ନୂଆଦିଲ୍ଲୀ: କୋଲକାତାର ବ୍ୟାବସାୟିକ ସଂସ୍ଥା ଶ୍ରେୟୀ ଗ୍ରୁପ୍ର ଦୁଇ କଂପାନି ଶ୍ରେୟୀ ଇନ୍ଫ୍ରାଷ୍ଟ୍ରକ୍ଚର ଫାଇନାନ୍ସ ଓ ଶ୍ରେୟୀ ଇକ୍ବିପ୍ମେଣ୍ଟ୍ ଫାଇନାନ୍ସର ବୋର୍ଡକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ହଟାଇବା ସହ ଉଭୟ କଂପାନିକୁ ନିଜ ଅକ୍ତିଆରକୁ ଆଣିଛନ୍ତି। ଉଭୟ କଂପାନିରେ ପ୍ରଶାସନିକ ଅବ୍ୟବସ୍ଥା ଥିବାର ଅଭିଯୋଗ ରହିଥିଲା ଓ ବିଭିନ୍ନ ଦେୟ ଦେବାରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ଉଭୟ କଂପାନିର ବୋର୍ଡକୁ ରିଜର୍ଭ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ୧୯୩୪ର ଧାରା ୪୫-ଆଇଇ(୧) ଅଧୀନରେ ରହିଥିବା କ୍ଷମତାକୁ ବ୍ୟବହାର କରି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ରଜନୀଶ ଶର୍ମାଙ୍କୁ କଂପାନିର ନୂଆ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ ସହଯୋଗ କରିବା ଲାଗି ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ପୂର୍ବତନ ସିଇଓ ଆର୍ ସୁବ୍ରମଣିଅନକୁମାର, ସୁନ୍ଦରମ ଫାଇନାନ୍ସର ପୂର୍ବତନ ଏମ୍ଡି ଟି ଟି ଶ୍ରୀନିବାସରାଘବନ ଓ ଟାଟା ସନ୍ସର ପୂର୍ବତନ ସିଓଓ ଫାରୁଖ ଏନ୍ ସୁବେଦାରଙ୍କୁ ନେଇ ତିନି ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି। ଇନସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କ୍ରପ୍ସି କୋଡ୍ (ଆଇବିସି) ନିୟମ ୨୦୧୯ ଅଧୀନରେ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି) ସମ୍ପର୍କିତ ମାମଲା ସମାଧାନ ଲାଗି ଯେଉଁ ବ୍ୟବସ୍ଥା ରହିଛି ସେହି ଆଧାରରେ ଶୁଣାଣି ଲାଗି ଖୁବ୍ଶୀଘ୍ର ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଟି)ରେ ଆବେଦନ କରାଯିବ। ଏଥିପାଇଁ ନୂଆ ପ୍ରଶାସକ ଶ୍ରୀ ଶର୍ମା ଇନ୍ସଲ୍ଭେନ୍ସି ସମାଧାନ ପେସାଦାର ନିଯୁକ୍ତ କରିବେ।
ଶ୍ରେୟୀ ଇନଫ୍ରାଷ୍ଟ୍ରକ୍ଚର ଫାଇନାନ୍ସ ଓ ଶ୍ରେୟୀ ଇକ୍ବିପ୍ମେଣ୍ଟ୍ ଫାଇନାନ୍ସ ଉପରେ ବିଭିନ୍ନ ସଂସ୍ଥାର ୩୫ ହଜାର କୋଟି ଟଙ୍କା ବାକି ରହିଛି। ସେଥିରୁ କେବଳ ବ୍ୟାଙ୍କଗୁଡ଼ିକ ୧୮ ହଜାର କୋଟି ଟଙ୍କା ପାଇବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କ ଭଳି ୧୫ଟି ବ୍ୟାଙ୍କ ଶ୍ରେୟୀ ଗ୍ରୁପ୍କୁ ଋଣ ଦେଇଥିଲେ। ଏହା ବ୍ୟତୀତ ବହିଃବାଣିଜ୍ୟିକ ଋଣ ଏବଂ ବଣ୍ଡ୍ ବାବଦରେ କଂପାନିକୁ ୧୦ ହଜାର କୋଟି ଟଙ୍କା ଶୁଝିବାର ଅଛି। ଶ୍ରେୟୀ ଠାରୁ ନିଜ ପ୍ରାପ୍ୟ ଫେରିପାଇବା ଲାଗି କଂପାନି କର୍ତ୍ତୃପକ୍ଷଙ୍କ ସହ ଋଣ ଦେଇଥିବା ସଂସ୍ଥାଗୁଡ଼ିକ ଅନେକ ଥର ଆଲୋଚନା କରି ବିଫଳ ହୋଇଥିଲେ।