନା ମୂଲ୍ୟରେ ବୃଦ୍ଧି ଧାରା ନୂଆବର୍ଷ ୨୦୨୩ରେ ମଧ୍ୟ ଜାରି ରହିବା ସମ୍ଭାବନା ରହିଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ସୁନା କିଣୁଛନ୍ତି। ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିବ। ୨୦୨୩ରେ ସୁନା ଦାମ ୬୦ ହଜାର ଟଙ୍କା ଅତିକ୍ରମ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

Advertisment

କେଡିୟା ଆଡଭାଇଜରିର ନିର୍ଦ୍ଦେଶକ ଅଜୟ କେଡିୟାଙ୍କ କହିବାନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ସୁନା କିଣୁଥିବାରୁ ମୂଲ୍ୟ ଉପରେ ଏହାର ପ୍ରଭାବ ପଡ଼ିବ। ସୁନା ମୂଲ୍ୟ ୬୪ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ସେ କହିଛନ୍ତି। ମହାମାରୀ ସମୟରେ ୨୦୨୦ ଅଗଷ୍ଟରେ ସୁନା ମୂଲ୍ୟ ରେକର୍ଡ ୫୬,୨୦୦ ଟଙ୍କାରେ ପହଞ୍ଚିଥିଲା। ସେହି ସ୍ତରଠାରୁ ସୁନା ଏବେ ପାଖାପାଖି ୧୩୦୦ ଟଙ୍କା କମ ରହିଛି। କିଲୋଗ୍ରାମ ପିଛା ରୁପା ମୂଲ୍ୟ ୨୦୨୨ରେ ୬୮ ହଜାର ଟଙ୍କା ଟପିଛି। ୨୦୨୨ ଆରମ୍ଭରେ ରୁପା ମୂଲ୍ୟ ୬୨ ହଜାର ଟଙ୍କା ପାଖାପାଖି ଥିବାବେଳେ ବର୍ଷ ଶେଷଦିନ ଏହା ୬୮ ହଜାର ଟଙ୍କା ଟପିଛି।