ଏଲ୍‌ଆଇସିର ଦାବି ସମାଧାନ ପ୍ରକ୍ରିୟା କୋହଳ

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ସୁରକ୍ଷାକୁ ନଜରରେ ରଖି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଦାବି ସମାଧାନ ପ୍ରକ୍ରିୟାକୁ କୋହଳ କରାଯାଇଛି। ବର୍ତ୍ତମାନ ସମୟରେ ହସ୍ପିଟାଲ୍‌ରେ ମୃତ୍ୟୁ ହେଲେ ବୀମା ରାଶି ପାଇବା ପାଇଁ ଦାବି ଉପସ୍ଥାପନ କରିବା ଲାଗି ମୁନିସପାଲିଟିରୁ ମିଳୁଥିବା ମୃତ୍ୟୁ ସାର୍ଟିଫିକେଟ୍ ବଦଳରେ ମୃତ୍ୟୁର ପ୍ରମାଣ ଭାବେ ବିକଳ୍ପ ସାର୍ଟିଫିକେଟ୍‌କୁ କଂପାନି ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ମୃତ୍ୟୁ ସାର୍ଟିଫିକେଟ୍‌ର ବିକଳ୍ପ ଭାବେ ଡିସାର୍ଚ ବିବରଣୀ, ସରକାରୀ, ଇଏସ୍‌ଆଇ, ସେନା କିମ୍ବା କର୍ପୋରେଟ୍ ହସ୍ପିଟାଲ୍ ତରଫରୁ ଜାରି କରାଯାଉଥିବା ମୃତ୍ୟୁର ବିବରଣୀ ଯେଉଁଥିରେ ସମୟ ଏବଂ ତାରିଖ ସ୍ପଷ୍ଟ ଭାବେ ଉଲ୍ଲେଖ ‌ରହିଥିବ ତାହାକୁ କଂପାନି ଗ୍ରହଣ କରିବ। ଏଲ୍‌ଆଇସିର କ୍ଲାସ୍‌-୧ ଅଫିସର କିମ୍ବା ୧୦ ବର୍ଷ କାର୍ଯ୍ୟ କରିଥିବା ଡେଭେଲପ୍‌ମେଣ୍ଟ୍‌ ଅଫିସରଙ୍କ କାଉଣ୍ଟର-ସାଇନ୍‌କୁ ମଧ୍ୟ ଗ୍ରହଣ କରାଯିବ।

ବୀମା ରାଶି ପାଇବାକୁ ଦାବି ଉପସ୍ଥାପନ କରିବା ବେଳେ ମୃତ୍ୟୁର ପ୍ରମାଣପତ୍ର ସମେତ ଅନ୍ତିମ ସଂସ୍କାର ସାର୍ଟିଫିକେଟ୍‌ କିମ୍ବା କର୍ତ୍ତୃପକ୍ଷଙ୍କ ତରଫରୁ ଜାରି କରାଯାଇଥିବା ଅସଲି ପରିଚୟ ରସିଦ ଦାଖଲ କରିବାକୁ ହେବ। ପୂର୍ବରୁ ମୃତ୍ୟୁକାଳୀନ ଦାବି ସମାଧାନ ଲାଗି ଏଲ୍ଆଇସି ତରଫରୁ ମୁନିସପାଲିଟି ତରଫରୁ ଜାରି କରାଯାଉଥିବା ମୃତ୍ୟୁ ସାର୍ଟିଫିକେଟ୍‌କୁ ଗ୍ରହଣ କରାଯାଉଥିଲା। ବର୍ତ୍ତମାନ ପରିସ୍ଥିତିରେ ଗ୍ରାହକମାନେ ମାଚ୍ୟୁରିଟି ବାବଦ ପ୍ରାପ୍ୟ କିମ୍ବା ସର୍ଭାଇଭାଲ୍ ବେନିଫିଟ୍ ପାଇବା ପାଇଁ ସେବା ପାଉଥିବା ଏଲ୍‌ଆଇସି ଶାଖାରେ ପହଂଚିବାରେ ଅସୁବିଧା ସାମ୍ନା କରୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ଏଭଳି ଦାବିକୁ ଯେକୌଣସି ନିକଟସ୍ଥ ଏଲ୍‌ଆଇସି କାର୍ଯ୍ୟାଳୟର ଦାଖଲ କରିବା ଲାଗି କଂପାନି ପକ୍ଷରୁ ଅନୁମତି ଦିଆଯାଇଛି।

ପୁଞ୍ଜି ଫେରସ୍ତ ମିଳିବାର ଥିବା ଆନୁଇଟି ମାମଲାରେ ଚଳିତ ବର୍ଷ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ କରିବାରେ ଛାଡ଼ ପ୍ରଦାନ କରାଯାଇଛି। ଅନ୍ୟ ମାମଲାରେ ଗ୍ରାହକମାନେ ଗ୍ରହଣ‌ଯୋଗ୍ୟ ଜୀବନ ପ୍ରମାଣପତ୍ରକୁ ଇ-ମେଲ୍ ଜରିଆରେ ପଠାଇପାରିବେ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଭିଡିଓ କଲ୍ ଜରିଆରେ ଲାଇଫ୍ ସାର୍ଟିଫକେଟ୍‌ ହାସଲ କରିବା ପ୍ରକ୍ରିୟାକୁ କଂପାନି କାର୍ଯ୍ୟକାରୀ କରିଛି। ଏହା ବ୍ୟତୀତ ପଲିସି କିଣିବା, ନବୀକରଣ ପ୍ରିମିୟମ୍‌ ପଇଠ କରିବା, ଋଣ ଆବେଦନ କରିବା, ଋଣ ପରିଶୋଧ କରିବା, ଋଣ ସୁଧ ପଇଠ କରିବା ଓ ଠିକଣା ପରିବର୍ତ୍ତନ ଆଦି କାମକୁ ପଲିସିଧାରକମାନେ କଂପାନିର ୱେବସାଇଟ୍‌ ଜରିଆରେ କରିପାରିବେ।

ସମ୍ବନ୍ଧିତ ଖବର