ମୁମ୍ବାଇ: ନୂଆବର୍ଷର ପ୍ରଥମ କାରବାର ଦିନରେ ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍ସେକ୍ସ ଜବରଦସ୍ତ ବୃଦ୍ଧି ହାସଲ କରିଛି। ଓମିକ୍ରନ ମାମଲା ବୃଦ୍ଧି ପାଉଥିଲେ ମଧ୍ୟ ନିବେଶକମାନେ ସେଥିପ୍ରତି ଦୃଷ୍ଟି ନଦେଇ ସେୟାର କିଣିବାରେ ବ୍ୟସ୍ତ ରହିଥିଲେ। ଫଳରେ ସେନ୍ସେକ୍ସ ଆଜି ୯୨୯ ପଏଣ୍ଟ୍ ବୃଦ୍ଧି ସହ ୫୯,୧୮୩ ପଏଣ୍ଟ୍ରେ ବନ୍ଦ ହୋଇଛି। ସେହି ସମୟରେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ସୂଚକାଙ୍କ ନିଫ୍ଟି ୨୭୨ ପଏଣ୍ଟ୍ ବୃଦ୍ଧି ପାଇ ୧୭,୬୨୬ ପଏଣ୍ଟ୍ରେ ବନ୍ଦ ହୋଇଛି। ନିଫ୍ଟିରେ ମିଡ୍-କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ସୂଚକାଙ୍କରେ ଆଜି ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୫ଟି କ୍ଷେତ୍ର ମଧ୍ୟରୁ ୧୩ଟି କ୍ଷେତ୍ରର ସୂଚକାଙ୍କ ବୃଦ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି। ବ୍ୟାଙ୍କ, ଆର୍ଥିକ ସେବା ଓ ଅଟୋମୋବାଇଲ୍ କଂପାନିଗୁଡ଼ିକର ସେୟାର ଚାହିଦାରେ ଥିଲା। ଆଗାମୀ ଦିନରେ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଯେଉଁ ହାରରେ ଓମିକ୍ରନ ମାମଲା ବଢ଼ୁଛି ତାହାକୁ ଦୃଷ୍ଟି ଦେଲେ ଫାର୍ମା କଂପାନିଗୁଡ଼ିକର ସେୟାର ପ୍ରତି ନିବେଶକମାନେ ଅଧିକ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି। ଆଜି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ କୋଲ୍ ଇଣ୍ଡିଆ, ଆଇସର ମୋଟର୍ସ, ବଜାଜ ଫାଇନାନ୍ସ, ଟାଟା ଷ୍ଟିଲ୍, ଆଇସିଆଇସିଆଇ ବ୍ୟାଙ୍କ ଓ ଜୋମାଟୋର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ସିପ୍ଲା, ଡକ୍ଟର ରେଡ୍ଡିସ୍, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଡିଭିସ୍ ଲ୍ୟାବ୍ ଓ ଟେକ୍ ମହିନ୍ଦ୍ରାର ସେୟାର ମୂଲ୍ୟ ହ୍ରାସ ପାଇଛି।
ସେନ୍ସେକ୍ସରେ ୯୨୯ ପଏଣ୍ଟ୍ ବୃଦ୍ଧି
/sambad/media/post_attachments/wp-content/uploads/2021/12/sensex.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)