ନୂଆଦିଲ୍ଲୀ: ଦେଶରେ ଗ୍ରାମାଞ୍ଚଳ ଲୋକଙ୍କ ମାସିକ ମୁଣ୍ଡପିଛା ଖର୍ଚ୍ଚ ବଢ଼ୁଛି। ଫଳରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ମୁଣ୍ଡପିଛା ଖର୍ଚ୍ଚରେ ଥିବା ପାର୍ଥକ୍ୟ ୭୧.୨ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୧-୧୨ ଆର୍ଥିକ ବର୍ଷରେ ଏହି ପାର୍ଥକ୍ୟ ୮୩.୯ ପ୍ରତିଶତ ରହିଥିଲା। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରକାଶ ହୋଇଥିବା ପାରିବାରିକ ଖର୍ଚ୍ଚ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment

କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳର ସବୁଠୁ ଗରିବ ୫ ପ୍ରତିଶତ ଲୋକଙ୍କ ମାସିକ ହାରାହାରି ଖର୍ଚ୍ଚ ୧୩୭୩ ଟଙ୍କା ରହିଥିବାବେଳେ ସହରାଞ୍ଚଳର ସବୁଠୁ ଗରିବ ୫ ପ୍ରତିଶତ ଲୋକଙ୍କ ମାସିକ ହାରାହାରି ଖର୍ଚ୍ଚ ୨୦୦୧ ଟଙ୍କା ରହିଛି। ଗାଁରେ ଗରିବ ଲୋକଟିଏ ଦୈନିକ ୪୬ ଟଙ୍କା ଖର୍ଚ୍ଚ କରି ଗୁଜୁରାଣ ମେଣ୍ଟାଉଛି। ଅନ୍ୟ ପକ୍ଷରେ ଗ୍ରାମାାଞ୍ଚଳରେ ଧନୀ ୫ ପ୍ରତିଶତ ଲୋକଙ୍କ ହାରାହାରି ମାସିକ ଖର୍ଚ୍ଚ ଗ୍ରାମାଞ୍ଚଳରେ ୧୦,୫୦୧ ଟଙ୍କା ଥିବାବେଳେ ସହରାଞ୍ଚଳରେ ଏହା ୨୦,୮୨୪ ଟଙ୍କା ରହିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ସବୁଠୁ ଗରିବ ୫ ପ୍ରତିଶତ ଲୋକଙ୍କ ତୁଳନାରେ ସବୁଠୁ ଧନୀ ୫ ପ୍ରତିଶତ ଧନୀଙ୍କ ଖର୍ଚ୍ଚରେ ୭.୬୫ ଗୁଣା ଅଧିକ ରହିଛି। କିନ୍ତୁ ସହରାଞ୍ଚଳ କ୍ଷେତ୍ରରେ ଏହା ୧୦ ଗୁଣାରୁ ଅଧିକ ରହିଛି।
ତଥ୍ୟରୁ ଅନ୍ୟ ଯେଉଁ ବିଷୟ ସାମ୍ନାକୁ ଆସିଛି ତାହା ହେଲା ଗ୍ରାମୀଣ ଭାରତର ଲୋକମାନେ ୨୦୨୨-୨୩ରେ ମାସିକ ମୁଣ୍ଡପିଛା ୧୭୫୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହାକି ସେମାନଙ୍କ ମୋଟ ଖର୍ଚ୍ଚର ୪୬ ପ୍ରତିଶତ। କିନ୍ତୁ ସହରାଞ୍ଚଳ‌ ଲୋକଙ୍କ ମାସିକ ମୁଣ୍ଡପିଛା ଖାଦ୍ୟ ବାବଦ ଖର୍ଚ୍ଚ ୨୫୩୦ ଟଙ୍କା ବା ମୋଟ ଖର୍ଚ୍ଚର ୩୯ ପ୍ରତିଶତ ରହିଛି।

୨୦୧୧-୧୨ରେ ଗ୍ରାମୀଣ ଭାରତରେ ଖାଦ୍ୟ ବାବଦ ମୁଣ୍ଡପିଛା ମାସିକ ଖର୍ଚ୍ଚ ମୋଟ ଖର୍ଚ୍ଚର ୫୨.୯୦ ପ୍ରତିଶତ ଏବଂ ସହରାଞ୍ଚଳ ଭାରତର ଖାଦ୍ୟ ବାବଦ ଖର୍ଚ୍ଚ ମୋଟ ଖର୍ଚ୍ଚର ୪୨.୬୨ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ଅଣଖାଦ୍ୟ ଖର୍ଚ୍ଚ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ୫୪ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୬୧ ପ୍ରତିଶତ ରହିଛି। ଗତ ୧୧ ବର୍ଷ ମଧ୍ୟରେ ଏହି ପାର୍ଥକ୍ୟ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମାସିକ ଖର୍ଚ୍ଚ ୨୦୨୨-୨୩ରେ ୩୭୭୩ ଟଙ୍କାକୁ ବୃଦ୍ଧି ପାଇଛି ଯାହା ୨୦୧୧-୧୨ରେ ୧୪୩୦ ଟଙ୍କା ଥିଲା। ଅର୍ଥାତ୍‌ ଉପରୋକ୍ତ ସମୟ ମଧ୍ୟରେ ଗ୍ରାମାଞ୍ଚଳ ଲୋକଙ୍କ ମୁଣ୍ଡପିଛା ହାରାହାରି ଖର୍ଚ୍ଚରେ ୧୬୪ ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ସହରାଞ୍ଚଳ ଲୋକଙ୍କ ମାସିକ ମୁଣ୍ଡପିଛା ଖର୍ଚ୍ଚ ୨୦୨୨-୨୩ରେ ୬୪୫୯ ଟଙ୍କା ରହିଛି। ୨୦୧୧-୧୨ରେ ସେମାନଙ୍କ ମୁଣ୍ଡପିଛା ମାସିକ ଖର୍ଚ୍ଚ ୨୬୩୦ ଟଙ୍କା ରହିଥିଲା। ଅର୍ଥାତ୍‌ ଉପରୋକ୍ତ ସମୟ ମଧ୍ୟରେ ସହରାଞ୍ଚଳ ଲୋକଙ୍କ ମାସିକ ମୁଣ୍ଡପିଛା ଖର୍ଚ୍ଚରେ ୧୪୬ ପ୍ରତିଶତ ବୃଦ୍ଧି ଘଟିଛି।

ଦେଶରେ ପାରିବାରିକ ଖର୍ଚ୍ଚ ସର୍ଭେ ରିପୋର୍ଟ ୫ ବର୍ଷ ବ୍ୟବଧାନରେ ହୋଇଥାଏ। ତେବେ ୨୦୧୭ ଜୁଲାଇରୁ ୨୦୧୮ ଜୁନ ପର୍ଯ୍ୟନ୍ତ ହୋଇଥିବା ୭୫ତମ ପର୍ଯ୍ୟାୟ ସର୍ଭେ ରିପୋର୍ଟ ସରକାର ପ୍ରକାଶ କରି ନଥିଲେ। ଖର୍ଚ୍ଚ ଢାଞ୍ଚା ଏବଂ ଦିଗରେ ବ୍ୟାପକ ବ୍ୟତିକ୍ରମ ରହିଥିବା ଦର୍ଶାଇ ସରକାର ଏହାକୁ ଅପ୍ରକାଶ୍ୟ ରଖିଥିଲେ। କିନ୍ତୁ ଲିକ୍‌ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା ଯେ ଖର୍ଚ୍ଚ ହ୍ରାସ ପାଇଛି।