ମୁମ୍ବାଇ: ଲୋକପ୍ରିୟ ରିଟେଲ୍‌ ଶୃଙ୍ଖଳା ବିଗ୍‌ ବଜାର ପୁନରୁଦ୍ଧାରର ସବୁ ବାଟ ବନ୍ଦ ହୋଇଯାଇଥିବା ଭଳି ମନେ ହେଉଛି। ଏହାକୁ ପରିଚାଳନା କରୁଥିବା ସଂସ୍ଥା ଫ୍ୟୁଚର ରିଟେଲ୍‌କୁ ଲିକ୍ବିଡେଟ୍‌ ବା ବନ୍ଦ କରିବା ସମ୍ପର୍କିତ ପ୍ରସ୍ତାବକୁ ଜାତୀୟ କମ୍ପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଗ୍ରହଣ କରିଛନ୍ତି। କମ୍ପାନିକୁ ପୁନରୁଦ୍ଧାର କରିବା ଲାଗି ଯେଉଁ ସମୟ ସୀମା ଦିଆଯାଇଥିଲା ତାହା ଶେଷ ହୋଇଛି। ଏହି ସମୟ ଭିତରେ ଆସିଥିବା କୌଣସି ପ୍ରସ୍ତାବକୁ ଋଣ ଦେଇଥିବା ସଂସ୍ଥାଗୁଡ଼ିକୁ ନେଇ ଗଠନ କରାଯାଇଥିବା କମିଟି ଅଫ୍‌ କ୍ରେଡିଟର୍ସ (ସିଓସି) ମଞ୍ଜୁର କରିନଥିଲେ। କିଶୋର ବିୟାନିଙ୍କ ସଂସ୍ଥା ଫ୍ୟୁଚର୍‌ ରିଟେଲ୍‌କୁ ଲିକ୍ବିଡେଟ୍‌ କରିବା ଲାଗି ସଞ୍ଜୟ ଗୁପ୍ତାଙ୍କୁ ଲିକ୍ବିଡେଟର୍‌ ଭାବେ ନିଯୁକ୍ତ କରାଯାଇଛି। କର୍ପୋରେଟ୍‌ ଇନ୍‌ସଲ୍‌ଭେନ୍ସି ରିଜଲ୍ୟୁସନ ପ୍ରୋସେସ୍‌ (ସିଆଇଆର୍‌ପି)ରେ ସର୍ବାଧିକ ଯେତିକି ସମୟ ଦିଆଯିବା କଥା ତାହା ଦିଆଯାଇସାରିଛି। ସେଥିପାଇଁ କମ୍ପାନିକୁ ଲିକ୍ବିଡେଟ୍‌ କରିବା ଆବେଦନକୁ ଏନ୍‌ସିଏଲ୍‌ଟି ଗ୍ରହଣ କରିଛନ୍ତି।

Advertisment

ଫ୍ୟୁଚର୍‌ ରିଟେଲ୍‌ଠାରୁ ବିଭିନ୍ନ ସଂସ୍ଥା ୨୮,୪୫୨ କୋଟି ଟଙ୍କା ପାଇବା ବାକି ରହିଛି। ସେଥିରୁ ଆର୍ଥିକ ସଂସ୍ଥାଗୁଡ଼ିକ ୧୪,୪୨୨ କୋଟି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି। ଗତବର୍ଷ ନଭେମ୍ବରରେ କମ୍ପାନିର ରିଜଲ୍ୟୁସନ୍ ପ୍ରଫେସନାଲ୍ ଷ୍ଟକ୍ ବଜାରକୁ ଲିକ୍ବିଡେସନ୍ ବିଷୟରେ ଅବଗତ କରିଥିଲେ। ଫ୍ୟୁଚର୍‌ ର‌ିଟେଲ୍‌କୁ ବଞ୍ଚାଇବା ଲାଗି ୨୦୨୨ ଏପ୍ରିଲ୍‌ରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସହ ବିୟାନି ଏକ ବଡ଼ ବୁଝାମଣା କରିଥିଲେ। ମାତ୍ର କମ୍ପାନିର ଏକ ଛୋଟ ଅଂଶଧନକାରୀ ଥିବା ଆମାଜନ ତାହାକୁ ଦୃଢ଼ ବିରୋଧ କରିବା ପରେ ସେହି ବୁଝାମଣା ସଫଳ ହୋଇପାରିନଥିଲା। ଏହାପରେ କମ୍ପାନିକୁ ବଞ୍ଚାଇବା ଲାଗି ହୋଇଥିବା କୌଣସି ଉଦ୍ୟମ ସଫଳ ହୋଇନଥିଲା।