ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ୨୦୨୩-୨୪ ଚିନି ଋତୁ ପାଇଁ ଆଖୁର ଉଚିତ ଓ ଲାଭକରୀ ମୂଲ୍ୟକୁ ମଞ୍ଜୁର କରାଯାଇଛି। ଆଖୁର କ୍ବିଣ୍ଟାଲ ପିଛା ଦାମ୍ ୩୧୫ ଟଙ୍କା ନିର୍ଧାରଣ କରାଯାଇଛି ଯାହା ପୂର୍ବବର୍ଷର ୩୦୫ ଟଙ୍କା ତୁଳନାରେ ଅଧିକ। ଅତିରିକ୍ତ ଅସୁଲିରେ ୦.୧ ପ୍ରତିଶତ ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ୩ ଟଙ୍କା ୭ ପଇସାର ପ୍ରିମିୟମ୍ ଓ ୦.୧ ପ୍ରତିଶତ ହ୍ରାସ ପାଇଁ କ୍ବିଣ୍ଟାଲ ପିଛା ୩ ଟଙ୍କା ୭ ପଇସା ହ୍ରାସକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଏହି ମୂଲ୍ୟ ଚଳିତ ବର୍ଷ ଅକ୍ଟୋବରରୁ ଲାଗୁ ହେବ। ଏହି ନିଷ୍ପତ୍ତି ଦ୍ବାରା ୫ କୋଟି ଚାଷୀଙ୍କ ସ୍ଥିତିରେ ଉନ୍ନତି ଆସିବ। ଆଖୁ ଚାଷୀଙ୍କ ହିତକୁ ନଜରରେ ରଖି ଯେଉଁଠାରେ ଅସୁଲି ୯.୫%ରୁ କମ୍ ରହିଥିବ ସେଠାରେ ଚିନି କଳ କ୍ଷେତ୍ରରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏଭଳି ଚାଷୀଙ୍କୁ ଚଳିତ ଚିନି ଋତୁରେ କ୍ବିଣ୍ଟାଲ ପିଛା ୨୮୨.୨୫ ଟଙ୍କା ବଦଳରେ ୨୦୨୩-୨୪ ଚିନି ଋତୁ ପାଇଁ ୨୯୧.୯୫ ଟଙ୍କା ଦିଆଯିବ। ୨୦୨୩-୨୪ ଆଖୁ ଋତୁରେ କ୍ବିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୧୭୫ ଟଙ୍କା ଧାର୍ଯ୍ୟ କରାଯାଇଛି। ୧୦.୨୫% ଅସୁଲି ଦରରେ କ୍ବିଣ୍ଟାଲ ପିଛା ଉଚିତ ଓ ଲାଭକରୀ ମୂଲ୍ୟ ଉତ୍ପାଦନ ଖର୍ଚ୍ଚଠାରୁ ୧୦୦.୬ ପ୍ରତିଶତ ଅଧିକ ରହିଛି।

Advertisment

ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍‌କୁ ମଞ୍ଜୁରି
ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ କରିବା ଲାଗି ଜାତୀୟ ଗବେଷଣା ଫାଉଣ୍ଡେସନ ବିଲ୍ ୨୦୨୩କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ଏହି ବିଲ୍ ଗୃହୀତ ହେଲେ ଦେଶରେ ଗବେଷଣା ଫାଉଣ୍ଡେସନ ସ୍ଥାପନ କରିବାର ବାଟ ଖୋଲିବ। ଏହା ଗବେଷଣା ଓ ଉନ୍ନୟନ ପାଇଁ ପାଣ୍ଠି ଯୋଗାଣ ଓ ତାହାର ପ୍ରୋତ୍ସାହନ ଦିଗରେ କାମ କରିବ। ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ଗବେଷଣା ଉନ୍ନୟନ ପରୀକ୍ଷାଗାରରେ ଗବେଷଣା ଓ ସହଭାଗିତାର ଏକ ନୂଆ ବାତାବରଣ ସୃଷ୍ଟି ହେବ। ଜାତୀୟ ଗବେଷଣା ଫାଉଣ୍ଡେସନ ପାଇଁ ପାଞ୍ଚବର୍ଷରେ ୨୦୨୮ ପର୍ଯ୍ୟନ୍ତ ୫୦ ହଜାର କୋଟି ଟଙ୍କା ବ୍ୟୟ କରିବାର ବ୍ୟବସ୍ଥା ରହିଛି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଏହା କାର୍ଯ୍ୟ କରିବ। ଏହି ବିଲ୍ ପାସ୍ ହେଲେ ୨୦୦୮ରେ ପ୍ରତିଷ୍ଠା ହୋଇଥିବା ବିଜ୍ଞାନ ଓ ଇଞ୍ଜିନିୟରିଂ ଗବେଷଣା ବୋର୍ଡର ଅବସାନ ଘଟିବ।