କରୋନା ଚିନ୍ତାରେ ନିବେଶକ ବିକିଲେ ସେୟାର, ଦିନକରେ ଉଡ଼ିଗଲା ସାଢ଼େ ୪ ଲକ୍ଷ କୋଟି

ସେନ୍‌ସେକ୍ସରେ ୮୧୨ ପଏଣ୍ଟ୍‌ର ହ୍ରାସ

ମୁମ୍ବାଇ: ଯେଉଁ ଦେଶଗୁଡ଼ିକ କରୋନା ସଂକ୍ରମଣକୁ ସଫଳତାର ସହ ନିୟନ୍ତ୍ରଣ କରିଥିଲେ ବୋଲି କୁହାଯାଉଥିଲା ସେଠାରେ ପୁଣି ଥରେ କରୋନା ମାମଲା ଦେଖାଦେଇଛି। ଏହି ଖବର ପ୍ରଚାରିତ ହେବା ପରେ ସାରା ବିଶ୍ବର ନିବେଶକମାନେ ଭୟଭୀତ ହୋଇପଡ଼ିଛନ୍ତି। ଆଗକୁ ସମୟ ଆହୁରି ଖରାପ ହେବ ଭାବି ଷ୍ଟକ ବଜାରରେ ପୁଞ୍ଜି ଖଟାଇଥିବା ନିବେଶକମାନେ ବିପୁଳ ପରିମାଣର ସେୟ‌ାର ବିକ୍ରି କରିଛନ୍ତି। ବମ୍ବେ ଷ୍ଟକ ବଜାରରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ସେନ୍‌ସେକ୍ସରେ ଆଜି ୮୧୨ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ଘଟିବାରୁ ନିବେଶକମାନେ ପ୍ରାୟ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଆଜି ସେନ୍‌ସେକ୍ସ ୮୧୧ ପଏଣ୍ଟ୍‌ ହ୍ରାସ ପାଇ ୩୮,୦୩୪ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୨୮୨ ପଏଣ୍ଟ୍‌ ହ୍ରାସ ସହ ୧୧,୨୨୨ ପଏଣ୍ଟ୍‌ରେ ବନ୍ଦ ହୋଇଛି। କିଛି ଘଣ୍ଟାରେ ନିବେଶକମାନେ ଆଜି ୫.୫୮ ଲକ୍ଷ କୋଟି ଟଙ୍କା ହରାଇବା ପରେ ପୁଞ୍ଜି ବଜାରରେ ପଞ୍ଜୀକୃତ ଥିବା ସମସ୍ତ ସଂସ୍ଥାର ମୋଟ ବଜାର ପୁଞ୍ଜି ଦାମ୍ ୧୫୪.୪୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ନିବେଶକମାନେ କମ୍ ଦାମ୍‌ରେ ସେୟାର ବିକ୍ରି କରିଥିବାରୁ କ୍ଷତି ସହିଛନ୍ତି। ପୁଞ୍ଜି ବଜାର ନିବେଶକମାନଙ୍କ ଭୟର ସ୍ତର ମାପିବା ଲାଗି ବ୍ୟବହାର କରାଯାଉଥିବା ଇଣ୍ଡିଆ ଭିଆଇଏକ୍ସ ଆଜି ୧୩ ପ୍ରତିଶତ ବୃଦ୍ଧି ସହ ୨୨.୬୫ ପ୍ରତିଶତରେ ପହଞ୍ଚିଥିଲା। ନିବେଶକମାନଙ୍କ ମନରେ ରହିଥିବା ଅସ୍ଥିରତାର ଏହା ସ୍ପଷ୍ଟ ପ୍ରତିଫଳନ ଥିଲା। ଆଜି ବମ୍ବେ ଷ୍ଟକ ବଜାରରେ କାରବାରର ଦ୍ବିତୀୟାର୍ଦ୍ଧରେ ଅଧିକ ସେୟାର ବିକ୍ରି ହୋଇଥିଲା। ବିଶ୍ବର ଅନ୍ୟ ଯେଉଁ ଦେଶଗୁଡ଼ିକରେ ଷ୍ଟକ ବଜାର ଖୋଲାଥିଲା ସେଠାରେ ନିବେଶକମାନେ ସେୟାର ବିକ୍ରି କରୁଥିବା ଖବର ପ୍ରଚାରିତ ହେବା ପରେ ଭାରତରେ ମଧ୍ୟ ନିବେଶକମାନେ ସେହି ଧାରାରେ ସେୟାର ବିକିଥିଲେ।

ଷ୍ଟକ ବଜାରରେ ଦେଖାଦେଇଥିବା ଅସ୍ଥିରତା ଲାଗି ଅନେକ କାରଣ ଦାୟୀ। ପ୍ରଥମ ବିଷୟ ହେଉଛି ୟୁ‌ରୋପୀୟ ଦେଶଗୁଡ଼ିକରେ ପୁଣି ଥରେ କରୋନା ମାମଲାରେ ବୃଦ୍ଧି। ଡେନ୍‌ମାର୍କ, ଗ୍ରିସ୍ ଓ ସ୍ପେନ୍‌ରେ କରୋନା ସଂକ୍ରମଣ ରୋକିବା ଲାଗି ପୁଣି ଥରେ କଟକଣା ଜାରି କରାଯାଇଛି। ବ୍ରିଟେନ୍ ମଧ୍ୟ ଦ୍ବିତୀୟ ଥର ଲକ୍‌ଡାଉନ୍ ଘୋଷଣା କରିବା ଉପରେ ବିଚାର କରୁଛି। ଫ୍ରାନ୍ସ, ଅଷ୍ଟ୍ରିଆ ଓ ନେଦରଲ୍ୟାଣ୍ଡ୍‌ରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ଭାରତରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ କରୋନା ମାମଲା ସାମ୍ନାକୁ ଆସୁଛି। ଏହି ଖବର ପ୍ରଚାରିତ ହେବା ପରେ ଆମେରିକା, ଫ୍ରାନ୍ସ ଓ ଜର୍ମାନିର ଷ୍ଟକ ବଜାରରେ କାରବାର ମାନ୍ଦା ରହିିଥିଲା।

ସମ୍ବନ୍ଧିତ ଖବର