ସୁଧ ବଢ଼ାଇଲା ରିଜର୍ଭ ବ୍ୟାଙ୍କ: ୪ ବର୍ଷ ପରେ ହଠାତ୍‌ ୦.୪୦% ବଢ଼ିଲା, ଦରଦାମ୍ ନିୟନ୍ତ୍ରଣ ମୁଖ୍ୟ ଲକ୍ଷ୍ୟ

ବଢ଼ିବ ଇଏମ୍‌ଆଇ, ଋଣ ସୁଧ

ମୁମ୍ବାଇ: ଦରଦାମ୍ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବାରୁ ତାହା ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ରିଜର୍ଭ ବ୍ୟାଙ୍କ ଆଜି ଏକ ବଳିଷ୍ଠ ପଦକ୍ଷେପ ନେଇଛି। ଚାରି ବର୍ଷ ପରେ ପ୍ରଥମ ଥର ସୁଧ ବଢ଼ାଇ ଦେଶବାସୀଙ୍କୁ ଚକିତ କରିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କୌଣସି ପୂର୍ବ ସୂଚନା ବିନା ଆଜି ଦିନ ଦୁଇଟାରେ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ଶକ୍ତିକାନ୍ତଙ୍କ ଅଚାନକ ଏଭଳି ଘୋଷଣା ଅନେକଙ୍କୁ ବିସ୍ମିତ କରିଛି। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ବୈଠକ ମେ’ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେଥିରେ ରେପୋ ହାର ୦.୪୦ ପ୍ରତିଶତ ବଢ଼ାଇ ୪.୪୦ ପ୍ରତିଶତ କରିବା ଓ ନଗଦ ଜମା ଅନୁପାତ (ସିଆରଆର୍‌)ରେ ୦.୫୦ ପ୍ରତିଶତ ବୃଦ୍ଧି କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୁଧ ହାର ବୃଦ୍ଧି ପଛର କାରଣ ସମ୍ପର୍କରେ ଶକ୍ତିକାନ୍ତ କହିଛନ୍ତି ଯେ ମୁଦ୍ରାସ୍ଫୀତିରେ ବୃଦ୍ଧି, ଭୌଗୋଳିକ-ରାଜନୈତିକ ଉତ୍ତେଜନା, ଅଶୋଧିତ ତୈଳର ବର୍ଦ୍ଧିତ ଦର ଓ ସାରା‌ ବିଶ୍ବରେ ବିଭିନ୍ନ ସାମଗ୍ରୀର ଅଭାବ ଯୋଗୁ ଭାରତୀୟ ଅର୍ଥନୀତି ପ୍ରଭାବିତ ହୋଇଛି। ତାହାକୁ ଦୃଷ୍ଟିରେ ରଖି ସୁଧ ବଢ଼ାଇବା ନିଷ୍ପତ୍ତି ନିଆଯାଇଛି। ବିଶ୍ବର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ଘଟଣା ଅର୍ଥନୀତିକୁ ଆହୁରି ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଦରଦାମ୍ ସ୍ଥିତି ଅର୍ଥନୈତିକ ଅଧୋଗତିର କାରଣ ହୋଇଥାଏ। ସେଥିପାଇଁ ମୁଦ୍ରାସ୍ଫୀତି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ସୁଧ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଖାଦ୍ୟ ସାମଗ୍ରୀଗୁଡ଼ିକର ଦର ଉଚ୍ଚ ସ୍ତରରେ ରହିବାର ଆଶଙ୍କା ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି। ସାରା ବିଶ୍ବରେ ଗହମର ଅଭାବ ଦେଖାଦେଇଛି। ଭାରତରେ ଯଦିଓ ଗହମ ଯୋଗାଣ ସ୍ଥିତି ସ୍ବାଭାବିକ ରହିଛି, ମାତ୍ର ବିଶ୍ବ ବଜାରର ପ୍ରଭାବରେ ଦେଶରେ ଗହମ ମହଙ୍ଗା ହୋଇପାରେ ବୋଲି ସେ କହିଛନ୍ତି।

୨୦୧୮ ଅଗଷ୍ଟ ପରେ ପ୍ରଥମ ଥର ଲାଗି ରିଜର୍ଭ ବ୍ୟାଙ୍କ ସୁଧ ହାର ବଢ଼ାଇଛି। ଏହାର ପ୍ରଭାବରେ ଋଣ ନେଇଥିବା ବ୍ୟକ୍ତିବିଶେଷ ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକ ଉପରେ ବୋଝ ବଢ଼ିବ। ଇଏମ୍‌ଆଇରେ ବୃଦ୍ଧି ହେବ। ‌ଘର ଓ ଗାଡ଼ି କିଣିବା ପାଇଁ କିମ୍ବା ବ୍ୟକ୍ତିଗତ ଋଣ ନେଇଥିବା ଲୋକମାନଙ୍କ ଇଏମ୍‌ଆଇ ବଢ଼ିବ। ବାଣିଜ୍ୟିକ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଋଣ ସୁଧ ମଧ୍ୟ ଆଗାମୀ ଦିନରେ ବଢ଼ିବ। ଯେଉଁମାନେ ନୂଆ ଋଣ ପାଇଁ ଆବେଦନ କରିବେ ସେମାନଙ୍କୁ ଅଧିକ ସୁଧ ଗଣିବାକୁ ପଡ଼ିବ।
ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ରିଜର୍ଭ ବ୍ୟାଙ୍କର ଏକ ପ୍ରମୁଖ ଦାୟିତ୍ବ। ଗତ କିଛି ବର୍ଷ ହେଲାଣି ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇବାରେ ସହଯୋଗ କରିବା ଲାଗି ରିଜର୍ଭ ବ୍ୟାଙ୍କ ଜାଣିଶୁଣି ସୁଧକୁ ସର୍ବନିମ୍ନ ସ୍ତରକୁ ହ୍ରାସ କରିବା ପରେ ତାହାକୁ ସେହିଠାରେ ଅପରିବର୍ତ୍ତିତ ରଖିଥିଲା। ମାତ୍ର ଗତ ଦୁଇ ବର୍ଷ ହେଲାଣି ବିଭିନ୍ନ ସାମଗ୍ରୀର ଦରରେ ହୋଇଥିବା ବୃଦ୍ଧିକୁ ରୋକିବା ରିଜର୍ଭ ବ୍ୟାଙ୍କ ଲାଗି ସମ୍ଭବ ହୋଇନଥିଲା। ଖୁଚୁରା ମୁଦ୍ରାସ୍ଫୀତିକୁ ୬%ରେ ରଖିବାର ଲକ୍ଷ୍ୟ ଥିଲା। ତାହା ନିର୍ଧାରିତ ସୀମା ଅତିକ୍ରମ କରିଛି। ପେଟ୍ରୋଲ୍, ଡିଜେଲ୍‌ ଓ ଖାଇବା ତେଲ ଦାମ୍ ଆକାଶଛୁଆଁ ସ୍ତରରେ ରହିଛି। ଦରଦାମ୍ ନିୟନ୍ତ୍ରଣ ଦାୟିତ୍ବକୁ ରିଜର୍ଭ ବ୍ୟାଙ୍କ ବହୁ ଦିନ ଅଣଦେଖା କରିବା ପରେ ଆଉ ସ୍ଥିତିକୁ ସମ୍ଭାଳି ନପାରିବାରୁ ସୁଧ ବଢ଼ାଇବାକୁ ବାଧ୍ୟ ହୋଇଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ସମ୍ବନ୍ଧିତ ଖବର