ନୂଆଦିଲ୍ଲୀ: ମୋରାଟୋରିଅମ୍‌ ଅବଧିରେ ଋଣ ସୁଧ ଛାଡ଼ କରିହେବ ନାହିଁ। ଏହା ହେଲେ ବ୍ୟାଙ୍କ ଶିଳ୍ପ ୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ଯାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧% ସହ ପ୍ରାୟ ସମାନ। ଆଜି ସୁପ୍ରିମକୋର୍ଟରେ ଏସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ତଥ୍ୟ ଦେଇଛନ୍ତି। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଋଣ ଗ୍ରାହକଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ୬ ମାସର ମୋରାଟୋରିଅମ୍ ସୁବିଧା ପ୍ରଦାନ କରିଛନ୍ତି ଯାହା ଚଳିତ ବର୍ଷ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ମିଳିବ। ଗ୍ରାହକଙ୍କ ଆର୍ଥିକ ବୋଝକୁ କିଛିଦିନ ହାଲୁକା କରିବା ଲାଗି ଏଭଳି ପଦକ୍ଷେପ ଘୋଷଣା କରାଯାଇଥିଲା। ଆଜି କୋର୍ଟଙ୍କୁ ରିଜର୍ଭ ବ୍ୟାଙ୍କ କହିଛନ୍ତି ଯେ ମୋ‌ରାଟୋରିଅମ୍‌ ହେଉଛି ଇଏମ୍‌ଆଇକୁ କିଛି ଦିନ ଟାଳିବା। ପେମେଣ୍ଟ୍‌ ଉପରେ ଏହା ଛାଡ଼ ନୁହେଁ। ଏକ ନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ କେବଳ ଋଣ ଓ ତା’ ଉପରେ ଆଦାୟ କରାଯାଉଥିବା ସୁଧ ଆଦାୟକୁ କିଛିଦିନ ଏଡ଼ାଇହେବ।

Advertisment

ମୋ‌ରାଟୋରିଅମ୍ ଅବଧିରେ ସୁଧ ଛାଡ଼ ସୁବିଧା ଦେବା ଲାଗି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାର ଶୁଣାଣି କରି ରିଜର୍ଭ ବ୍ୟାଙ୍କକୁ ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଥିଲେ। ରିଜର୍ଭ ବ୍ୟାଙ୍କ ଦାଖଲ କରିଥିବା ସତ୍ୟପାଠରେ ଜଣାଇଛି ଯେ, ସବୁ କ୍ଷେତ୍ରକୁ ରିଲିଫ୍ ପ୍ରଦାନ କରିବା ଲାଗି ରିଜର୍ଭ ବ୍ୟାଙ୍କ ପ୍ରୟାସ କରୁଛି। ବଳପୂର୍ବକ ସୁଧ ଛାଡ଼ ସୁବିଧା ଦେବା ଉପଯୁକ୍ତ ପଦକ୍ଷେପ ନୁହେଁ ବୋଲି ଏହା ଭାବୁଛି। ଏହା ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ବିପଦରେ ପକାଇବ ଏବଂ ଜମାକାରୀଙ୍କ ସ୍ବାର୍ଥକୁ କ୍ଷତି ପହଞ୍ଚାଇବ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛନ୍ତି। ଏହି ମାମଲାର ଶୁଶାଣି ବେଳେ ସୁପ୍ରିମକୋର୍ଟର ବିଚାରପତି ଆଶୋକ ଭୂଷଣ, ଏମ୍‌ଆର୍‌ ଶାହ ଓ ଏସ୍‌କେ କୌଲଙ୍କ ଖଣ୍ଡପୀଠ ରିଜର୍ଭ ବ୍ୟାଙ୍କକୁ କହିଥିଲେ ଯେ, ଲୋକଙ୍କ ସ୍ବାସ୍ଥ୍ୟଠାରୁ ଅର୍ଥନୈତିକ ପ୍ରସଙ୍ଗ ବଡ଼ ନୁହେଁ। ମୋରାଟୋରିଅମ୍‌ ସୁବିଧା ଦେଇ ସେହି ସମୟର ସୁଧ ଛାଡ଼ ନକରିବା ଅଧିକ ଚିନ୍ତାଜନକ ବୋଲି କୋର୍ଟ କହିଛନ୍ତି। ସୁଧ ଛାଡ଼ର ପ୍ରଭାବ ବିଷୟରେ ଅର୍ଥ ମନ୍ତ୍ରଣାଳୟ ଏବେ ଅନୁଧ୍ୟାନ କରୁଛି। ଏହି ପ୍ରସଙ୍ଗରେ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ମିଳିତ ଉତ୍ତର ରଖନ୍ତୁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୧୨ରେ ହେବ। କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌କୁ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମେ ତିନି ମାସ ପାଇଁ ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା। ଗତ ମେ’ ୨୨ରେ ସେହି ସୁବିଧାର ଅବଧିକୁ ଆଉ ତିନି ମାସ ବଢ଼ାଇ ଦିଆଯାଇଥିଲା। ମୋରାଟୋରିଅମ୍ ଅବଧିର ସୁଧ ଆଦାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ସେହି ମାମଲାର ଶୁଣାଣି କରି ଗତ ମେ’ ୨୬ରେ ରିଜର୍ଭ ବ୍ୟାଙ୍କକୁ ସୁପ୍ରିମକୋର୍ଟ ଉତ୍ତର ମାଗିଥିଲେ। କୋର୍ଟଙ୍କ ପାଖରେ ରିଜର୍ଭ ବ୍ୟାଙ୍କର ସତ୍ୟପାଠ ପହଞ୍ଚିବା ପୂର୍ବରୁ ତାହା ଗଣମାଧ୍ୟମରେ ଲିକ୍‌ ହୋଇଯାଇଥିଲା। ଏହାକୁ ନେଇ କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।