ସେ‌ନସେକ୍ସ ୧୦୬୬ ପଏଣ୍ଟ୍‌ ଖସିଲା, ନିବେଶକ ହରାଇଲେ ୩.୩ ଲକ୍ଷ କୋଟି

ମୁମ୍ବାଇ: ଷ୍ଟକ୍ ବଜାରର ନିବେଶକମାନଙ୍କୁ ଆଜି ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଗତ ପ୍ରାୟ ୩ ସପ୍ତାହ ହେଲା ଉପରକୁ ଉଠି ଆସୁଥିବା ସେନସେକ୍ସ ଆଜି ୧୦୬୬ ପଏଣ୍ଟ ତଳକୁ ଖସି ୩୯,୭୨୮.୪୧ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟିରେ ମଧ୍ୟ ୨୯୦.୭୦ ପଏଣ୍ଟ ହ୍ରାସ ଘଟି ୧୧୬୮୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ଏହି ହ୍ରାସ ଯୋଗୁଁ ବମ୍ବେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାର ପୁଞ୍ଜି ୧୫୭.୨୨ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ଗତ ତିନି ସପ୍ତାହ ମଧ୍ୟରେ ସେନସେକ୍ସ ୪୨୦୦ ପଏଣ୍ଟ ଉପରକୁ ଉଠି ୪୧ ହଜାର ପଏଣ୍ଟ ଆଡ଼କୁ ମୁହାଁଇଥିଲା। କିନ୍ତୁ ଆଜି ଏଥିରେ ବଡ଼ ଧରଣର ହ୍ରାସ ନିବେଶକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

ବଜାଜ୍ ଫାଇନାନ୍ସ, ଟେକ୍ ମହିନ୍ଦ୍ରା, ଇଣ୍ଡସଇଣ୍ଡ୍‌ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଆଦିର ସେୟାର ମୂଲ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ୟୁ‌ରୋପରେ ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଦେଖାଦେବା ସହିତ ଆମେରିକା ପକ୍ଷରୁ ଅର୍ଥନୀତିରେ ସୁଧାର ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା ବିଳମ୍ବ ହେବା, ଚୀନ୍ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ବିବାଦ ବଢ଼ିବାର ପ୍ରଭାବ ଆଜି ବିଶ୍ବର ପ୍ରମୁଖ ଷ୍ଟକ ବଜାର‌ ଗୁଡ଼ିକ ଉପରେ ପଡ଼ିଛି। ଏଥିପାଇଁ ଏସିଆ ଓ ୟୁରୋପର ଷ୍ଟକ୍ ମାର୍କେଟଗୁଡ଼ିକ ୧ରୁ ୨ ପ୍ରତିଶତ ନିମ୍ନମୁଖୀ ହୋଇଛି। ଏଥିସହିତ ଭାରତରେ ନିବେଶକମାନେ ପ୍ରଫିଟ୍ ବୁକ୍ କରିବା ଦ୍ବାରା ମଧ୍ୟ ଷ୍ଟକ ବଜାର ଉପରେ ଏସବୁର ପ୍ରତିକୂଳ ପ୍ରଭାବ ପଡ଼ିଛି।

ସମ୍ବନ୍ଧିତ ଖବର