ବାତ୍ୟା ସମୟରେ ସ୍ମାର୍ଟଫୋନ୍‌ର ଭୂମିକା

ଓଡ଼ିଶା ସାମୁଦ୍ରିକ ବାତ୍ୟା ୟାସ୍‌କୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି। ପ୍ରଶାସନ ତରଫରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକ ଏହି ବାତ୍ୟାରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସମୟରେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନିଜ ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ଇଲେ‌କ୍ଟ୍ରୋନିକ୍ସ ଉପକରଣକୁ ଆଗୁଆ ପ୍ରସ୍ତୁତ କରି ରଖିପାରିବେ ଯଦ୍ବାରା ସେଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ବାତ୍ୟାରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଦୂରସଂଚାର ସେବା ଓ ଇଣ୍ଟରନେଟ୍‌ ସେବା ଆଦି ପ୍ରଭାବିତ ହୋଇଥାଏ। ଏଠାରେ ଏଭଳି କିଛି ପରାମର୍ଶ ଦିଆଯାଇଛି ଯାହାକୁ ଆପଣମାନେ ପାଳନ କରି ନିଜ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ବାତ୍ୟା ଲାଗି ପ୍ରସ୍ତୁତ ରଖିପାରିବେ:

ସ୍ମାର୍ଟଫୋନ୍, ପାୱାର ବ୍ୟାଙ୍କକୁ ଫୁଲ୍‌ ଚାର୍ଜ କରନ୍ତୁ: ନିଜ ଘରେ ଓ ପାଖରେ ଥିବା ସବୁ ସ୍ମାର୍ଟଫୋନ୍ ଓ ପାୱାର ବ୍ୟାଙ୍କକୁ ଫୁଲ ଚାର୍ଜ କରି ରଖନ୍ତୁ। ଏହା ଦ୍ବାରା ଆପଣମାନେ ଗୁରୁତ୍ବପୂର୍ଣ୍ଣ କଲ୍‌ କରିପାରି‌ବେ। ଅନ୍ୟ ଏକ ଫୋନ୍‌କୁ ଫୁଲ୍‌ ଚାର୍ଜ କରି ତାହାକୁ ସ୍ବିଚ୍‌ ଅଫ୍‌ କରି ରଖିଲେ ଆହୁରି ଭଲ। ନିହାତି ଜରୁରୀ ସମୟର ତାହାକୁ ବ୍ୟବହାର କରିପାରିବେ। ଯଦି ଘରେ ସେଭଳି ‌ଅଲଗା ଫୋନ୍ ନାହିଁ ତେବେ ପରିବାରର ଯେକୌଣସି ସଦସ୍ୟଙ୍କ ଫୋନ୍‌କୁ ସ୍ବିଚ୍‌ ଅଫ୍‌ କରି ଜରୁରୀକଳୀନ ସମୟରେ ବ୍ୟବହାର ପାଇଁ ରଖିପାରିବେ।

୪ଜି ବଦଳରେ ୨ଜି ବ୍ୟବହାର କରନ୍ତୁ: ସ୍ମାର୍ଟଫୋନ୍‌କୁ ଅଧିକ ସମୟ ଚଲାଇବା ପାଇଁ ଚାହୁଥିଲେ ସେଥିରେ ୪ଜିକୁ ଅଚଳ କରନ୍ତୁ ଏବଂ କେବଳ ୨ଜି ନେଟ୍‌ୱର୍କ ଚୟନ କରି ବ୍ୟବହାର କରନ୍ତୁ। ଏହା ଦ୍ବାରା ବ୍ୟାଟେରି ଅପଚୟ ହେବ ନାହିଁ। ବ୍ରାଇଟ୍‌ନେସ୍‌କୁ କମ୍ କରି ଲୋ ପାୱାର ମୋଡ୍‌ କିମ୍ବା ପାୱାର ସେଭିଂ ମୋଡ୍ ଅନ୍ କଲେ ଆହୁରି ଭଲ ହେବ। ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ର ବ୍ୟାକ୍ଅପ୍ ରଖନ୍ତୁ: ନିଜର ସମସ୍ତ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌କୁ ଗୁଗୁଲ୍‌ ଡ୍ରାଇଭ୍, ୱାନ୍ ଡ୍ରାଇଭ୍ କିମ୍ବା ଆଇ-କ୍ଲାଉଡ୍‌ ଆଦିରେ ରଖନ୍ତୁ। ଘରେ ଥିବା ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ଏଭଳି ସ୍ଥାନରେ ରଖନ୍ତୁ ଯଦ୍ବାରା ତାହା ପାଣିରେ ନଷ୍ଟ ହେବ ନାହିଁ। ନିଜର ଆଇଡିଗୁଡ଼ିକୁ ଡିଜିଲକର୍‌ରେ ରଖିପାରିବେ।

ପୋର୍ଟେବଲ୍ ୱାଇ-ଫାଇ ହଟ୍‌ସ୍ପଟ୍‌ ରଖନ୍ତୁ: ବାତ୍ୟା ସମ‌ୟରେ ବିଦ୍ୟୁତ କାଟ ହୁଏ। ଅଧିକ କ୍ଷୟକ୍ଷତି ହୋଇଥିବା ସ୍ଥାନରେ ବିଦ୍ୟୁତ ‌ଯୋଗାଣ ସ୍ବାଭାବିକ ହେବା ବିଳମ୍ବ ହୋଇଥାଏ। ଏଭଳି ସମୟରେ ଘରେ କିମ୍ବା କାର୍ଯ୍ୟାଳୟରେ ଲଗାଯାଇଥିବା ଇଣ୍ଟରନେଟ୍‌ ମୋଡେମ୍ ଓ ରାଉଟର୍ କାର୍ଯ୍ୟ କରିବ ନାହିଁ। କାରଣ ବିଦ୍ୟୁତ ସଂଯୋଗ ବିନା ସେଗୁଡ଼ିକ ଅଚଳ ରହିବ। ନିଜର ଗୁରୁତ୍ବପୂର୍ଣ୍ଣ ଅନ୍‌ଲାଇନ୍ କାର୍ଯ୍ୟ କରିବା ଲାଗି ନିଜ ପାଖରେ ପୋର୍ଟେବଲ୍ ୱାଇ-ଫାଇ ହଟ୍‌ସ୍ପଟ୍‌ ରଖିପାରିବେ। ଫୁଲ୍ ଚାର୍ଜ କରିଥିଲେ ତାହାକୁ ଦୀର୍ଘ ସମୟ ବ୍ୟବହାର କରିହେବ। ଦରକାର ପଡ଼ିଲେ ପାୱାର ବ୍ୟାଙ୍କ ଜରିଆରେ ତାହାକୁ ଆଉଥରେ ଚାର୍ଜ କରିହେବ।

ଫୋନ୍‌କୁ ପାଣି ଠାରୁ ଦୂରରେ ରଖନ୍ତୁ: ବାତ୍ୟା ସମୟରେ ପ୍ରବଳ ବର୍ଷା ଓ ଚାରିଆଡ଼େ ପାଣି ଭର୍ତ୍ତି ହୋଇଯାଏ। ଏଭଳି ସମୟରେ ଯଦି ବାହାରକୁ ଯିବାକୁ ପଡ଼େ ତେବେ ଫୋନ୍‌କୁ ଏକ ଜଳ ନିରୋଧୀ ପାଉଚ୍‌ ଭିତରେ ରଖନ୍ତୁ। ପ୍ର‌ଥମେ ଜାଣନ୍ତୁ ଆପଣଙ୍କ ଫୋନ୍‌ ୱାଟରପ୍ରୁଫ୍ ନା ନାହିଁ। ଯଦି ୱାଟରପ୍ରୁଫ୍‌ ହୋଇନଥିବ ତେବେ ତାହାକୁ ଜରି ଭିତରେ ରଖିବା ଉଚିତ।

ଏମର୍ଜେନ୍ସି ଲାଇଟ୍‌: ପାୱାର ବ୍ୟାଙ୍କରେ ଚାର୍ଜ ହୋଇପାରୁଥିବା ଏଲ୍‌ଇଡି ରିଚାର୍ଜେବଲ୍ ଲାଇଟ୍‌ ଘରେ ରଖନ୍ତୁ। ଏହାକୁ ଆପଣ ମୋବାଇଲ୍‌ ଫୋନ୍‌ ସହ ମଧ୍ୟ ସଂଯୋଗ କରିପାରିବେ। ଏମର୍ଜେନ୍ସି ଲାଇଟ୍‌ ବହୁତ କାମରେ ଆସିବ।

ସମ୍ବନ୍ଧିତ ଖବର