କୋଭିଡ୍ ମୁକାବିଲା ଲାଗି ରିଜର୍ଭ ବ୍ୟାଙ୍କର ୨୫୦ ଜଣିଆ ଟିମ୍, ଘର ଠାରୁ ଦୂରରେ ସଙ୍ଗରୋଧରେ ରହିଛନ୍ତି

ମୁମ୍ବାଇ: ଦେଶର ଆର୍ଥିକ କାରବାର ଯେଭଳି ସୁରୁଖୁରୁରେ ଚାଲିବ ଏବଂ କୌଣସି ପ୍ରକାର ବିଭ୍ରାଟ ଦେଖା‌ନଦେବ ତାହା ନିଶ୍ଚିତ କରିବା ଲାଗି ଗତବର୍ଷ ମହାମାରୀରୁ ଯେଉଁ ଶିକ୍ଷା ମିଳିଥିଲା ତାହାକୁ ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ବ୍ୟବହାର କରିଛି। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଜାରି ରଖିବା ଲାଗି ୨୫୦ ଜଣଙ୍କୁ ନେଇ ରଜର୍ଭ ବ୍ୟାଙ୍କ ଏକ ଟିମ୍ ଗଠନ କରିଛି। ସେମାନେ ନିଜ ଘର ଠାରୁ ଦୂରରେ ସଙ୍ଗରୋଧରେ ରହି କାମ କରୁଛନ୍ତି ବୋଲି ଆଜି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଗତବର୍ଷ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା ହେବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଏହିଭଳି ବ୍ୟବସ୍ଥା କରି ସଫଳ ହୋଇଥିଲା। ଗତବର୍ଷ ଏକ ହୋଟେଲ୍‌ରେ ସଙ୍ଗରୋଧରେ ରହି ରିଜର୍ଭ ବ୍ୟାଙ୍କ ଅଧିକାରୀମାନେ କାର୍ଯ୍ୟ କରିଥିଲେ। ଏଥର ସେମାନେ ରିଜର୍ଭ ବ୍ୟାଙ୍କ ପରିସରରେ ଅଛନ୍ତି ନା ଗତବର୍ଷ ଭଳି କୌଣସି ସ୍ବତନ୍ତ୍ର ସ୍ଥାନରୁ କାମ କରୁଛନ୍ତି ତାହା ଜଣାପଡ଼ିନାହିଁ। ‌

ଗତବର୍ଷ ଏକ ହୋଟେଲ୍‌ରେ ରିଜର୍ଭ ବ୍ୟାଙ୍କର ୧୫୦ ଜଣ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଯାଇଥିଲା। ଏହି ବ୍ୟବସ୍ଥା ଗୋଟିଏ ଦିନରେ କରାଯାଇଥିଲା। ସେମାନଙ୍କୁ ୭୦ ଜଣ ହୋଟେଲ୍‌ ଷ୍ଟାଫ୍ ଓ ୬୦୦ ବାହ୍ୟ ଭେଣ୍ଡର ସାହାଯ୍ୟ କରୁଥିଲେ। ସେମାନେ ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି, ଇ-କୁବେର, ରାଜ୍ୟ ସରକାରଙ୍କ କାରବାର, ବ୍ୟାଙ୍କଗୁଡ଼ିକ ଭିତରେ ହେଉଥିବା କାରବାର, ମୁଦ୍ରା ବଜାର, ମୁଦ୍ରାନୀତି, କୋଷାଗାର ପରିଚାଳନା, ମୁଦ୍ରା ଭଣ୍ଡାର ଏବଂ ବଣ୍ଟନ ପରିଚାଳନା ଆଦି କାର୍ଯ୍ୟ କରୁଥିଲେ। ରିଜର୍ଭ ବ୍ୟାଙ୍କର ୱେବସାଇଟ୍‌, ଇ-ମେଲ୍‌ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ୩୫ ପ୍ରକାର ଆପ୍ଲିକେସନର ଦେଖାଣୁଣା କରୁଥିଲେ।

ସମ୍ବନ୍ଧିତ ଖବର