ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପ୍ରଶାସକଙ୍କ ପ୍ରତିଶ୍ରୁତି ଗ୍ରାହକଙ୍କ ଟଙ୍କା ସୁରକ୍ଷିତ

ଶାଖା, ଏଟିଏମ୍ ଖୋଲିବାକୁ ଅଗ୍ରାଧିକାର, ଡିସେମ୍ବର ୧୬ ସୁଦ୍ଧା ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ସହ ମିଶ୍ରଣ

ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି ବ୍ୟାଙ୍କର ପରିଚାଳନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଯୁକ୍ତ କରିଥିବା ପ୍ରଶାସକ ଟି ଏନ୍‌ ମନୋହରନ୍ କହିଛନ୍ତି। ରିଜର୍ଭ ବ୍ୟାଙ୍କ ଦ୍ବାରା ନିର୍ଧାରିତ ସମୟ ସୀମା ଭିତରେ ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ସହ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ହେବ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ଲକ୍ଷ୍ମୀ ବିଳାସ ବ୍ୟାଙ୍କର ୫୬୩ ଶାଖା ଥିବା ବେଳେ ବ୍ୟାଙ୍କ ପାଇଁ ୪୧୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ୨୦୧୯ ସେପ୍ଟେମ୍ବରରେ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର କଠୋର ପ୍ରମ୍ପଟ୍‌ କରେକ୍ଟିଭ୍ ଆକ୍ସନ (ପିସିଏ) ଅଧୀନକୁ ଅଣାଯାଇଥିଲା। ଏହାର ପୂର୍ବ ଦୁଇ ବର୍ଷ ଏହି ବ୍ୟାଙ୍କ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିବା ଘରୋଇ କ୍ଷେତ୍ରର ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ବୋର୍ଡକୁ ରିଜର୍ଭ ବ୍ୟାଙ୍କ ଗତକାଲି ନିଜ ଅକ୍ତିଆରକୁ ଆଣିବା ସହ କାନାରା ବ୍ୟାଙ୍କର ପୂର୍ବତନ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଟି ଏନ୍ ମନୋହରନ୍‌ଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରିଥିଲେ। ଏଥି ସହିତ ବ୍ୟାଙ୍କ ଉପରେ ମୋରାଟୋରିଅମ୍ ଲାଗୁ କରାଯାଇଥିବା ବେଳେ ଗ୍ରାହକମାନେ ଖାତା ପିଛା ସର୍ବାଧିକ ୨୫ ହଜାର ଟଙ୍କା ଉଠାଇପାରିବେ ବୋଲି କଟକଣା ଜାରି କରାଯାଇଛି। ଡିସେମ୍ବର ୧୬ ସୁଦ୍ଧା ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ସହ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ହେବାର ଅଛି। ନିର୍ଧାରିତ ସମୟ ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ ବୋଲି ମନୋହରନ କହିଛନ୍ତି। ବର୍ତ୍ତମାନ ବ୍ୟାଙ୍କର କାରବାର ଅଟକି ଯାଇଛି। ଯଥାଶୀଘ୍ର ବ୍ୟାଙ୍କର ଏଟିଏମ୍‌ ଓ ଶାଖାଗୁଡ଼ିକୁ ଖୋଲିବା ଉପରେ ପ୍ରଶାସକ ଗୁରୁତ୍ବ ଦେଉଛନ୍ତି। ଡିବିଏସ୍‌ ବ୍ୟାଙ୍କ ଇଣ୍ଡିଆ ସହ ମିଶ୍ରଣ ହେବା ପରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସମସ୍ତ କର୍ମଚାରୀ ଡିବିଏସ୍‌ର ଅଂଶ ହେବେ।

ଗ୍ରାହକମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ ସେ କହିଛନ୍ତି ଯେ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ରହିଛି। ଗ୍ରାହକମାନେ ଯେତିକି ଟଙ୍କା ଉଠାଇବାକୁ ଚାହୁଛନ୍ତି ତାହା ଯୋଗାଡ଼ କରିବାକୁ ଅଗ୍ରାଧିକାର ଦିଆଯାଉଛି। ଅର୍ଥର ଯେଭଳି କୌଣସି ଅଭାବ ନରୁହେ ତାହା ନିଶ୍ଚିତ କରିବା ଲାଗି ସେ ରିଜର୍ଭ ବ୍ୟାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଜମା ଆକା‌ରରେ ବ୍ୟାଙ୍କରେ ୨୦ ହଜାର କୋଟି ଟଙ୍କା ଥିବା ବେଳେ ଏହା ୧୭ ହଜାର କୋଟି ଟଙ୍କା ଅଗ୍ରୀମ ଆକାରରେ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର