ନୂଆଦିଲ୍ଲୀ: କରୋନା ମହାମାରୀ ପରବର୍ତୀ ସମୟରେ ଅର୍ଥନୀତିରେ ଯେଉଁ ସୁଧାର ଦେଖିବାକୁ ମିଳୁଛି ସେଥିରେ ଘରୋଇ କ୍ଷେତ୍ର ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (୨୦୨୦ ଅକ୍ଟୋବର-ଡିସେମ୍ବର)ରେ ଦେଶର ମାନୁଫାକ୍ଚରିଂ କ୍ଷେତ୍ରରେ ୨,୭୬,୪୬୮ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହୋଇଛି। ସେଥିରୁ ୨୦,୨୧୭ କୋଟି ଟଙ୍କା ଓଡ଼ିଶାରେ ନିବେଶ ହୋଇଥିବା ଜଣାପଡ଼ିଛି। ମାନୁଫାକ୍ଚରିଂରେ ଘରୋଇ କ୍ଷେତ୍ରର ନିବେଶ ହାସଲ କରିବାରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ମହାରାଷ୍ଟ୍ର ସର୍ବାଧିକ ୫୪,୭୧୪ କୋଟି ଟଙ୍କା, ଆନ୍ଧ୍ରପ୍ରଦେଶ ୨୯,୭୮୪ କୋଟି ଟଙ୍କା, ଗୁଜରାଟ ୨୬,୩୫୦ କୋଟି ଟଙ୍କା ଓ ତାମିଲନାଡୁ ୨୪,୧୨୪ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହାସଲ କରି ପ୍ରଥମ ଚାରିଟି ସ୍ଥାନରେ ରହିଛନ୍ତି। ଓଡ଼ିଶା ପଛକୁ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ପଞ୍ଜାବ ଓ ଛତିଶଗଡ଼ ରହିଛନ୍ତି। ଲକ୍ଡାଉନ୍ କଟକଣା ହଟିବା ପରଠାରୁ ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ିବାରେ ଲାଗିଛି।
ମାନୁଫାକ୍ଚରିଂ, ଖଣିରେ ଅଧିକ ନିବେଶ, ଜଳସେଚନ, ବିଦ୍ୟୁତ ପ୍ରକଳ୍ପରେ ନିବେଶ ହ୍ରାସ
ବିଶେଷ କରି ମାନୁଫାକ୍ଚରିଂରେ ନିବେଶ ବଢ଼ୁଛି। ଏହି କ୍ଷେତ୍ରରେ ନିବେଶ ୨୦୧% ବଢ଼ିଛି। କିନ୍ତୁ ୨୦୨୦ ଅକ୍ଟୋବର-ଡିସେମ୍ବର ତିନି ମାସରେ ସରକାରୀ ବ୍ୟୟ କିନ୍ତୁ ହ୍ରାସ ପାଇଥିଲା। ରାଜସ୍ବ ଚିନ୍ତା ଯୋଗୁଁ ରାଜ୍ୟଗୁଡ଼ିକର ନୂଆ ପ୍ରକଳ୍ପରେ ବ୍ୟୟ ପ୍ରାୟ ୨୫% ହ୍ରାସ ପାଇଥିଲା। ତୃତୀୟ ତ୍ରୟମାସରେ ମୋଟ ୨୦୮୫ ପ୍ରକଳ୍ପ ଘୋଷଣା କରାଯାଇଥିଲା। ମାନୁଫାକ୍ଚରିଂ, ୟୁଟିଲିଟି ଓ ଖଣି କ୍ଷେତ୍ରରେ ନିବେଶ ବଢ଼ିଥିବା ବେଳେ ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପରେ ନିବେଶ ପରିମାଣ ହ୍ରାସ ପାଇଥିବା ଜଣାପଡ଼ିଛି। ନିବେଶ ପ୍ରକଳ୍ପଗୁଡ଼ିକ ଉପରେ ନଜର ରଖୁଥିବା ଘରୋଇ କ୍ଷେତ୍ରର ସଂସ୍ଥା ପ୍ରୋଜେକ୍ଟସ୍ ଟୁଡେ ପକ୍ଷରୁ କୁହାଯାଇଛି ଯେ ସରକାରୀ ସ୍ତରରେ ବିଭିନ୍ନ ପ୍ରକଳ୍ପରେ ନିବେଶ ହ୍ରାସ ପାଇବା ଏକ ଶୁଭସଙ୍କେତ ନୁହେଁ। ଅଳ୍ପ ସମୟ ପାଇଁ ଏହି ସ୍ଥିତି ରହିବ ବୋଲି ଏହାର ସିଇଓ ଶଶିକାନ୍ତ ହେଗ୍ଡେ ଆଶା ପ୍ରକଟ କରିଛନ୍ତି। ଦେଶର ବିଭିନ୍ନ ପ୍ରକଳ୍ପରେ ଦ୍ବିତୀୟ ତ୍ରୟମାସ ସୁଦ୍ଧା ଘରୋଇ କ୍ଷେତ୍ରର ନିବେଶ ପରିମାଣ ୪୦% ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/money-2.jpg)