ସେନ୍‌ସେକ୍ସରେ ୬୫୬ ପଏଣ୍ଟ୍ ହ୍ରାସ: ଦୁଇ ଦିନରେ ନିବେଶକ ହରାଇଲେ ୬.୫ ଲକ୍ଷ କୋଟି

ମୁମ୍ବାଇ: ନିବେଶକମାନେ ସେୟାର ବିକ୍ରି କରୁଥିବାରୁ ଦୁଇ ଦିନ ହେଲାଣି ବମ୍ବେ ଷ୍ଟକ ବଜାରର ସୂଚକାଙ୍କ ସେନ୍‌ସେକ୍ସରେ ହ୍ରାସ ଘଟୁଛି। ଆଜି ସେନ୍‌ସେକ୍ସ ୬୫୬ ପଏଣ୍ଟ୍ ହ୍ରାସ ପାଇ ୬୦,୦୯୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ଷ୍ଟକ ବଜାରରେ କାରବାର ଆରମ୍ଭ ହେବାର କିଛି ସମୟ ପରେ ସେନ୍‌ସେକ୍ସରେ ୧୫୦୦ ପଏଣ୍ଟ୍‌ ଭଳି ହ୍ରାସ ଘଟିଥିଲା। ଅପରାହ୍ନ‌ରେ କାରବାର ଶେଷ ହେବା ବେଳକୁ ସେନ୍‌ସେକ୍ସ ୯୨୦ ପଏଣ୍ଟ୍‌ର ‌ସୁଧାର ହୋଇଥିଲା। ସେଥିପାଇଁ ହ୍ରାସର ମାତ୍ରା ୬୫୬ ପଏଣ୍ଟ୍‌କୁ ଖସିଥିଲା। ‌ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ଆଜି ୧୭୫ ପଏଣ୍ଟ୍‌ ହ୍ରାସ ପାଇ ୧୭,୯୩୮ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ସେନ୍‌ସେକ୍ସରେ ଘଟିଥିବା ହ୍ରାସ ଯୋଗୁଁ ଆଜି ନିବେଶକମାନେ ପ୍ରାୟ ୧.୩୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଦୁଇ ଦିନ ଭିତରେ ସେମାନେ ସାଢ଼େ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇସାରିଲେଣି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ସବୁ କଂପାନିର ମୋଟ ବଜାର ପୁଞ୍ଜି ପରିମାଣ ୨୭୪.୮୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଆଜି ପେଏଟିଏମ୍, ଷ୍ଟରଲାଇଟ୍‌ ଟେକ୍, ଡିସିଏମ୍‌ ଶ୍ରୀରାମ, ଏଜିଏସ୍‌ ଟ୍ରାଞ୍ଜାକ୍ଟ, ଜେଏସ୍‌ଡବ୍ଲୁ ଏନର୍ଜି, ଇନ୍‌ଫୋସିସ୍‌, ଶ୍ରୀ ସିମେଣ୍ଟ୍‌, ଏସିଆନ୍ ପେଣ୍ଟସ୍‌, ଆଦାନି ପୋର୍ଟସ୍‌, ଏଚ୍‌ୟୁଏଲ୍, ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ଲାଇଫ୍‌ ଇନ୍‌ସ୍ୟୁରାନ୍ସର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହି ସମୟରେ ଓଏନ୍‌ଜିସି, ଟାଟା ମୋଟର୍ସ, ୟୁପିଏଲ୍, ମାରୁତି ସୁଜୁକି, କୋଲ ଇଣ୍ଡିଆ, ଟାଟା ଷ୍ଟିଲ୍ ଓ ଇଣ୍ଡିଆନ ଅଏଲର ସେୟାର ମୂଲ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର