ଧନୀଙ୍କ ଉପରେ ଅଧିକ ଟିକସ ଲାଗିବନି, ୫୦ ଆଇଆର୍‌ଏସ୍‌ ଅଧିକାରୀଙ୍କ ପ୍ରସ୍ତାବକୁ ସରକାରଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: କରୋନାଭୂତାଣୁ ଦ୍ବାରା ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ପୁଣି ଚାଲୁ କରିବା ଲାଗି ଦେଶର ଧନୀ ବ୍ୟକ୍ତିମାନଙ୍କ ଉପରେ ୪୦% ଟିକସ ଲଗାଇବା ଲାଗି ୫୦ ଭାରତୀୟ ରାଜସ୍ବ ସେବା (୍ଆଇଆର୍‌ଏସ୍‌) ଅଧିକାରୀ ଯେଉଁ ପ୍ରସ୍ତାବ ଦେଇଥିଲେ ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ଏକ ଦୁର୍ବଳ ପରିକଳ୍ପନା ବୋଲି ସରକାର କହିଛନ୍ତି। କିଛି ଅଧିକାରୀଙ୍କ ଏହା ଦାୟିତ୍ବହୀନ କାର୍ଯ୍ୟ ବୋଲି ଅର୍ଥ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ସ୍ବୀକୃତି ମିଳିନଥିବା ଏଭଳି ରିପୋର୍ଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଭଳି ଦାୟିତ୍ବହୀନ କାର୍ଯ୍ୟ କରିଥିବା ଅଧିକାରୀମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏଭଳି ବିଭ୍ରାନ୍ତିକର ପ୍ରସ୍ତାବ ଦ୍ବାରା ଷ୍ଟକ ବଜାର କାରବାର ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ଯେହେତୁ ଆଜି ରବିବାର ତେଣୁ ଷ୍ଟକ ବଜାର ବନ୍ଦ ରହିଛି। ଏହା ଏକ ଖୁସିର ଖବର ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଧନୀଙ୍କ ଉପରେ ଟିକସ ବୋଝ ବଢ଼ାଇବା ବ୍ୟତୀତ ଭାରତରେ ଥିବା ବିଦେଶୀ କଂପାନିଗୁଡ଼ିକ ଉପରେ ସରଚାର୍ଜ ପରିମାଣ ବଢ଼ାଇବା, କୋଭିଡ୍‌-୧୯ ରିଲିଫ୍ ପାଇଁ ଏକକାଳୀନ ଅତିରିକ୍ତ ୪ ପ୍ରତିଶତର ସେସ୍‌ ଲାଗୁ କରିବା ଏବଂ ପିଏମ୍-କେୟାରସ୍‌କୁ ଯେଉଁମାନେ ଟଙ୍କା ଦାନ କରିବାକୁ ଚାହୁଛନ୍ତି ସେମାନଙ୍କୁ ଟିକସ କ୍ଷେତ୍ରରେ ରିହାତି ଦେବା ଏବଂ ଅଧିକ ପାଣ୍ଠି ଯୋଗାଡ଼ କରିବା ଲାଗି ନୂତନ ଟିକସ ସଞ୍ଚୟ ସ୍କିମ୍ ଘୋଷଣା କରିବାକୁ ଆଇଆରଏସ୍‌ ଅଧିକାରୀଙ୍କ ସଂଘ ତରଫରୁ ଆହ୍ବାନ ଦିଆଯାଇଛି। ଆସନ୍ତା ୩-୬ ମାସର ଆବଶ୍ୟକତା ପୂରଣ କରିବା ଲାଗି ଏହି ସବୁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

କରୋନାଭୂତାଣୁର ମୁକାବିଲା ଲାଗି ପାଣ୍ଠି ଯୋଗାଡ଼ କରିବା ଏବଂ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଗ୍ରହଣ କରାଯିବାକୁ ଥିବା ସମ୍ଭାବ୍ୟ ପଦକ୍ଷେପଗୁଡ଼ିକୁ ନେଇ ଆଇଆର୍‌ଏସ୍‌ ସଂଘ ତରଫରୁ ଏକ ସନ୍ଦର୍ଭ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)କୁ ଦିଆଯାଇଛି। ଅତ୍ୟଧିକ ଧନୀ ବ୍ୟକ୍ତିଙ୍କ ଉପରେ ଟିକସ ଲଗାଇବା ଲାଗି ଆଇଆର୍‌ଏସ୍‌ ସଂଘ ଦୁଇଟି ବିକଳ୍ପ ଦେଇଛି। ପ୍ରଥମଟି ହେଉଛି ଯେଉଁମାନଙ୍କ ଆୟ ୧ କୋଟି ଟଙ୍କାରୁ ଅଧିକ ସେମାନଙ୍କ ଉପରେ ୪୦ ପ୍ରତିଶତ ଟିକସ ଲଗାଇବା କିମ୍ବା ୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରଖିଥିବା ଲୋକମାନଙ୍କ ପାଇଁ ପୁନର୍ବାର ସମ୍ପତ୍ତି ଟିକସ ଲାଗୁ କରିବା। କୋଭିଡ୍-୧୯ ରିଲିଫ୍‌ କାର୍ଯ୍ୟ ଲାଗି ପାଣ୍ଠି ଯୋଗାଡ଼ କରିବା ପାଇଁ ୪ ପ୍ରତିଶତର ସ୍ବତନ୍ତ୍ର କୋଭିଡ୍-୧୯ ସେସ୍‌ ଲାଗୁ କରିବା। ଏହା ଜରିଆରେ ସରକାର ୧୫-୧୮ ହଜାର କୋଟି ଟଙ୍କା ଆୟ କରିପାରିବେ ବୋଲି ସଂଘ ତରଫରୁ କୁହାଯାଇଛି। ବର୍ତ୍ତମାନ ଦେଶରେ ୨ ପ୍ରତିଶତର ସ୍ବାସ୍ଥ୍ୟ ସେସ୍‌ ଓ ୨ ପ୍ରତିଶତ ଶିକ୍ଷା ସେସ୍‌ ଲାଗୁଛି। ପିଏମ୍ କେୟାରସ୍‌କୁ ଯେଉଁମାନେ ଅଧିକ ଟଙ୍କା ଦାନ କରୁଛନ୍ତି ସେମାନଙ୍କୁ ଆୟକର ନିୟମର ଧାରା ୮୦ଜି ଅନୁସାରେ ଟିକସ ସୁବିଧା ଦେବା ଲାଗି ସଂଘ ପ୍ରସ୍ତାବ ଦେଇଛି। ସେହିପରି ଏହି କଠିନ ସମୟରେ ଟିକସଦାତାମାନେ ଯେଉଁ ସମସ୍ୟା ସାମ୍ନା କରୁଛନ୍ତି ତାହାକୁ ଦୂର କରିବା ଲାଗି ମଧ୍ୟ ନିର୍ଦିଷ୍ଟ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପ୍ରସ୍ତାବ ଦେଇଛି। ଇ-କମର୍ସ, ଅନଲାଇନ୍ ଷ୍ଟ୍ରିମିଂ ଓ ୱେବ୍ ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ଉପରେ ଟିକସ ଲଗାଇବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର