ଟଙ୍କାକୁ ରକ୍ଷା କରି‌ବ ରିଜର୍ଭ ବ୍ୟାଙ୍କ: ଭଣ୍ଡାରରୁ ବାହାର କରିବ ୧୦,୦୦୦ କୋଟି ଡଲାର

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହୋଇପଡ଼ିଥିବା ଟଙ୍କାକୁ ରକ୍ଷା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛି। ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ଡଲାରକୁ ବାହାର କରାଯିବ। ପ୍ରାୟ ୧୦,୦୦୦ କୋଟି ଡଲାର ବ୍ୟୟ କରି ଟଙ୍କାକୁ ସୁଦୃଢ଼ କରାଯିବ। ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାରର ଏକ ଷଷ୍ଠାଂଶ ମୁଦ୍ରାକୁ ଏଥିପାଇଁ ବ୍ୟବହାର କରାଯିବ। ୨୦୨୨ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭%ରୁ ଅଧିକ ହ୍ରାସ ପାଇଛି। ଗତକାଲି ତାହା ପ୍ରଥମ ଥର ଲାଗି ୮୦ ଟଙ୍କା ସ୍ତର ପାର କରିଥିଲା। ଆଜି ଏକ ଡଲାର ମୂଲ୍ୟ ୭୯.୯୯ ଟଙ୍କା ରହିଛି। ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ସମ୍ଭବ ଉପାୟରେ ହସ୍ତକ୍ଷେପ କରିବା ସତ୍ତ୍ବେ ଟଙ୍କା ଏଭଳି ଦୁର୍ବଳ ସ୍ତରରେ ରହିଛି। ଅନ୍ୟଥା ତାହା ଆହୁରି ନିମ୍ନ ସ୍ତରକୁ ଖସିଯାଇଥାନ୍ତା ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଟଙ୍କାକୁ ରକ୍ଷା କରିବା ଲାଗି ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ କମ୍ ଦାମ୍‌ରେ ଡଲାର ବିକ୍ରି କରୁଛି। ସେଥିପାଇଁ ବୈଦେଶିକ ମୁଦ୍ରା ଭଣ୍ଡାର ସଙ୍କୁଚିତ ହେବାରେ ଲାଗିଛି।

ଗତବର୍ଷ ସେପ୍ଟେମ୍ବରରେ ଏହି ଭଣ୍ଡାରରେ ୬୪,୨୪୫ କୋଟି ଡଲାରରୁ ଅଧିକ ମୂଲ୍ୟର ବିଦେଶୀ ମୁଦ୍ରା ଥିଲା। ସେଥିରୁ ନିୟମିତ ବ୍ୟବଧାନରେ ଡଲାର ବାହାର କରି ବିକ୍ରି କରାଯାଉଥିବାରୁ ଭଣ୍ଡାର ମୂଲ୍ୟ ସଙ୍କୁଚିତ ହୋଇ ୫୮,୦୦୦ କୋଟି ଡଲାର ତଳକୁ ଖସିଆସିଛି। ଏହା ସତ୍ତ୍ବେ ଭାରତର ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାର ବିଶ୍ବର ପଞ୍ଚମ ବଡ଼ ଭଣ୍ଡାର ହୋଇ ରହିଛି। ତେଣୁ, ମୁଦ୍ରା ମୂଲ୍ୟର ଅସ୍ଥିରତାକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ ଯଥେଷ୍ଟ ପରିମାଣର ପାଣ୍ଠି ଥିବା କୁହାଯାଉଛି। ବିଶେଷଜ୍ଞମାନଙ୍କ ମତରେ ଟଙ୍କାକୁ ସୁରକ୍ଷା ଦେବା ଲାଗି ବିଦେଶୀ ମୁଦ୍ରା ବ୍ୟୟ କରିବା ଲାଗି ରିଜର୍ଭ ବ୍ୟାଙ୍କର ଆଗ୍ରହ ଅଛି। ଅତୀତରେ ତାହା ବହୁବାର ପ୍ରମାଣିତ ହୋଇଛି। ଟଙ୍କାକୁ ଉଦ୍ଧାର କରିବା ଲାଗି ରିଜର୍ଭ ବ୍ୟାଙ୍କ ୧୦,୦୦୦ କୋଟି ଡଲାର ପର୍ଯ୍ୟନ୍ତ ବ୍ୟୟ କରିପାରିବ। ଟଙ୍କାକୁ ସୁରକ୍ଷା ଦେବା କିମ୍ବା ଏକ ନିର୍ଦିଷ୍ଟ ସ୍ତରରେ ତାହାକୁ ଧରି ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। କିନ୍ତୁ ଟଙ୍କା ଦାମ୍‌ରେ ହଠାତ୍‌ ଯେଭଳି ବଡ଼ ଧରଣର ହ୍ରାସ ନହୁଏ ତାହା ନିଶ୍ଚିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଉଦ୍ୟମ କରୁଛି। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାର ଏକ ବଡ଼ କାରଣ ହେଉଛି ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ତେବେ ଟଙ୍କା ମୂଲ୍ୟକୁ ସୁରକ୍ଷା ଦେବା ଲାଗି ରପ୍ତାନିକାରୀମାନେ ମଧ୍ୟ ଡଲାର ବିକ୍ରି କରିବା ଆରମ୍ଭ କରିଛନ୍ତି।

ଭାରତ ଏବେ ଉଚ୍ଚ ମୁଦ୍ରାସ୍ଫୀତି ଓ ଦୁର୍ବଳ ମୁଦ୍ରା ଭଳି ଏକ ଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଲଢ଼େଇ ଜାରି ରଖିଥିବା ବେଳେ ଦୁର୍ବଳ ମୁଦ୍ରା ସେହି ଲଢ଼େଇକୁ ଆହୁରି ଦୁର୍ବଳ କରୁଛି। ଉଭୟ ଟଙ୍କା ଓ ଦରଦାମ୍ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ରିଜର୍ଭ ବ୍ୟାଙ୍କ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି।

ସମ୍ବନ୍ଧିତ ଖବର