ଜିଏସ୍‌ଟି ସଂଗ୍ରହରେ ରେକର୍ଡ, ଲକ୍ଷେ ୪୧ ହଜାର କୋଟି ଟପିଲା

ନୂଆଦିଲ୍ଲୀ: ସାରା ଦେଶ କରୋନା ମହାମାରୀର ଦ୍ବିତୀୟ ଲହରର ଭୟଙ୍କର ସ୍ଥିତିକୁ ସାମ୍ନା କରୁଥିବା ବେଳେ ଅର୍ଥନୀତି ଆଡ଼ୁ ଭଲ ଖବର ଆସିଛି। ଚଳିତ ବର୍ଷ ଏପ୍ରିଲ୍‌ରେ ୧,୪୧,୩୮୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ଜିଏସ୍‌ଟି ଲାଗୁ ‌‌ହେବା ପରଠାରୁ କୌଣସି ଗୋଟିଏ ମାସରେ ଏତେ ଅଧିକ ପରିମାଣର ଜିଏସ୍‌ଟି ସଂଗ୍ରହ ହୋଇନଥିଲା। ଏହା ହେଉଛି ସର୍ବକାଳୀନ ରେକର୍ଡ। ଏପ୍ରିଲ୍‌ରେ ୨୭,୮୩୭ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୩୫,୬୨୧ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୬୮,୪୮୧ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ସଂଗ୍ରହ କରାଯାଇଛି।

ଜିଏସ୍‌ଟି ସଂଗ୍ରହରେ ବିଗତ ଛଅ ମାସ ହେଲାଣି ଯେଉଁ ଭଳି ଭାବେ ବୃଦ୍ଧି ଘଟୁଛି ତାହାକୁ ଅର୍ଥନୀତିରେ ହେଉଥିବା ସୁଧାରର ଏକ ସଙ୍କେତ ଭାବେ ବିଚାର କରାଯାଉଛି। ୨୦୨୧ ମାର୍ଚ୍ଚ ତୁଳନାରେ ଏପ୍ରିଲ୍‌ରେ ୧୪% ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ଦେଶ ଭିତରେ ହୋଇଥିବା କାରବାରରୁ ରାଜସ୍ବ ସଂଗ୍ରହ‌ରେ ୨୧% ବୃଦ୍ଧି ଘଟିଛି। ବିଗତ ସାତ ମାସ ଧରି ମାସିକ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହି ସମୟ ଭିତରେ ଅର୍ଥନୀତିରେ ସୁଧାର ହୋଇଥିବା କୁହାଯାଉଛି। ମାତ୍ର କରୋନା ସଂକ୍ରମଣର ଦ୍ବିତୀୟ ଲହର ପୁଣି ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହା ଅର୍ଥନୀତି ପାଇଁ ଆଉ ଏକ ଶକ୍ତ ଧକ୍କା ସାବ୍ୟସ୍ତ ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ତେବେ ଜାଲ ବିଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ଡାଟାକୁ ବ୍ୟବହାର କରି ଠକେଇ ରୋକିବା ଲାଗି ଉଦ୍ୟମ ଭଳି କେତେକ ପଦକ୍ଷେପ ଗ୍ରହଣ କରାଯିବାରୁ ଜିଏସ୍‌ଟି ଆଦାୟରେ ଉନ୍ନତି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର