ପକେଟ୍‌କୁ ବାଧୁଛି ସ୍ମାର୍ଟଫୋନ୍ ଦାମ୍: ହାରାହାରି ଦାମ୍ ୧୮,୦୦୦ ଟଙ୍କାକୁ ବୃଦ୍ଧି

୨୫ ହଜାର ଟଙ୍କାରୁ କମ୍ ଦାମ୍‌ ଫୋନ୍‌ର ଚାହିଦା ହ୍ରାସ, ଦାମୀ ପ୍ରିମିୟମ୍ ଫୋନ୍ ଚାହିଦା କମିନି

ନୂଆଦିଲ୍ଲୀ: ଦେଶର ସ୍ମାର୍ଟଫୋନ୍ ବଜାର ଏବେ ଭଲ ସମୟ ଦେଇ ଗତି କରୁନାହିଁ। ଫୋନ୍‌ ଦାମ୍‌ ଅଧିକ ଥିବା କାରଣରୁ ଗ୍ରାହକମାନେ ତାହାକୁ କିଣିବା ପୂର୍ବରୁ ଦୁଇ ଥର ଚିନ୍ତା କରୁଛନ୍ତି। ‌ସେଥିପାଇଁ ସ୍ମାର୍ଟଫୋନ୍ ଚାହିଦା ହ୍ରାସ ପାଇଥିବା ବେଳେ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି। ଫୋନ୍‌ ନିର୍ମାତାମାନେ ବିତରକ ଓ ଖୁଚୁରା ବିକ୍ରେତାମାନଙ୍କ ପାଖକୁ ବିକ୍ରି ପାଇଁ ପଠାଉଥିବା ଫୋନ୍‌ ସଂଖ୍ୟାରେ ହ୍ରାସ ଘଟିଛି। ବ୍ୟବସାୟୀଙ୍କ ଭାଷାରେ ତାହାକୁ ସିପ୍‌ମେଣ୍ଟ୍‌ କୁହାଯାଉଛି। ଚଳିତ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବିକ୍ରେତାଙ୍କ ପାଖରେ ୪.୩ କୋଟି ସ୍ମାର୍ଟ‌େଫାନ୍ ପହଞ୍ଚିଥିଲା ଯାହା ପୂର୍ବବର୍ଷ ତୁଳନାରେ ୧୦ ପ୍ରତିଶତ କମ୍।

ଇଣ୍ଟରନ୍ୟାସନାଲ୍ ଡାଟା କର୍ପୋରେସନ (ଆଇଡିସି) ରିପୋର୍ଟ ଅନୁସାରେ ଜୁଲାଇ-ସେପ୍ଟେମ୍ବରରେ ପ୍ରାୟ ସବୁ ସଂସ୍ଥାର ସିପ୍‌ମେଣ୍ଟ୍‌ ହ୍ରାସ ପାଇଛି। ଦେଶରେ ୨୫ ହଜାର ଟଙ୍କାରୁ କମ୍ ଦାମ୍‌ର ସ୍ମାର୍ଟଫୋନ୍‌ ସିପ୍‌ମେଣ୍ଟ୍‌ରେ ସର୍ବାଧିକ ୧୫ ପ୍ରତିଶତ ହ୍ରାସ ହୋଇଛି। ଅର୍ଥାତ ଫୋନ୍‌ ନିର୍ମାତାମାନେ ବିକ୍ରେତାମାନଙ୍କୁ ଏହି ବର୍ଗର ସ୍ମାର୍ଟଫୋନ୍‌ କମ୍ ପଠାଇଛନ୍ତି। ଫଳରେ ସେଗୁଡ଼ିକର ବିକ୍ରି ମଧ୍ୟ ସେହି ଅନୁସାରେ ହ୍ରାସ ପାଇଥିବ ବୋଲି କୁହାଯାଇପାରିବ। ଚାଳିଶ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ୍ (ପ୍ରିମିୟମ୍ ବର୍ଗ) ସିପ୍‌ମେଣ୍ଟ୍‌ରେ ସର୍ବାଧିକ ୬୪ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରିମିୟମ୍ ସ୍ମାର୍ଟଫୋନ୍‌ ବଜାରରେ ୬୩ ପ୍ରତିଶତ ବଜାର ଅଂଶ ସହ ଆପଲ୍‌ ଏକ ନମ୍ବର ସ୍ଥାନରେ ଥିବା ବେଳେ ସାମସଙ୍ଗ ଦ୍ବିତୀୟ (୨୨%) ଏବଂ ୱାନ୍‌ପ୍ଲସ୍‌ (୯%) ତୃତୀୟ ସ୍ଥାନରେ ରହିଛି। ୨୦୧୯ ପରଠାରୁ ଭାରତୀୟ ସ୍ମାର୍ଟଫୋନ୍ ବଜାରର ଗତି ମନ୍ଥର ହୋଇଯାଇଛି। ଆଇଡିସିର ରିସର୍ଚ୍ଚ ମ୍ୟାନେଜର ଉପାସନା ଯୋଶୀ କହିଛନ୍ତି ଯେ ଭାରତରେ ସ୍ମାର୍ଟଫୋନ୍‌ର ହାରାହାରି ଦାମ୍ ୧୮ ହଜାର ଟଙ୍କା (ପ୍ରାୟ ୨୬୨ ଡଲାର) ହୋଇଛି ଯାହା ପୂର୍ବବର୍ଷର ଦାମ୍ ତୁଳନାରେ ୧୫ ପ୍ରତିଶତ ଅଧିକ। ଲଗାତାର ଦୁଇ ବର୍ଷ ପର୍ଯ୍ୟନ୍ତ ଫୋନ୍‌ଗୁଡ଼ିକର ଦାମ୍‌ରେ ବୃଦ୍ଧି ହୋଇଥିଲା।

ସ୍ମାର୍ଟଫୋନ୍ ତିଆରିରେ ବ୍ୟବହାର ହେଉଥିବା କଞ୍ଚାମାଲ ଦାମ୍ ବଢ଼ିବା ଯୋଗୁ କଂପାନିଗୁଡ଼ିକ ବାଧ୍ୟ ହୋଇ ଫୋନ୍ ଦାମ୍ ବଢ଼ାଇଥିଲେ। କିନ୍ତୁ ଧୀରେ ଧୀରେ ସେହି ଦାମ୍ ସାଧାରଣ ଗ୍ରାହକଙ୍କ ସହନଶୀଳ ସୀମା ବାହାରକୁ ଚାଲିଯାଇଥିଲା। ଏତେ ଅଧିକ ଦାମ୍‌ରେ ଲୋକମାନଙ୍କ ପାଇଁ ଫୋନ୍ କିଣିବା ସହଜ ହେଉନି। ସେଥିପାଇଁ ଚଳିତ ବର୍ଷ ଉତ୍ସବ ଋତୁରେ ମଧ୍ୟ ସ୍ମାର୍ଟଫୋନ୍ ବିକ୍ରି ଭଲ ନଥିଲା। ଫିଚର ଫୋନ୍ ବ୍ୟବହାର କରୁଥିବା ଗ୍ରାହକମାନେ ସ୍ମାର୍ଟଫୋନ୍‌ ଆଡ଼କୁ ଶୀଘ୍ର ଆସୁନାହାନ୍ତି। ସେଥିପାଇଁ ମଧ୍ୟ ସ୍ମାର୍ଟଫୋନ୍ ଚାହିଦା କମିଛି। ଦେଶରେ ୫ଜି ସେବା ଆରମ୍ଭ ହେବା ପରେ ପୁଣି ଥରେ ସ୍ମାର୍ଟଫୋନ୍ ଚାହିଦା ବଢ଼ିବ ବୋଲି ଆଶା କରାଯାଉଛି। ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଚୀନ୍‌ର ଶାଓମି ଏକ ନମ୍ବର, ସାମସଙ୍ଗ ଦ୍ବିତୀୟ, ଭିଭୋ ତୃତୀୟ, ରିଅଲ୍‌ମି ଚତୁର୍ଥ ଏବଂ ଓପୋ ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର