ଭୁବନେଶ୍ୱର: ପୁନଃ ନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିବାକୁ ହେବ। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଭୁବନେଶ୍ୱର ସରକାରୀ ଆଇଟିଆଇରେ ରାଜ୍ୟର ଦ୍ୱିତୀୟ ଦକ୍ଷତା ସଂଗ୍ରହାଳୟକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଏହା କହିଛନ୍ତି। ସେ ଆହୁରି କହିଥିଲେ ଯେ ଓଡ଼ିଶାର ଯୁବଗୋଷ୍ଠୀଙ୍କ ପ୍ରତିଭା ପ୍ରତି ଆକର୍ଷିତ ହୋଇ ବିଶ୍ୱର ପ୍ରମୁଖ ଉଦ୍ୟୋଗୀମାନେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ନିଶ୍ଚୟ ଆଗେଇ ଆସିବେ। କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ ଚଳିତ ବର୍ଷ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାରୁ ଭାଗ ନେଉଥିବା ୧୨ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ଏହି ଦକ୍ଷତା ସଂଗ୍ରହାଳୟରେ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ବର୍ଜ୍ୟବସ୍ତୁରୁ ପୁନଃପ୍ରସ୍ତୁତ ଆକର୍ଷଣୀୟ ସାମଗ୍ରୀ ସ୍ଥାନ ପାଇଛି। ବୈଷୟିକ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ଓ ଜନସାଧାରଣଙ୍କୁ ଶିଳ୍ପ ତାଲିମ୍‌ ସଂକ୍ରାନ୍ତୀୟ ତଥ୍ୟ ଏଠାରେ ମିଳିବ। ଏହା ଦକ୍ଷତା ଶିକ୍ଷା ଓ ବୃତ୍ତି ପ୍ରତି ଆକର୍ଷିତ ହେବା ପାଇଁ ପ୍ରେରଣା ଯୋଗାଇବ। ବୈଦ୍ୟୁତିକ ଉପକରଣର ପୁରାତନ ଇତିହାସକୁ ମଧ୍ୟ ଏହି ସଂଗ୍ରାହଳୟ(ମ୍ୟୁଜିୟମ)ରେ ସ୍ଥାନିତ କରାଯାଇଛି। ରାଜ୍ୟର ପ୍ରଥମ ଦକ୍ଷତା ସଂଗ୍ରହାଳୟ କଟକସ୍ଥିତ ସରକାରୀ ଆଇଟିଆଇରେ ରହିଛି।