ଦ୍ବିତୀୟ ଲହରରେ ଓଡ଼ିଶାର ୧୯୨୭ କୋଟିର କ୍ଷତି ହେବ, ଦେଶର ଦେଢ଼ ଲକ୍ଷ କୋଟି

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ଲହର କରୋନା ସଂକ୍ରମଣକୁ ରୋକିବା ପାଇଁ କାର୍ଯ୍ୟକାରୀ କରାଯାଉଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଆଦି କଟକଣା ପାଇଁ ଓଡ଼ିଶାକୁ ୧୯୨୭ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ସାରା ଭାରତକୁ ଏଥିପାଇଁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା (୧,୪୯,୯୭୦ କୋଟି ଟଙ୍କା)ର କ୍ଷତି ସହିବାକୁ ହେବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି। ସେହିଭଳି ଅନ୍ୟ ଯେଉଁ ରାଜ୍ୟ ଗୁଡ଼ିକର କ୍ଷତି ସଂପର୍କରେ ରିପୋର୍ଟରେ ଆକଳନ କରାଯାଇଛି ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ସର୍ବାଧିକ ୮୧୬୭୨ କୋଟି ଟଙ୍କା, ମଧ୍ୟପ୍ରଦେଶ ୨୧,୭୧୨ କୋଟି ଟଙ୍କା, ରାଜସ୍ଥାନ ୧୭,୨୩୭ କୋଟି ଟଙ୍କା, ଛତିଶଗଡ଼ ୭୩୪୭ କୋଟି ଟଙ୍କା, ବିହାର ୬୨୨୨ କୋଟି ଟଙ୍କା, ଦିଲ୍ଲୀ ୫୧୭୮ କୋଟି ଟଙ୍କା, ପଞ୍ଜାବ ୪୯୯୪ କୋଟି ଟଙ୍କା, ଝାଡ଼ଖଣ୍ଡ ୨୭୬୮ କୋଟି ଟଙ୍କା ଏବଂ ଉତ୍ତରାଖଣ୍ଡ ୯୧୪ କୋଟି ଟଙ୍କାର କ୍ଷତି ସହିବ।

ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୨୦୨୧-୨୨ ଆର୍ଥିକ ବର୍ଷରେ ୧୦.୪ ପ୍ରତିଶତ ଏବଂ ମୁଦ୍ରାସ୍ଫୀତିକୁ ବିଚାରକୁ ନନେଇ ବର୍ତ୍ତମାନ ମୂଲ୍ୟରେ ଜିଡିପି ଅଭିବୃଦ୍ଧି ହାର ୧୪.୩ ପ୍ରତିଶତ ରହିବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ପୂର୍ବ ଆକଳନରେ ଷ୍ଟେଟ ବ୍ୟାଙ୍କର ଭାରତର ବାସ୍ତବ ଜିଡିପି ୧୧ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା। ଦେଶର ଅର୍ଥନୀତିକୁ ଯେଉଁ ଦେଢ଼ ଲକ୍ଷ ଟଙ୍କାର କ୍ଷତି ହେବ ସେଥିରେ ମହାରାଷ୍ଟ୍ରର ଭାଗ ପ୍ରାୟ ୫୪ ପ୍ରତିଶତ ରହିବ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନକୁ ମିଶାଇଲେ କ୍ଷତି ପରିମାଣ ଦେଶର ମୋଟ କ୍ଷତିର ୮୦ ପ୍ରତିଶତ ରହିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର